ଆର ପାରିରେ ପିଣ୍ଟୁ ନନ୍ଦ

ଫୋକସ ପ୍ଲସ 2/3/23(ହାଇଦ୍ରାବାଦ):ଆଉ ନାହାନ୍ତି ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ପ୍ରଥମେ ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ପିଣ୍ଟୁ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବାର ଥିଲା । ଏହା ବ୍ୟୟବହୁଳ ଅପରେସନ ଥିବାରୁ ତାଙ୍କର ସହାୟତା ପାଇଁ ଓଲିଉଡ କଳାକାର, ପ୍ରଶଂସକ ଓ ସାଧାରଣ ଜନତା ଆଗେଇ ଆସିଥିଲେ।

୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ପିଣ୍ଟୁ ନନ୍ଦ। ଆଲବମ୍ ଓ ଟେଲିଫିଲ୍ମରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ୧୮ ବର୍ଷ ବୟସ ହୋଇଥିବା ବେଳେ ୧୯୯୬ର ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି –‘ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ଓ ରୁମ୍‌କୁ ଝୁମା(୨୦୧୩), ରଙ୍ଗ୍ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬) ଇତ୍ୟାଦି । ପିଣ୍ଟୁ ନନ୍ଦ କେତେବେଳେ ନାୟକର ସାଥୀ ତ, କେତେବେଳେ ଖଳନାୟକ ଓ ଆଉ କେତେବେଳେ କମେଡିଆନ୍ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ସେ ଆଲବମ୍ ଏ ଗଉରାରୁ ଲୋକଲୋଚନକୁ ଆସିଥିଲେ । ତାଙ୍କ ବିୟୋଗରେ ଶୋକରେ ବୁଡିଯାଇଛି ଓଲିଉଡ। ସିନେପ୍ରେମୀ ଓ ପ୍ରଶଂସକ ସ୍ତବ୍ଧ । ଏତେ ଅଳ୍ପ ବୟସରେ ପିଣ୍ଟୁ ଯେ ଚାଲିଯିବେ, ତାହା ହୁଏତ କେହି ଭାବି ନଥିଲେ ।

Leave a Reply

Your email address will not be published. Required fields are marked *