ଅନୁଗୋଳ ପଞ୍ଚାୟତ ରାଜନୀତି

ଅନୁଗୁଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଦାଣ୍ଡ ପଡ଼ୁଛି ଉଠୁଛି । ମାଳ ମାଳ ନେତା କର୍ମୀ ସମର୍ଥକଙ୍କୁ ନେଇ ଶୋଭାଯାତ୍ରା ଚଳାଇଛନ୍ତି । ଭୋଟ ଭିକ୍ଷା ପାଇଁ ଘର ଘର ବୁଲି ପୁସିଙ୍ଗ କାର୍ଡ଼ ବାଣ୍ଟିରେ ଲାଗିଛନ୍ତି । ଭୋଟରକୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ରଣ କୌଶଳ ପ୍ରୟୋଗ କରିବାରେ ଲାଗିଛନ୍ତି । ହେଲେ ଭୋଟର କାହାକୁ ଛାଡ଼ିବେ କାହାକୁ ଧରିବେ ତାହା ଭୋଟ ଗଣତି ପରେ ଆକଳନ କରାଯାଇପାରେ । ବିଶେଷ କରି ଦଳୀୟ ନେତାମାନେ ଗାଁ ଗାଁରେ ଯୁବଗୋଷ୍ଠୀକୁ ମନେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଯୁବଗୋଷ୍ଠୀ କାହା ପଟକୁ ଢ଼ଳିବେ ତାହା ମଧ୍ୟ ଅନିଶ୍ଚିତତା । ତଥାପି ପ୍ରାର୍ଥୀମାନେ ଆକୃଷ୍ଟ କରିବା ପାଇଁ କଳବଳ କୌଶଳ ଲଗାଇ ଦେଇଛନ୍ତି । ଏହି ପଞ୍ଚାୟତ ନିର୍ବାଚନରେ ଦଳୀୟ,ନେତା ସରପଞ୍ଚ, ୱାର୍ଡ଼ମେମ୍ବର ପ୍ରାର୍ଥୀଙ୍କ ଅପେକ୍ଷା ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଉପରେ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି । କାରଣ କେଉଁ ନେତା ଓ କେଉଁ ଦଳର ଦମ୍ କେତେ ତାହା ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳରୁ ହିଁ ଜଣାପଡ଼ିବ । ସେଥିପାଇଁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ବିଶେଷ କରି ଜିଲ୍ଲାର ବିଭିନ୍ନ ଜୋନ୍‌ରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ଟକର ହେଉଥିବା ଦେଖିବାକୁ ମିଳୁଛି । ହେଲେ କଂଗ୍ରେସ ମଧ୍ୟ ତାର ସ୍ଥିତି ଜାହିର କରିବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରକାଶ ଥାଉକି, ଅନୁଗୋଳ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନ୍‌ରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଫେବୃଆରୀ ୧୬ରେ ଅନୁଗୋଳ – ବଅଁରପାଳ, ୧୮ରେ ଛେଣ୍ଡିପଦା – କଣିହାଁ, ୨୦ରେ ଆଠମଲ୍ଲିକ – ପାଳଲହଡ଼ା ଓ ୨୨ ତାରିଖରେ କିଶୋରନଗର -ତାଳଚେରରେ ଭୋଟର ମାନେ ମତ ସାବ୍ୟସ୍ତ କରିବେ । ତେବେ ଜିଲ୍ଲାର ମୋଟ୍ ୮ଟି ବ୍ଲକର ୨୨୫ଟି ପଞ୍ଚାୟତରେ ନିର୍ବାଚନ ହେଉଥିବା ବେଳେ ୨୨୫ସରପଞ୍ଚ, ୨୨୫ ସମିତି ସଭ୍ୟ, ୩୦୨୮ ୱାର୍ଡ଼ ସଭ୍ୟ ଏବଂ ୨୮ଟି ଜିଲ୍ଲା ପରିଷଦ ପଦ ନିମନ୍ତେ ନୂତନ ପ୍ରତିନିଧି ନିର୍ବାଚିତ ହେବେ । କିନ୍ତୁ ଜଣେ ସରପଞ୍ଚ ପ୍ରାର୍ଥୀ ୪ଜଣ ସମିତି ସଭ୍ୟ ଓ ୯୫୫ଜଣ ୱାର୍ଡ଼ ସଭ୍ୟ ନିର୍ଦୋନ୍ଦ ରହିଥିବା ଜଣାପଡ଼ିଛି । ପୁଣି ୮ଟି ବ୍ଲକର ୧୮୩ଟି ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଶୂନ୍ୟ ହେବା ପରେ ପୁନଃ ନାମାଙ୍କନ ପତ୍ର ନିବେଦନ ପାଇଁ ଆହ୍ୱାନ କରାଯାଇଛି । ତେବେ ଚଳିତ ନିର୍ବାଚନରେ ବିଜେପି – ବିଜେଡ଼ି ମଧ୍ୟରେ କଡା ଟକର ଦେଖିବାକୁ ମିଳୁଛି । ଏପରିକି ଅନେକ ପଞ୍ଚାୟତରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀମାନେ ଟକର ଦେଇ ବାଜିମାତ୍ ମାରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଆଉ ଗାଁ ଗାଁରେ ପୋଷ୍ଟର ବ୍ୟାନର ଛାଇ ହୋଇ ଯାଇଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜର ପୁସିଙ୍ଗ କାର୍ଡ଼୍ ଧରି ଭୋଟରକୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି । ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡ଼ି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ଓ ଶାସକ ବିଜେଡ଼ିର ବିଧାୟକ ତଥା ଉପବାଚସ୍ପତିଙ୍କ ପୁଅ ଅରୁଣାଭ ସିଂହ ପ୍ରଚାର ମଇଦାନକୁ ଓହ୍ଲାଇ ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ ଲାଗିପଡ଼ିଛନ୍ତି । ଏଥିସହ ବିଜେଡ଼ିର ଯୁବ ଓ ମହିଳା ସଂଗଠନ ପକ୍ଷରୁ ମଧ୍ୟ ଗାଁ ଗାଁରେ ପ୍ରଚାର ପ୍ରସାର ଜୋରଦାର ଚଳାଇଛନ୍ତି । ତେବେ ବିଜେପି ନେତୃମଣ୍ଡଳୀ ମଧ୍ୟ ପଛରେ ପଡ଼ିନାହାନ୍ତି । ବିଜେପି ଜିଲ୍ଲା ସଭାପତି ଡ଼ିଲେଶ୍ୱର ପ୍ରଧାନ ତାଙ୍କ ଦଳବଳ ଧରି ଗାଁ ଗାଁରେ ପ୍ରଚାର ମଇଦାନରେ ଲାଗି ପଡ଼ିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ତାଙ୍କର ଛାମୁଆ ନେତା କର୍ମୀଙ୍କୁ ନେଇ ପଞ୍ଚାୟତ ନିର୍ବାଚନରେ ତାଙ୍କର ଦକ୍ଷତା ଦେଖାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଜିଲ୍ଲାର ଘରେ ଘରେ ପରିଚିତ ପ୍ରାକ୍ତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟଣ ପାଣି ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ଦଳୀୟ ନେତାଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି । ନିର୍ବାଚନରେ ବାଜିମାତ ମାରିବା ପାଇଁ ଉଭୟ ବିଜେପି-ବିଜେଡ଼ି ମଧ୍ୟରେ ମିଶ୍ରଣ ପର୍ବ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଯାହାକି ଏ ଦଳରୁ ସେ ଦଳ ଡ଼ିଆଁ ମାରୁଛନ୍ତି ଛାମୁଆ ନେତା ଓ କର୍ମୀ । ସେହିଭଳି କଂଗ୍ରେସ ତାର ସ୍ଥିତି ଜାହିର କରିବା ପାଇଁ ପ୍ରୟାସ ଜାରି ରଖିଛି । ଜିଲ୍ଲା ସଭାପତି ବିପ୍ଳବ ଜେନା ବିଭିନ୍ନ ପଞ୍ଚାୟତକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ରଣ କୌଶଳ ଚଳାଇଛନ୍ତି । କାହାର କେତେ ଦବଦବା ରହିଛି ଭୋଟର ହିଁ ଜଣାଇଦେବେ ।

Leave a Reply

Your email address will not be published. Required fields are marked *