ଅବନ୍ତି ଦାସ: ଏସ.ଏଚ.ଜି. ସଭାପତିରୁ ବିଧାୟକ ପ୍ରାର୍ଥୀ

ଫୋକସ ପ୍ଲସ(ଧାମନଗର): ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ତଳ କାଁପଡା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଧର୍ମପତ୍ନୀ ଅବନ୍ତି ଦାସ। ପ୍ରଥମରୁ ଜଣେ ଗୃହିଣୀ ଥାଇ ଗାଁର ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ହୋଇଥିଲେ ।ପରେ ନିଜର ଦକ୍ଷତା ବଳରେ ମିଶନ ଶକ୍ତି ସିଆରସିସି ପଦ ପାଇଥିଲେ। ଗତବର୍ଷ ତ୍ରି- ସ୍ତରୀୟ ପଞ୍ଚାୟତ ନିର୍ବାଚନରେ କାଁପଡା ପଞ୍ଚାୟତର ବିଜେଡ଼ି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନି ଭାବେ ବିଜୟୀ ହେଲେ। ପରେ ହରିଜନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ତିହିଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଦଳ ପକ୍ଷରୁ ତାଙ୍କୁ ବିବେଚିତ କରାଯାଇଥିଲା। ଶେଷରେ ସେ ଦଳର ଭରସା ଯୋଗ୍ୟା ପ୍ରାର୍ଥୀନି ଭାବେ ତିହିଡି ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ଧାମନଗର ଉପ ନିର୍ବାଚନ ପାଇଁ ଚାଲିଥିବା ପ୍ରାର୍ଥୀ ଚୟନ ଅଙ୍କକଷାରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମିଶନ ଶକ୍ତି ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବା ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସ ଭାଜନ ହେବା ସହ ସେ ତାଙ୍କ ବିଧାୟକ ପ୍ରାର୍ଥୀତ୍ବରେ ମୋହର ମାରିଥିଲେ।

ବ୍ଲକ ମିଶନ ଶକ୍ତି ଅନ୍ତର୍ଗତ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଅବନ୍ତିଙ୍କ ପ୍ରାର୍ଥୀତ୍ବରେ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଅକୁଣ୍ଠ ସମର୍ଥନ ଦେବା ଏକ ପ୍ରକାର ନିଶ୍ଚିତ ବୋଲି ଦଳ ଆଶା ରଖିଛି। ବହୁ ଭୋଟରେ ଜିତି ଅବନ୍ତି ତାଙ୍କ ଜୀବନ ଚଲାପଥର ଜଣେ ସଫଳ ବାଟୋଇ ସାଜିବା ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ବୋଲି ଧାମନଗର ଉପ ନିର୍ବାଚନ ପାଇଁ ନିୟୋଜିତ ଦଳୀୟ ମନ୍ତ୍ରୀ, ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ , ନେତା, ସଂଗଠକ ଓ ଛାମୁଆଁ କର୍ମୀ ମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *