ଅନ୍ତର୍ଜାତୀୟ ଓପନ ତାଏକୋଣ୍ଡା ପ୍ରତିଯୋଗିତା

ଫୋକସ ପ୍ଲସ (ବୀରମହାରାଜପୁର)୦୯/୦୭/୨୦୨୨:  ବ୍ରୋଞ୍ଜ ପଦକ ହାସଲ କଲେ ବୀରମହାରାଜପୁରର ଏହେସାସ ବିଦେଶ ମାଟିରେ ପୁଣି ଥରେ କମାଲ ଦେଖାଇଛନ୍ତି ଓଡିଆ ପୁଅ ଏହେସାସ । ଦକ୍ଷିଣ କୋରିଆର ଗାଙ୍ଗୱାନ ପ୍ରୋଭିନନ୍ସର ରାଜଧାନୀ ଚାନଟିଓନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଓପନ ତାଏକୋଣ୍ଡା ପ୍ରତିଯୋଗିତା – ୨୦୨୨ରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅନ୍ତର୍ଜାତୀୟସ୍ତରରେ ପଦକ ହାସଲ କରି ସେ ସୁବର୍ଣ୍ଣପୁର ଜିଲ୍ଲା, ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିଛନ୍ତି । ପୂର୍ବରୁ ଏହେସାସ ୭ଥର ବିଶ୍ଵ ତାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିଣିଛନ୍ତି ।

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମୂଲ୍ୟମଣି ରାଣୀପୁର ଗାଁର ଯୁବ କ୍ରୀଡାବିତ୍ ତଥା ଆନ୍ତର୍ଜାତୀୟ ତାଏକୋଣ୍ଡୋ ଖେଳାଳି ଏହେସାସ ହୋତା (୨୩) । ଭାରତୀୟ ଟିମ୍ ସହ ଗତ ୨୭ ତାରିଖରେ ସେ କୋରିଆ ଅଭିମୁଖେ ଯାତ୍ରା କରିଥିଲେ । ଦକ୍ଷିଣ କୋରିଆର ଚାନଟିଓନର ହୋବନ ଜିମ୍ ଷ୍ଟାଡିୟମରେ କୁନ୍ ୨୯ରୁ ଜୁଲାଇ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ଜି – ୨ ବ୍ୟାଙ୍କିଙ୍ଗ ଅନ୍ତର୍ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତାରେ ସେ ଭାରତ ପକ୍ଷରୁ ପ୍ରତିନିଧୂତ୍ବ କରିଥିଲେ । ଏହେସାସଙ୍କ ସଫଳତା ନେଇ ସୁବର୍ଣ୍ଣପୁର ଜିଲାପାଳ ଅବୋଲି ସୁନିଲ ନରୱଣେ, ଓଡିଶା ରାଜ୍ୟ ତାଏକୋଣ୍ଡୋ ସଂଘ ସମ୍ପାଦକ ମନମୋହନ ଭଞ୍ଜ, ସୁବର୍ଣ୍ଣପୁର ଜିଲା କ୍ରୀଡା ଅଧିକାରୀ ଅଭିଳାଶ ପୁରୋହିତ, ଜିଲା ତାଏକୋଣ୍ଡୋ ସଂଘ ସଭାପତି ରବିନ୍ଦ୍ର ହୋତା ଓ କ୍ରୀଡାପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି । ଏହେସାସ ଏହି ସଫଳତାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଦକ୍ଷିଣ କୋରିଆର ନାଜରାନି ବିଶ୍ବବିଦ୍ୟାଳୟରେ ୯୦ ଦିନିଆ ଆଡଭାନ୍ସ ତାଲିମ ନେବା ପାଇଁ ସେ ମନୋନୀତ ହୋଇଛନ୍ତି । ଓଡିଶାରୁ ପ୍ରଥମ ଥର ପାଇଁ ଏହେସାସଙ୍କୁ ଏଭଳି ଏକ ତାଲିମ ନେବାର ସୁଯୋଗ ମିଳିଛି । ଏଥିପାଇଁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସହଯୋଗ ମିଳିନି । ନିଜେ ଅର୍ଥ ଯୋଗାଡ କରି ସେ କୋରିଆ ଯାଇଛନ୍ତି । ଏହି ଯୁବ କ୍ରୀଡାବିତ୍‌ଙ୍କୁ ସରକାରଙ୍କ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଆହୁରି ସଫଳତା ହାସଲ କରି ଦେଶକୁ ଗୌରବାନ୍ଵିତ କରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *