ଫୋକସ ପ୍ଲସ(ଭୁବନେଶ୍ୱର)୦୭/୦୯/୨୦୨୨: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୯ ରୁ ୧୦ ତାରିଖ ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ବିସ୍ତୃତି ବଢ଼ିବ । ଏଥିପାଇଁ ଉପକୂଳ ଓଡ଼ିଶାର ୮ ଜିଲ୍ଲା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ଅନ୍ୟପକ୍ଷରେ ଗୋଟିଏ ପଟେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା । ଏବେ ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହିସାର, ଗୋରଖପୁର, ପାଟନା, ଜାମସେଦପୁର, ଦିଘା ଦେଇ ପୂର୍ବ-ପକ୍ଷିଣ-ପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଫଳରେ ବର୍ଷା ପାଇଁ ପାଗ ଅନୁକୁଳ ହୋଇଛି ।
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |