ଆଇସିସିର ନୂଆ ନିୟମ: ଏଣିକି ଫାଇନ୍‌ ନୁହେଁ, ଲାଗିବ ୫ ରନ୍‌ ପେନାଲ୍ଟି

ବିଶ୍ବକପ୍‌ ସରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ନିୟମରେ କିଛି ପରିବର୍ତ୍ତନ ଆଣିଛି ଆଇସିସି । ନୂଆ ନିୟମ ଅନୁସାରେ କୌଣସି ଟିମ୍ ଗୋଟିଏ ଓଭର ପରେ ପରବର୍ତ୍ତୀ ଓଭର ୬୦ ସେକେଣ୍ଡ ଅର୍ଥାତ ଗୋଟିଏ ମିନିଟ୍‌ ମଧ୍ୟରେ ଆରମ୍ଭ କରିବ । ଲଗାତାର ୩ ଥର ୬୦ ସେକେଣ୍ଡରୁ ଅଧିକ ସମୟ ନେଲେ ଦଳ ଉପରେ ୫ ରନ୍‌ ପେନାଲ୍ଟି ଭାବରେ ଲାଗୁ କରାଯିବ ।

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ ସରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ କିଛି ପରିବର୍ତ୍ତନ ଆଣିଛି ଆଇସିସି । ଏଣିକି ଦିନିକିଆ ଏବଂ ଟି୨୦ କ୍ରିକେଟ୍‌ରେ ପରୀକ୍ଷାମୂଳକ ଭାବେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି । ଯଦିଓ କେବଳ ବୋଲରମାନଙ୍କ ପାଇଁ ଏହି ନୂଆ ନିୟମ ଆସିଛି, ହେଲେ ଏଥିରେ ଖିଲାପ ହେଲେ ଦଳକୁ ଭୋଗିବାକୁ ପଡ଼ିବ ଦଣ୍ଡ । ଏହି ନିୟମକୁ ଆଇସିସି Stop Clock (ଷ୍ଟପ୍‌ କ୍ଲକ୍‌) ଭାବରେ ନାମ ଦେଇଛି । ଆଇସିସିର ଏହି ନିୟମ କୌଣସି ମ୍ୟାଚ୍‌ ଫଳାଫଳ ଉପରେ ମଧ୍ୟ ଖୁବ ପ୍ରଭାବ ପକାଇବ ବୋଲି କୁହାଯାଉଛି । ଜାଣନ୍ତୁ କଣ ଏହି ନୂଆ ନିୟମ ଷ୍ଟପ୍‌ କ୍ଲକ୍‌ । ଆଇସିସି ଆଣିଥିବା ‘ଷ୍ଟପ୍‌ କ୍ଲକ୍‌’ ନିୟମ ଅନୁସାରେ କୌଣସି ଟିମ୍ ଗୋଟିଏ ଓଭର ପରେ ପରବର୍ତ୍ତୀ ଓଭର ୬୦ ସେକେଣ୍ଡ ଅର୍ଥାତ ଗୋଟିଏ ମିନିଟ୍‌ ମଧ୍ୟରେ ଆରମ୍ଭ କରିବ । ଲଗାତାର ୩ ଥର ୬୦ ସେକେଣ୍ଡରୁ ଅଧିକ ସମୟ ନେଲେ ଦଳ ଉପରେ ୫ ରନ୍‌ ପେନାଲ୍ଟି ଭାବରେ ଲାଗୁ କରାଯିବ । ଏହି ନିୟମ ପରୀକ୍ଷାମୂଳକ ଭାବେ ଆସନ୍ତା ଡିସେମ୍ବର ମାସରୁ ଲାଗୁ କରାଯିବାକୁ ଥିବାବେଳେ ଏହା ଆସନ୍ତା ଏପ୍ରିଲ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ରହିବ । ଅହମ୍ମଦାବାଦରେ ଆଇସିସିର ବୈଠକରେ ଏହି ପେନାଲ୍ଟି ନିୟମକୁ ଦିନିକିଆ ଏବଂ ଟି୨୦ ଫର୍ମାଟ୍‌ରେ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଗୋଟିଏ ମ୍ୟାଚରେ କୌଣସି ଦଳକୁ ୨ ଥର ଏଭଳି ଭୁଲ ପାଇଁ ଚେତାବନୀ ଦେବେ ଅନ୍‌ଫିଲ୍ଡ ଅମ୍ପାୟାର । କିନ୍ତୁ ତୃତୀୟ ଥର ପରବର୍ତ୍ତୀ ଓଭର ପାଇଁ ୬୦ ସେକେଣ୍ଡରୁ ଅଧିକ ସମୟ ନେଲେ ବ୍ୟାଟିଂ ଦଳକୁ ଅତିରିକ୍ତ ୫ ରନ୍ ପ୍ରଦାନ କରାଯିବ । ପୂର୍ବରୁ ଧିମା ଓଭର ବୋଲିଂ ପାଇଁ ଦଳ ଉପରେ ଜରିମାନା ଲାଗୁ କରାଯାଉଥିଲା । କିନ୍ତୁ ଏଣିକି ରନ୍ ପେନାଲ୍ଟି ଦଳ ଉପରେ ଖୁବ ଭାରୀ ପଡ଼ିବ । ଏହା ବ୍ୟତୀତ ପିଚ୍‌ ଉପରେ ବ୍ୟାନ୍ ଲଗାଇବା ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛି ଆଇସିସି । ୫ ବର୍ଷରେ କୌଣସି ପିଚ୍‌କୁ ୬ ଡିମେରିଟ୍ ପଏଣ୍ଟ ମିଳିଲେ, ଏହାଠାରୁ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନର ଅଧିକାର ଛଡ଼ାଇ ନିଆଯିବ । ଏହାପୂର୍ବରୁ କେବଳ ୫ଟି ଡେରିମିଟ୍ ପଏଣ୍ଟ ପାଇଁ ପିଚ୍ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଉଥିଲା । ଏହାପୂର୍ବରୁ ୨୦୨୨ରେ ଆଉ ଏକ ନିୟମ ମଧ୍ୟ ଲାଗୁ କରିଥିଲା ଆଇସିସି । ଉଚିତ ସମୟରେ ନିର୍ଦ୍ଧାରିତ ଓଭର ଶେଷ ନହେଲେ ୩୦ ୟାର୍ଡ ସର୍କଲ ଭିତରେ ଅତିରିକ୍ତ ଫିଲ୍ଡରଙ୍କୁ ରଖିବା ନିୟମକୁ ଅନୁମତି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *