ଫୋକସ ପ୍ଲସ (କଟକ ) ୦୮/୦୭/୨୦୨୨: ସରକାର ମାଳମାଳ ଯୋଜନା କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜନା ଗୁଡିକ ପ୍ରକୃତ ପକ୍ଷେ ସଫଳ ହେଉଛି କି ନାହିଁ ସେନେଇ ତଦାରଖ କରୁନି ପ୍ରଶାସନ। ଯାହାଫଳରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା। ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମୂତାରିଫା ପଞ୍ଚାୟତ ଭଇରପୁର ଗ୍ରାମର ବୃଦ୍ଧ ଦମ୍ପତି ରବିନାରାୟଣ ପଣ୍ଡା ଓ ତାଙ୍କ ବିକଳାଙ୍ଗ ପତ୍ନୀ ଉର୍ମିଳାଙ୍କ ପରିବାରରେ। ଯୋଗ୍ୟ ହିତାଧିକାରୀ ହୋଇ ବି କାହିଁକି ତାଙ୍କ ନାମ ତାଲିକାରୁ ବାଦ ପଡୁଛି। ୨୦୧୯ ମସିହା ଫନି ବାତ୍ୟାରେ ଚାଳ ଛପର ଘର କାନ୍ଥ ଭାଙ୍ଗି ପଡିବାରୁ ଅତି ଦୟନୀୟ ଅବସ୍ଥାରେ ପଲିଥିନ ତଳେ ଦିନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି। ଆବାସ ଖଣ୍ଡିଏ ପାଇବାକୁ ଲୋକ ପ୍ରତିନିଧିଙ୍କ ଠାରୁ ସରକାରୀ ବାବୁଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ ବି ସେମାନଙ୍କ ସମସ୍ୟା କେହି ଶୁଣୁ ନାହାଁନ୍ତି। ବାତ୍ୟା ସୂଚନା ପାଇଲେ ଭୟରେ ପଡୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି।ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଥିବା ଏହି ଭଙ୍ଗାଘରେ ଲଗାଣ ବର୍ଷା ହେଲେ ପାଣି ଲହଡି ମାରୁଛି। ସରକାରୀ ଯୋଜନା ବାବଦରେ ଅନ୍ତୋର୍ଦୟ କାର୍ଡରେ ଚାଉଳ ଓ ଭତ୍ତା କାର୍ଡ ତାଙ୍କୁ ମିଳିଛି। ରୋଜଗାର କହିଲେ ରବିନାରାୟଣ ପୂଜା କର୍ମ କରି ଯାହା ୫୦- ୧୦୦ ଟଙ୍କା ପାଆନ୍ତି,ସେଥିରେ ଦୁଃଖେକଷ୍ଟେ ପରିବାର ଚଳିଯାଏ। ଏତିକି ରୋଜଗାରରେ ଭଙ୍ଗାଘରକୁ ମରାମତି କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି। ତାଙ୍କର ସାହା ହେବାକୁ ପୁଅଟିଏ ବି ନାହିଁ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଭଳି ଯୋଜନା କାହାପାଇଁ ? ଦେଖିବାକୁ ବାକି ରହିଲା,ପ୍ରଶାସନ କେବେ ଏହି ବୃଦ୍ଧ ଦମ୍ପତିଙ୍କ ସମସ୍ୟା ଦୂର କରି ଆବାସ ଘର ଖଣ୍ଡିଏ ଯୋଗାଉଛି।
ଜଗତପୁର ରୁ ପୁର୍ଣଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ ଫୋକସ ପ୍ଲସ |