ଅନ୍ଧବିଶ୍ୱାସ ନେଇଗଲା ୯ ମାସର ଶିଶୁର ଜୀବନ

ଫୋକସ ପ୍ଲସ(ରାଇଘର) ୩୧/୯/ ୨୦୨୨:ଅନ୍ଧ ବିଶ୍ୱାସ ଯୋଗୁଁ ନଅ ମାସର ଶିଶୁ ପୁତ୍ର ର ମୃତ୍ୟୁ! ପ୍ରଶାସନ ପକ୍ଷରୁ ଚେଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ବିଫଳ! ଚେଙ୍କ ଏକ ଅନ୍ଧ ବିଶ୍ବାସ ବୋଲି ଉପାନ୍ତ ତଥା ଆଦିବାସୀ ବହୁଳ ଗ୍ରାମ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ମଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ଦେଖାଇ ଆସୁଥିବା ବେଳେ କେଉଁଠି ନା କେଉଁଠି ଏହାର ସଠିକ ରୂପାୟନ ହୋଇ ପାରି ନଥିବା ଦେଖା ଦେଇଛି l ଫଳରେ ଏବେ ବି ଏହି ଅନ୍ଧ ବିଶ୍ବାସର ଶିକାର ହୋଇ ପରିବାର ଲୋକେ ଚେଙ୍କ ଦ୍ବାରା ଚିକିତ୍ସା କରିବାକୁ ଯାଇ ନିଜ ନିରୀହ ଶିଶୁକୁ ସବୁଦିନ ପାଇଁ ହରାଇ ବସୁଥିବା ଦେଖିବାକୁ ମିଳୁଛି l ଏଭଳି ଏକ ଅନ୍ଧ ବିଶ୍ବାସର ଶିକାର ହୋଇ ୯ ମାସର ଶିଶୁ ପୁତ୍ର କୁ ହରାଇ ଥିବା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ lସୂଚନା ଅନୁଯାୟୀ ଜଡ଼ାପାରା ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଦିନ ଥଣ୍ଡା ଖାସ ସହିତ ଜ୍ବର ହୋଇଥିଲା | ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ଗତ ମଙ୍ଗଳବାର ଦିନ ସୁକଦେବ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ | କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ | ଫଳରେ ବୁଧବାର ଦିନ ଜୋଡ଼ଯୋଙ୍ଗା ଅଂଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ନିଜ ପୁଅ ରୂପେଶକୁ ଚେଙ୍କ ଦେଇଥିଲେ | ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାକୁ ପହଞ୍ଚି ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ୍ ଡକାଇ ଥିଲେ l ଅପର ପକ୍ଷରେ ଚେଙ୍କ ଯୋଗୁଁ ଋପେଶର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା l ଆମ୍ବୁଲାନସ୍ ପହଞ୍ଚିବା ପରେ ଦିନ ଦ୍ବିପହର ରେ ଆଶାକର୍ମୀଙ୍କ ସହାୟତାରେ ଋପେଶକୁ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା l ସେଠାରେ ଡାକ୍ତର ଋପେଶ କୁ ଭର୍ତ୍ତି କରି ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରହିବ ବୋଲି କହିଥିଲେ l ଅନ୍ୟପଟେ ପରିବାର ଲୋକେ ମେଡିକାଲରେ ଚିକିତ୍ସା କରିବାକୁ ପସନ୍ଦ କରୁ ନଥିବା ବେଳେ ଘରକୁ ଫେରି ଯିବାକୁ ଇଛା କରି ଡାକ୍ତରଙ୍କୁ ରୀଲିଭି କରିଦିଅ ବୋଲି ବାରମ୍ବାର କହିଥିଲେ l ଅନ୍ୟପଟେ ଋପେଶର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ଅଛି ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର ସଫା ସଫା ମନା କରିଥିଲେ | ଗତ ଗୁରୁବାର ଦିନ ସକାଳ ପ୍ରାୟ ୧୦ ଟା ସମୟରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ଋପେଶ କୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇଥିଲେ l ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଜଣାଇଥିଲେ l ଆଶାକର୍ମୀ ସହନ୍ତି ଗଣ୍ଡ ପୁଣି ଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ଋପେଶ କୁ ଘରୋଇ ଚିକିତ୍ସା କରୁଥିଲେ | ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ନ ବୁଝିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ l ଶେଷରେ ଋପେଶର ଆଜି ଭୋର ୪ଟା ସମୟରେ ମୃତ୍ୟୁ ଘଟିଥିଲା l ଚେଙ୍କ ଭଳି ଏକ ଅନ୍ଧ ବିଶ୍ବାସର ଚିକିତ୍ସା ଯୋଗୁଁ ଆଜି ଆଉ ଏକ ନିରୀହ ଶିଶୁର ଜୀବନ ଯାଇଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l ପ୍ରକାଶ ଥାଉକି ଗତ ଏକ ମାସ ପୂର୍ବେ କୁନ୍ଦେଇ ଅଞ୍ଚଳର ଲିଖିମାପାରା ଗ୍ରାମର ୩ ବର୍ଷର ପୁଅର ଚେଙ୍କ ଯୋଗୁଁ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସମ୍ବାଦ ପତ୍ରରେ ପ୍ରକାଶ ପାଇଥିଲା l ଏଭଳି ଘଟଣା ଗୁଡ଼ିକରୁ ଜଣାପଡିଛି ଯେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରଶାସନ ଚେଙ୍କକୁ ନେଇ ସଠିକ ଭାବେ ସଚେତନତା କରାଯାଇ ନାହିଁ l ଫଳ ସ୍ୱରୁପ ଏହି ଚେଙ୍କର ପ୍ରଭାବ ରେ ଗୋଟାଏ ପରେ ଗୋଟାଏ ନିରୀହ ଶିଶୁର ଜୀବନ ଶେଷ ହୋଇ ଯାଉଛି l ପ୍ରକାଶ ଥାଉକି କିଛି ବର୍ଷ ପୂର୍ବେ ତତ୍କାଳୀନ ନବରଙ୍ଗପୁର ଜିଲ୍ଲାପାଳ ରଶ୍ମୀତା ପଣ୍ଡାଙ୍କୁ ରାଜ୍ୟ ସ୍ତରରେ ଚେଙ୍କ ସଚେତନତା କାର୍ଯ୍ୟକ୍ରମ ରେ ସଫଳତା ପାଇଁ ଆୱାର୍ଡ ମିଳିଥିବା ବେଳେ ଅପର ପକ୍ଷରେ ଏହି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏ ଯାଏଁ ଚେଙ୍କ ଦ୍ବାରା ଚିକିତ୍ସା ବ୍ୟବସ୍ଥା ଜାରୀ ରହିବା ସଚେତନତା କାର୍ଯ୍ୟକ୍ରମ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି |

ରାଇଘର ରୁ ସତ୍ୟନାରାୟଣ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *