ଉଦଘାଟନ ପୂର୍ବରୁ ବିବାଦରେ ପୋଲିସ ସହାୟତା କେନ୍ଦ୍ର

ଫୋକସ ପ୍ଲସ (କୋଦଳା)୦୯/୦୭/୨୦୨୨: ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ଥରେ ପୋଲିସ ସହାୟତା କେନ୍ଦ୍ର ତିଆରି ହେଲା।ଉକ୍ତ ଗୃହ ବାବଦରେ ବିଲ୍ ପାସ୍ ହୋଇନଥିବା ବେଳେ ଏହାକୁ ହସ୍ତାନ୍ତର କରାଗଲା।ତରବରିଆ ଭାବେ ଉଦଘାଟନ କରାଯିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଗଲା। ତେବେ ଆଶ୍ଚର୍ଯ୍ୟର କଥା ଉଦଘାଟନ ଫଳକରେ ଏନଏସି ଅଧ୍ୟକ୍ଷ କିମ୍ବା ସ୍ଥାନୀୟ କାଉନସିଲର ଙ୍କ ନାମ ଲେଖାଗଲା ନାହିଁ। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଏଭଳି ଏକ ବିବାଦୀୟ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ କୋଦଳା ଏନଏସି ରେ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା। କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଦାୟିତ୍ବରେ ଥିବା ସ୍ଥାନୀୟ ତହସିଲଦାର ଏଭଳି ହୀନ କାର୍ଯ୍ୟରେ ଲିପ୍ତ ଥିବା ସେ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ କୋଦଳା ଏନଏସି ରେ ବିଜେପିର ଅଧ୍ଯକ୍ଷ ରହିଥିବା ବେଳେ ସର୍ବାଧିକ କାଉନସିଲର ମଧ୍ୟ ବିଜେପିରୁ ନିର୍ବାଚିତ ହୋଇଛନ୍ତି। ତେବେ ନିର୍ବାଚିତ ହେବା ପର ଠାରୁ ଏହି ଏନଏସି ରେ ପ୍ରଶାସନିକ ଅଧିକାରୀ ମାନେ ଅଦୃଶ୍ୟ ଚାପରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଣଦେଖା କରିବା ସହ ଅସହଯୋଗ କରୁଥିବା ଅଭିଯୋଗ କରିଛନ୍ତି ଅଧ୍ଯକ୍ଷଙ୍କ ସମେତ ବହୁ କାଉନସିଲର ।ଆଗାମୀ ୧୨ ତାରିଖରେ କୋଦଳା ପୋଲିସ ସହାୟତା କେନ୍ଦ୍ର ଗୃହକୁ ଉଦଘାଟନ କରାଯିବା ପାଇଁ ପ୍ରଶାସନିକ କ୍ଷେତ୍ରରେ ଉଦ୍ଯମ ଚାଲିଛି। ତେବେ ଏହା ପୂର୍ବରୁ ଏବେ ଫଳକକୁ ନେଇ ଦେଖା ଦେଇଛି ବିବାଦ। ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିର୍ଦ୍ଦେଶକ, ବ୍ରହ୍ମପୁର, ଏହାକୁ ଉଦ୍ ଘାଟନ କରିବେ ବୋଲି ଫଳକରେ ଲେଖା ଯାଇଛି। ମୁଖ୍ୟ ଅତିଥି ଭାବେ ସାଂସଦ, ସ୍ଥାନୀୟ ବିଧାୟିକାଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏସ୍ ପି ବ୍ରିଜେଶ କୁମାର ରାୟ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, କୋଦଳା ତହସିଲଦାର ତଥା ଏନଏସି ନିର୍ବାହୀ ଅଧିକାରୀ ସସ୍ମିତା ଶତପଥୀ ଓ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନାମ ଉକ୍ତ ଫଳକରେ ଉଲ୍ଲେଖ କରାଯାଇଛି। ତେବେ ଏନେଇ କୌଣସି ସୂଚନା ଏନଏସି ଅଧ୍ୟକ୍ଷ କିମ୍ବା କୌଣସି କାଉନସିଲର କୁ ଦିଆଯାଇନି ଏବଂ ସେମାନଙ୍କ ନାମ ମଧ୍ୟ ଉଦଘାଟନ ଫଳକରେ ଲେଖା ଯାଇନି ।ଏନ୍ଏସି ର ପ୍ରତି କାର୍ଯ୍ୟରେ ଅଧ୍ଯକ୍ଷଙ୍କ ନାମ ରହିବାକୁ ବାଧ୍ୟ, କିନ୍ତୁ ପ୍ରଶାସନର ଦଲାଲଗିରି ମନୋବୃତ୍ତି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଶ୍ରୀଯୁକ୍ତ ପ୍ରମୋଦ ପଣ୍ଡା ।ତୁରନ୍ତ ଉକ୍ତ ଫଳକରେ ଅଧ୍ଯକ୍ଷ ଏବଂ ସ୍ଥାନୀୟ କାଉନସିଲରଙ୍କ ନାମ ଲେଖାଯିବା ସହ ଉଦଘାଟନ କାର୍ଯ୍ୟକ୍ରମରେ ଏନଏସି ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ୍ କରା ନଗଲେ ଉଦଘାଟନ ଦିନ ହିଁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ।ତେବେ ଏନେଇ କୋଦଳା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣୀଙ୍କୁ ଫୋନେ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *