ଆଧୁନିକ ସମାଜରେ ଔଦ୍ଧତ୍ୟ ସୀମା ଲଙ୍ଘି ଗଲାଣି

ଫୋକସ ପ୍ଲସ(ବ୍ୟୁରୋ)୦୬/୦୮/୨୦୨୨ : ସମ୍ପ୍ରତି ଆଜିକାଲି ସମ୍ବାଦ ପତ୍ର ତଥା ବୈଦୁତିକ ମିଡିଆରେ ପ୍ରତିଦିନ ଏକାଧିକ ଅପରାଧ ବିଷୟରେ ଚର୍ଚ୍ଚା ହେଉଛି, ଏହି ଚର୍ଚ୍ଚା ବା ଖବରର ତୃଣମୂଳକୁ ଯଦି ଯାଇ ଅନୁସନ୍ଧାନ କରିବେ ତବେ ଦେଖିବେ ସାମାନ୍ୟ କଥାକୁ ନେଇ ନିଜର ଔଦ୍ଧତ୍ୟ ବଳରେ ବିଷୟଟିକୁ ‘ତିଳରୁ ତାଳ’ କରି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି, ପ୍ରତିକଥାରେ ଆଇନ୍କୁ ସାଧାରଣ ଜନତା ହାତକୁ ନେଇ ନିଜର ପ୍ରତିପତ୍ତି ଜାହିର କରିବାକୁ ଚେଷ୍ଟା କରନ୍ତି I କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସମୟ ସମୟରେ ନିଜର ସର୍ବନାଶ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏଥିରେ ଜଡିତ କରିବାକୁ ପଛାଉ ନାହାନ୍ତି I ଆଧୁନିକ ସମାଜର ଯୁବ ପିଢ଼ି ( ଯୁବକ , ଯୁବତୀ ଉଭୟ ) ଛୋଟ ଛୋଟ କଥାରେ ସ୍ଥାନ, କାଳ , ପାତ୍ର, ଏବଂ ନିଜର ସଂସ୍କାର ଭୁଲି ବୀଚ ରାସ୍ତା ଠାରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନରେ ହାତା ହାତି ହେବା ଏବଂ ଜୋତା ଚପଲରେ ଉଭୟ ଉଭୟଙ୍କୁ ପିଟିବା , ଜିନିଷ ପତ୍ର ନଷ୍ଟ କରିବା ଏକ ସାଧାରଣ ବିଷୟ ଯାହା ପରମୁହୂର୍ତ୍ତରେ ଭାଇରଲ ଭିଡିଓ ହୋଇ ସର୍ବସାଧାରଣରେ ଘୁରିବୁଲେ I ଉଚ୍ଚଶିକ୍ଷିତ, ସେଲିବ୍ରେଟି ,ଉଚ୍ଚ ପଦାଧିକାରୀ ହୋଇମଧ୍ୟ ନିଜର ଔଦ୍ଧତ୍ୟ, ପ୍ରତିପତ୍ତି , କ୍ଷମତାର ଅପବ୍ୟବହାର କିମ୍ବା ଆଇନ ବିଷୟରେ ଧାରଣା ନଥିବା ବ୍ୟକ୍ତି ବିଶେଷ ଏହିପରି କାର୍ଯ୍ୟ କରୁଛନ୍ତି I ପ୍ରତି ଗଳି, କନ୍ଦି, ସାହି ବସ୍ତି , ଗ୍ରାମ , ସହର, ରାସ୍ତା ,ଘାଟ, ଅଫିସ ,କଚେରୀ, ବିଦ୍ୟାଳୟ, ମେଡିକାଲ ଯେଉଁଠି ଦେଖିବେ କେହିନା’ କେହି ଆଇନକୁ ହାତକୁ ନେଇ ଅନ୍ୟର କ୍ଷତି କରୁଛନ୍ତି ବା କଙ୍ଗାରୁ କୋର୍ଟ କରି ତା’ଙ୍କ ନଜରରେ ସାବ୍ୟସ୍ତ ହୋଇଥିବା ଦୋଷୀକୁ ଦଣ୍ଡ ବିଧାନ କରୁଛନ୍ତି, ସେହି କ୍ଷେତ୍ରରେ ସେମାନେ ଭୁଲି ଯାଉଛନ୍ତି କି ସେମାନେ ମଧ୍ୟ ଆଇନର ପରିଧି ମଧ୍ୟରେ ଅଛନ୍ତି ଏବଂ ଅନ୍ୟାୟ ଭାବେ ଆଇନ୍କୁ ହାତକୁ ନେଇ ଘଟାଉଥିବା ଅପରାଧ ପାଇଁ ଦଣ୍ଡିତ ହେବାର ପ୍ରାବଧାନ ମଧ୍ୟ ଆଇନରେ ଅଛି I ଆରକ୍ଷୀ ବିଭାଗ ବା ପୋଲିସ ପାଖକୁ କେଶଟି ଆସିବାବେଳକୁ ସର୍ବସାଧାରଣ ପ୍ରାୟ ଅର୍ଦ୍ଧାଧିକ ବେଆଇନ କାର୍ଯ୍ୟାନୁଷ୍ଠାନ ନେଇସାରଥାନ୍ତି , ବେଳେବେଳେ ପୋଲିସ ପହଁଚିଲା ବେଳକୁ ବ୍ୟକ୍ତିଟି ଆରପାରିକୁ ଚାଲିଯାଇଥାଏ I ଏହା କ’ଣ ମାନବିକତା ? ଆମେ ଯଦି ସବୁ କଥା ବୁଝିବା ତେବେ ଆଇନ କାହିଁକି ଅଛି? ବିଭିନ୍ନ ବିଭାଗ କାହିଁକି ଅଛନ୍ତି?ନ୍ୟାୟାଳୟ କାହିଁକି ଅଛି? କିଏ ଛୋଟ ଚୋରି କଲା, କିଏ କମେନ୍ଟ ମାରିଲା, କିଏ ଗାଡି ସାଇଡ ଦେଲାନାହିଁ , କିଏ ଭୁଲ ଜାଗାରେ ଗାଡି ରଖିଦେଲା , ଡାକ୍ତର ଖାନରେ ଗୁଣ୍ଡା ଗର୍ଦ୍ଦି , ଜାତୀୟ ସମ୍ପତ୍ତି ନଷ୍ଟ , ରେଳଗାଡ଼ି ପୋଡି ଏହିପରି ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ , ଏହା ଆଜିକାଲି ସମାଜର ଔଦ୍ଧତ୍ୟ ନା ଆଉକିଛି ?

ସମାଜରେ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ପୃଥିବୀର ପ୍ରତିଟି ଦେଶରେ ନିଜସ୍ୱ “ଆଇନ” ବ୍ୟବସ୍ଥା ଅଛି। ଦେଶର ସମ୍ବିଧାନରେ ଏହା ପଞ୍ଜିକୃତ ଥାଏ। କିଛି ଦେଶରେ ଲିଖିତ ସମ୍ବିଧାନ ଥିବାବେଳେ କିଛି ଦେଶର ଅଲିଖିତ ସମ୍ବିଧାନ ଅଛି। ସମ୍ବିଧାନ ସଂଶୋଧନର ବ୍ୟବସ୍ଥା ମଧ୍ୟ ଲୋକପ୍ରତିନିଧିଙ୍କ ଦ୍ଵାରା ସମ୍ଭବ। ସ୍କୁଲରେ ପଢ଼ାଯାଉଥିବା “ସାମାଜିକ ବିଜ୍ଞାନ” ବିଷୟରେ ଛାତ୍ର ଛାତ୍ରୀଙ୍କୁ ଆଇନ କିଛି ଧାରଣା ଦିଆ ଯାଇଥାଏ, କିନ୍ତୁ “ଆଇନ” ବିଷୟ ଯଦି ଅଷ୍ଟମ ଶ୍ରେଣୀର ସିଲIବସରୁ ଆରମ୍ଭ କରାଯାଇ ପାରନ୍ତା ତେବେ ଆମ ପିଲାମାନେ ଆଇନ ବିଷୟରେ ସଚେତନ ହେବା ସହିତ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇପରନ୍ତେ। ଭାରତୀୟ ଦଣ୍ଡ ସଂହିତାର ଦୈନଦିନ କାର୍ଯ୍ୟରେ ଲାଗୁଥିବା କିଛି ଧାରା ଜାଣିବା ଦ୍ୱାରା କିଶୋର ଓ କୋମଳମତି ବାଳକ ବାଳିକାଙ୍କ ଜୀବନରେ ଆଇନ ପ୍ରତି ସମ୍ମାନ ଆସିବା ସହିତ କିଛିମାତ୍ରାରେ ଅପରାଧ ବି କମିଯିବ। ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଇନ ପାଠ୍ୟକ୍ରମ ଆମ ଶିକ୍ଷିତ ସମାଜକୁ ଅପରାଧ ଠାରୁ ନିଶ୍ଚିତ ଦୁରେଇ ରଖିବ। କୋମଳମତି ଛାତ୍ର ଛାତ୍ରୀ ମାନେ ଆଇନ ଏବଂ ଦଣ୍ଡ ବ୍ୟବସ୍ଥା ବିଷୟରେ ଜାଣିବା ଭବିଷ୍ୟତ ପାଇଁ ଶୁଭଙ୍କର। ଆଇନର ପରିଧି ଭିତରେ ରହି ନିଜକୁ ସୁରକ୍ଷିତ ରଖିବା ସହିତ ସମାଜର ସୁରକ୍ଷାକୁ ବି ନଜର ଦେବା ଆମ ମାନଙ୍କ କର୍ତ୍ତବ୍ୟ, ପିଲାଟି ପ୍ରଥମେ ନିଜ ଘରୁ, ତାହା ପରେ ବିଦ୍ୟାଳୟ ଓ ପରେ ସମାଜରୁ ନିଜ ଦେଶର ଆଇନ କାନୁନ ବିଷୟରେ ଜାଣିଥାଏ I ଅଧା ବା କିଂଚିତ ଜ୍ଞାନ ତା’କୁ ଆଇନ ବିଷୟରେ ସଚେତନ କରିବାରେ ଏତେଟା ସହାୟକ ହୁଏ ନାହିଁ I ସ୍କୁଲ ଶିକ୍ଷାରେ ସ୍ୱତନ୍ତ୍ର ଭାବେ ଆଇନ ବିଷୟକୁ ଯଦି ସାମିଲ କରାଯାଇ ପାରନ୍ତା ଏବଂ ଏହାର ଦୁରୁପଯୋଗ କଲେ କି, କି ଶାସ୍ତି ନ୍ୟାୟାଳୟ ଦେବେ ତାହା ମଧ୍ୟ ଶିକ୍ଷା ଦିଆ ହୁଅନ୍ତା, ତେବେ ପିଲାଳିଆମୀ ବା ଜୋଶ ଦେଖାଇ ଯୁବକ ଯୁବତୀ ମାନେ ଧର୍ତ୍ତବ୍ୟ ଅପରାଧ କରିବାକୁ ଟିକେ କୁଣ୍ଠାବୋଧ କରନ୍ତେ I ଏଠି ପରିବାରର ମଧ୍ୟ ଅନେକ ଦାୟିତ୍ୱ ଅଛି , ସେମାନେ ବି ଆଇନକୁ ସମ୍ମାନ ଦେଇ ଶିଖିବା ଉଚିତ ଆଉ ନିଜ ସନ୍ତାନ ମାନଙ୍କୁ ବୁଝାଇବା ଉଚିତ I କିନ୍ତୁ ଆଜିକାଲି ଆଇନକୁ ସମ୍ମାନ ଦେବା ଲୋକ ଖୁବ ବିରଳ , ସମସ୍ତେ ନିଜର ବାହୁବଳ, ଚୌକି ବଳ, ସରକାରୀ ବଳରେ ବଳିୟାନ, ଦୁଃଖ କେବଳ ନିରୀହ ବ୍ୟକ୍ତି ଭୋଗ କରେ , ଏହି ଅଧୋପତ୍ତନ ପାଇଁ କିଏ ଦାୟୀ ??

ଏବେବି ସମୟ ଅଛି ଅପରାଧର ମୁଳୋତ୍ପାଟନ ନ’ ହେଲେ ବି ଅନେକାଂଶରେ ଜନ ସଚେତନତା , ଶିକ୍ଷା ଓ ପ୍ରଚାର ପ୍ରସାର ଦ୍ୱାରା କମାଇଦେବା ସମ୍ଭବ ହୋଇପାରେ I ବିଭିନ୍ନ ଛକ ଜାଗା ଗୁଡିକରେ ବଡ଼ ବିଜ୍ଞାପନ ବୋର୍ଡ ନ ‘ ଲଗାଇ ନୀତିଦିନ ଜନତାଙ୍କ ଦ୍ୱାରା ଉଲଂଘନ ହେଉଥିବା ଆଇନର ଧାରା ଏବଂ ଧର୍ତ୍ତବ୍ୟ ଅପରରାଧ ବିଷୟରେ ସମ୍ୟକ ଧାରଣା ଦିଆଯାଇ ପାରନ୍ତା I ଔଷଧ ନ’ ଦେଇ ରୋଗ କିପରି ନ’ ହେବ ସେଇ ଉପାୟ କରିବା ବରଂ ଭଲ I ତୃଣମୂଳ ସ୍ଥରରୁ ଶୃଙ୍ଖଳା, ସୁଶିକ୍ଷା ହିଁ ଆମକୁ ସଚେତନ କରିବ I ସେଇ ବ୍ରିଟିଶ ଯୁଗରୁ ଚାଲିଆସିଥିବା ନିୟମ ଆଉ ପଦ୍ଧତ୍ତିକୁ ବଦଳାଇବାର ସମୟ ଉପସ୍ଥିତ , ଆଜିର ସମାଜ ଆଉ ସମୟ ସହିତ ତାଳ ଦେଇ ଦେଶର ଆଗାମୀ ପିଢ଼ିର ନାଗରିକ ମାନଙ୍କୁ ଆମେ ପୃଥିବୀର ଅନ୍ୟ ବିକଶିତ ରାଷ୍ଟ୍ରର ନାଗରିକ ମାନଙ୍କ ସହିତ ସମକକ୍ଷ କରିବା ଉଚିତ I ଦେଶର ଆଇନକୁ ସମ୍ମାନ ଦେଇ ଶୃଙ୍ଖଳିତ ସମାଜ ଆଉ ଶାନ୍ତିରେ ସହାବସ୍ଥାନ ଆମର କାମ୍ୟ I ଗୁଣି, ଜ୍ଞାନୀ, ଏବଂ ସମାଜକୁ ନେତୃତ୍ୱ ଦେଉଥିବା ନେତା , ମନ୍ତ୍ର୍ରୀ ସମସ୍ତଙ୍କ ସହଯୋଗ ଦ୍ୱାରା ସମାଜରେ ଏକ ପରିବର୍ତ୍ତନ ଭାରତବର୍ଷକୁ ସାରା ବିଶ୍ୱରେ ନିଜର ଗୌରବ ଗାରିମା ବଜାୟ ରଖିବାକୁ ସକ୍ଷମ କରାଇ ପାରିବ I ଅସମ୍ଭବକୁ ସମ୍ଭବ କରିବା ପାଇଁ ଦୃଢ ମନୋବଳ ଆଉ ଇଛା ଶକ୍ତିର ଆବଶ୍ୟକତା ଅଛି, ଛାତିକୁ ପଥର କରି ଅପରାଧକୁ ଦୃଢ ହସ୍ତରେ ଦମନ ତଥା ସମ୍ବିଧାନକୁ ସମ୍ମାନ ଦେବା ପାଇଁ ଅନେକ କିଛି କାର୍ଯ୍ୟ ଜନତାଙ୍କ ସହଯୋଗରେ ସରକାରଙ୍କ ଦ୍ୱାରା ସମ୍ଭବ ହୋଇପାରିବ I ଆସନ୍ତୁ ଆମେ ଭାରତବର୍ଷକୁ ପୃଥିବୀର ଶ୍ରେଷ୍ଠ ଶୃଙ୍ଖଳିତ ରାଷ୍ଟ୍ର ଭାବେ ପରିଚୟ ଦେବା I

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *