ଓଡ଼ିଶାର ୫କିମି ଭିତରକୁ ପସିଲା ଛତିଶଗଡ଼

ଫୋକସ ପ୍ଲସ(ମାଲକାନଗିରି): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ଗ୍ରାମ ପଂଚାୟତ କମାରପାଲି ଗ୍ରାମକୁ କବ୍ଜା କରିଛି ଛତିଶଗଡ଼।କମାରପାଲି ଗାଁ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲକୁ ଅକ୍ତିଆର କରିଛି ଛତିଶଗଡ। ଛତିଶଗଡ଼ ରାଜ୍ୟର ଚିନ୍ତଲନାଡ ଗ୍ରାମରେ ସରକାରୀ ଅଧିକାରୀ ମାନେ ଜଙ୍ଗଲ ଜମି ଅଧିକାର ପାଇଁ ସୀମା ନିର୍ଦ୍ଧାରଣ କରୁଥିବା ଆଳରେ ପାଖାପାଖି ୫ କିଲୋମିଟର ଓଡ଼ିଶାର ସୀମା ଭିତରେ ପସି ସୀମା ନିର୍ଦ୍ଧାରଣ କରୁଥିବା ବେଳେ କମାରପାଲିର କେତେକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।ଏହା ସହିତ ତତକ୍ଷଣାତ୍ ମାଥିଲି ବିଡ଼ିଓ , ବନ ବିଭାଗ ଓ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ଏହାପରେ ମାଥିଲି ବିଡ଼ିଓ ହୃଷିକେଶ ଗଣ୍ଡଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଚନ୍ଦନ କୁମାର ଭୋଇ ଏବଂ ସାଲିମି ବନପାଳ ଶିବଜିତ ମଣ୍ଡଳ ଘଟଣା ସ୍ଥଳରେ ପହଁଚି ଘଟଣାର ସଂଜ୍ଞାନ ନେଇଥିଲେ।

ଛତିଶଗଡ଼ର ଚିନ୍ତଲନାଡ ଓ ଓଡ଼ିଶାର କମାରପାଲି ଗ୍ରାମବାସୀଙ୍କ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ପଡୋଶୀ ରାଜ୍ୟର ମନମୁଖୀ ଅନୁପ୍ରବେଶକୁ ରୋକି ପାରିବେ ନାହିଁ ଓଡ଼ିଶାର ଅଧିକାରୀ। ଶେଷରେ ନିରାଶ ହୋଇ ଫେରିଆସିଲେ ଓଡ଼ିଶାର ଅଧିକାରୀ ବୋଲି ଅଭିଯୋଗ ହୋଉଥିବା ବେଳେ କିନ୍ତୁ କମାରପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡିଶା ଅଧିକାରୀ ମାନଙ୍କ ନେତୃତ୍ୱରେ ଏକ ଶାନ୍ତି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛତିଶଗଡ଼ର ରାଜସ୍ବ ଅଧିକାରୀ ତହସିଲଦାର ଓ ଚିନ୍ତଲନାଡ ଗ୍ରାମବାସୀ ,ସରପଞ୍ଚ ,ବନପାଳ ,ଫରେଷ୍ଟ ଗାର୍ଡଙ୍କ ଉପସ୍ଥିତରେ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ଛତିଶଗଡ଼ର ଅଧିକାରୀ ମାନେ ନିଜର ଭୁଲ ସ୍ୱୀକାର କରି ଲିଖିତ ଭାବେ ଓଡ଼ିଶାର ଅଧିକାରୀ ମାନଙ୍କୁ ଦେଇଥିଲେ।

ଭବିଷ୍ୟତରେ ଏଭଳି କିଛି ସୀମା ବିବାଦ ଘଟଣା ହେବନାହିଁ ଯଦି ଏମିତି ପରିସ୍ଥିତି ଆସେ ତେବେ ଉଭୟ ପକ୍ଷରୁ ଅଧିକାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସମାଧାନ କରାଯିବ ବୋଲି ଚିନ୍ତଲନାଡ ଗ୍ରାମବାସୀ ଓ ଅଧିକାରୀ ମାନେ ଲିଖିତ ଆକାରରେ ଦେଇଛନ୍ତି।ଉକ୍ତ ସ୍ବୀକାରୋକ୍ତିରେ ମୋଟ ତିନୋଟି ବିନ୍ଦୁ ଉଲ୍ଲେଖ ରହିଛି। ପ୍ରଥମଟି ହେଲା ଆମେ ଛତିଶଗଡ଼ ରାଜ୍ୟର ଚିନ୍ତଲନାଡ ଗ୍ରାମବାସୀ ସୀମା ନିର୍ଦ୍ଧାରଣ କରୁଥିବା ବେଳେ ଓଡିଶାର କମାରପାଲି ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଭୁଲରେ ଅନୁପ୍ରବେଶ କରିଥିଲୁ। ଦ୍ବିତୀୟ ଟି ହେଲା ଯଦି ଭବିଷ୍ୟତରେ ଏଠାରେ କିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ କରାଯାଏ ତେବେ ଉଭୟ ରାଜ୍ୟର ଅଧିକାରୀ ଓ ଗ୍ରାମବାସୀଙ୍କୁ ସୂଚନା ଦେବା ସହ ସେମାନଙ୍କ ଉପସ୍ଥିତିରେ କରାଯିବ। ତୃତୀୟ ଟି ହେଉଛି ଛତିଶଗଡ଼ର ଅଧିକାରୀ ମାନେ ଚିନ୍ତଲନାଡ ଗ୍ରାମବାସୀଙ୍କୁ ନେଇ ଏକ ଗ୍ରାମସଭା କରାଇ ଆଗାମୀ ଏଭଳି ଭୁଲ ନ କରିବା ପାଇଁ ସଚେତନ କରାଇବାର ଉଲ୍ଲେଖ ରହିଛି ବୋଲି ମାଥିଲି ତହସିଲଦାର ଚନ୍ଦନ କୁମାର ଭୋଇ ସୂଚନା ଦେଇଛନ୍ତି।ସେ ଯାହା ଅନେକ ବାଦବିବାଦ ପରେ ଉଭୟ ରାଜ୍ୟର ସୀମା ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନେକ ସୀମାନ୍ତ ଅଞ୍ଚଳରେ ଛତିଶଗଡ଼ର ସୀମାରେ ଏବେ ମଧ୍ୟ କେତେକ ପଥର ଖୁଣ୍ଟ ରହିଥିବା ଅଭିଯୋଗ ଆସୁଛି।କିନ୍ତୁ ବର୍ଷ ବର୍ଷ ଧରି ଓଡିଶା କିମ୍ବା ଛତିଶଗଡ଼ ସରକାର ଲାଇନ ସଫା କରିନଥିବା ବେଳେ ପଥର ଡିମାର୍କେସନ ଗୁଡିକ ମରାମତି କରୁନଥିବାରୁ ଏହି ଲାଇନ ଜଙ୍ଗଲ ସଦୃଶ ରହିଛି।

ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *