ଫୋକସ ପ୍ଲସ ବ୍ୟୁର :ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ – କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଧ୍ୱନିରେ ‘ବମ’ ଶବ୍ଦର ପ୍ରକୃତ ଅର୍ଥ କଣ ? ଆସନ୍ତୁ ଏ ସମ୍ପର୍କରେ ସମ୍ୟକ ରୂପେ ଆଲୋଚନା କରିବା ।
ଏହି ‘ବମ’ ଶବ୍ଦର ଅର୍ଥ ନିରୂପଣ କରିବାକୁ ଗଲେ କେତୋଟି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ ସେଗୁଡିକ ନିମ୍ନରେ ପ୍ରଦତ୍ତ ।
୧) ‘ବମ’ ଶବ୍ଦର ଏକ ଅର୍ଥ ହେଲା ଡ଼ମରୁର ଧ୍ୱନି । ଭଗବାନ ଶିବ ତାଙ୍କ ହସ୍ତରେ ଡ଼ମରୁ ଧାରଣ କରିଥାନ୍ତି ଓ ଏହି ଡ଼ମରୁ ବାଦନ ଫଳରେ ‘ବମ’ ‘ବମ’ ଧ୍ବନି ଉତ୍ପନ୍ନ ହୋଇଥାଏ । ଏହି ଧ୍ୱନି ଶିଵଙ୍କର ଅତି ପ୍ରିୟ । ତେଣୁ କାଉଡ଼ିଆମାନେ ଜଳାଭିଷେକ ନିମନ୍ତେ ଯାତ୍ରା କରୁଥିବା ସମୟରେ ଏହି ‘ବମ’ ଶବ୍ଦ ଉଚ୍ଚାରଣ କରିଥାନ୍ତି (ବୋଲ ବମ, ହର ହର ବମ/ବମ ବମ ଭୋଲେ ଇତ୍ୟାଦି) । ଏହି ‘ବମ’ ଶବ୍ଦର କ୍ରମାଗତ ଉଚ୍ଚାରଣକୁ ‘ମୁଖବାଦ୍ୟ‘ କୁହାଯାଏ । ଅନ୍ୟ ଦେବତା ମାନେ ବିବିଧ ପ୍ରକାରର ବାଦ୍ୟଯନ୍ତ୍ରର ବାଦନ ଦ୍ୱାରା ପ୍ରସନ୍ନ ହେଉଥିବା ସମୟରେ ଭଗବାନ ଶିବ ଅଳ୍ପରେ କେବଳ ‘ମୁଖବାଦ୍ୟ’ ଦ୍ୱାରା ହିଁ ପ୍ରସନ୍ନ ହୋଇଥାନ୍ତି । ତେଣୁ କାଉଡ଼ିଆମାନେ ଜଳାଭିଷେକ ଯାତ୍ରା ସମୟରେ ଶିବଙ୍କୁ ପ୍ରସନ୍ନ କରିବା ନିମିତ୍ତ ଏହି ‘ବମ’ ଶବ୍ଦର କ୍ରମାଗତ ଉଚ୍ଚାରଣ କରିଥାନ୍ତି ।
୨) ଓଁ କାର ବା ‘ପ୍ରଣବ’ ର ଏକ ସରଳ ରୂପ ହେଉଛି ‘ବମ’ । ଯେହେତୁ ‘ପ୍ରଣବ’ ର ଉଚ୍ଚାରଣ ସମସ୍ତଙ୍କ ପାଇଁ ସୁଲଭ ହୋଇ ନଥାଏ ତଥା ଏହାର ଉଚ୍ଚାରଣ ନିମନ୍ତେ ନିୟମ ପାଳନର ଆବଶ୍ୟକତା ରହିଛି, ତେଣୁ ଏହାକୁ ସରଳରେ ଓ ସୁଲଭରେ ଉଚ୍ଚାରଣ କରିବା ଓ ଲାଭବାନ ହେବା ନିମିତ୍ତ ‘ବମ’ ଶବ୍ଦର ପ୍ରୟୋଗ କରାଯାଇଅଛି । ତେଣୁ “ବୋଲ ବମ, ହର ହର ବମ/ବମ ବମ ଭୋଲେ” ଇତ୍ୟାଦି ଉଚ୍ଚାରଣ ମାନ ହେଉଛନ୍ତି “ଓଁ ନମଃ ଶିବାୟ” ବା ଶିବଙ୍କର ଅତି ପ୍ରିୟ ପଞ୍ଚାକ୍ଷର ମନ୍ତ୍ରର ଏକ ପ୍ରକାର ସରଳୀକୃତ ରୂପ ।
୩) ‘ବମ’ ହେଉଛି ଆମ ଶରୀରରେ ଥିବା ଷଡ଼ ଚକ୍ର ମଧ୍ୟରୁ ଅନ୍ୟତମ ‘ସ୍ୱାଧିଷ୍ଠାନ ଚକ୍ର’ ର ବୀଜ ମନ୍ତ୍ର । ମୂଳାଧାର, ସ୍ୱାଧିଷ୍ଠାନ ଆଦି ଷଡ଼ ଚକ୍ର ଆମର ସୂକ୍ଷ୍ମ ଶରୀରରେ ଅବସ୍ଥିତ ଯେଉଁମାନେ କି ଆମ ଆଭ୍ୟନ୍ତର ଶରୀରରେ ଥିବା ନାଡୀ ମାନଙ୍କରେ ବାୟୁର ତୀବ୍ର ଗତି ଫଳରେ ଉତ୍ପନ୍ନ ହୋଇଥାନ୍ତି । ସବୁଠାରୁ ନିଚ୍ଚରେ ଅବସ୍ଥିତ ଥିବା ମୂଳାଧାର ଚକ୍ରରେ ସର୍ପାକୃତି ‘କୁଣ୍ଡଳିନୀ’ ଶକ୍ତି ସୁପ୍ତ ଅବସ୍ଥାରେ କୁଣ୍ଡଳାକାରରେ ସ୍ଥିତ । ଏହା ଯେତେବେଳେ ବିବିଧ ଆଧ୍ୟାତ୍ମିକ କ୍ରିୟା ମାନଙ୍କ ଦ୍ଵାରା ଜାଗ୍ରତ ହୁଏ, ତାହା ଉର୍ଦ୍ଧ୍ବଗାମୀ ହୋଇ ପ୍ରଥମେ ସ୍ୱାଧିଷ୍ଠାନ ଓ ପରେ ଅନ୍ୟ ଚକ୍ର ମାନ ଦେଇ ଶେଷରେ ଆଜ୍ଞା ଚକ୍ର ଓ ତଦ୍ ଉର୍ଦ୍ଧ୍ବ ସହସ୍ରାର ଚକ୍ରରେ ପହଞ୍ଚି ସାଧକକୁ ସମାଧି ଅବସ୍ଥାକୁ ନେଇ ଦିବ୍ୟାନନ୍ଦ ପ୍ରଦାନ କରିଥାଏ ଓ ଅତ୍ମୋପଲବ୍ଧିରେ ସାହାଯ୍ୟ କରିଥାଏ ଯାହାକି ଯୋଗ ଶାସ୍ତ୍ରର ଚରମ ଲକ୍ଷ୍ୟ ।
ତେଣୁ ଏ ପ୍ରସଙ୍ଗରେ ଯଦି ସାଧକର ‘କୁଣ୍ଡଳିନୀ’ ଶକ୍ତି ପୂର୍ବରୁ ଜାଗ୍ରତ ହୋଇଥାଏ, ତେବେ ‘ସ୍ୱାଧିଷ୍ଠାନ ଚକ୍ର’ ର ବୀଜ ମନ୍ତ୍ର ‘ବମ’ ର ଉଚ୍ଚାରଣ ସ୍ୱାଧିଷ୍ଠାନ ଚକ୍ରକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ ଓ ‘କୁଣ୍ଡଳିନୀ’ ଶକ୍ତିକୁ ଉର୍ଦ୍ଧ୍ବଗାମୀ କରାଇ ଏହାର ପରବର୍ତ୍ତୀ ଲକ୍ଷସ୍ଥଳୀ ମାନଙ୍କରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ପୁନଶ୍ଚ ଏହି ସ୍ୱାଧିଷ୍ଠାନ ଚକ୍ରର ରଙ୍ଗ ହେଉଛି ଗେରୁଆ ଓ ତତ୍ତ୍ୱ ହେଉଛି ଜଳ । ତେଣୁ ପ୍ରତୀକାତ୍ମକ ଭାବେ ହୁଏତ କାଉଡ଼ିଆମାନେ ଗେରୁଆ ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି ଓ ସ୍କନ୍ଦରେ ଜଳ ବହନ କରିଥାନ୍ତି । ଏବଂ ଭଗବାନ ଶିବ ହେଉଛନ୍ତି ସ୍ୱୟଂ ଆଦି ଯୋଗଗୁରୁ ଓ ସେ ଜଳାଭିଷେକ ଦ୍ୱାରା ସହଜରେ ପ୍ରସନ୍ନ ହୋଇଥାନ୍ତି । ତେଣୁ ତାଙ୍କୁ ଜଳାଭିଷେକ କରି ପ୍ରସନ୍ନ କରିପାରିଲେ ହୁଏତ ଏହା ସାଧକର କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରାଇବାରେ ସହାୟକ ହୋଇଥାଇପାରେ ଯେଉଁଥିପାଇଁ କି ଏପ୍ରକାର ଜଳାଭିଷେକ ପଦଯାତ୍ରା । ପଦଯାତ୍ରା ର ଆଉ ଏକ ଉଦ୍ଦେଶ୍ୟ ହୋଇଥାଇପାରେ ସାଧକକୁ ପୃଥିବୀ ତତ୍ତ୍ୱ ସହିତ ଯୋଡି ମୂଳାଧାର ଚକ୍ର କୁ ସକ୍ରିୟ କରିବା (ପୃଥିବୀ ତତ୍ତ୍ୱ ହେଉଛି ମୂଳାଧାର ଚକ୍ରର ତତ୍ତ୍ୱ) ଯାହାଦ୍ୱାରା କି କୁଣ୍ଡଳିନୀ ଶକ୍ତି ଉର୍ଦ୍ଧ୍ବ ଗାମୀ ହୋଇପାରିବ ।
ସଂକ୍ଷେପରେ ଏହି ସିଦ୍ଧାନ୍ତ ଗୁଡିକ ହୁଏତ କାରଣ ହୋଇଥାଇପାରେ କାଉଡ଼ିଆମାନଙ୍କର ‘ବମ’ ଶବ୍ଦର ଉଚ୍ଚାରଣ ପଛରେ । ତେବେ ଉପରୋକ୍ତ ସିଦ୍ଧାନ୍ତ ଗୁଡିକ ବ୍ୟତୀତ ଅନ୍ୟ କିଛି ସିଦ୍ଧାନ୍ତ ମଧ୍ୟ ଥାଇପାରେ ଏ ଦିଗରେ ଯାହା ହୁଏତ ଆମ ମାନଙ୍କୁ ଅଜଣା । କାରଣ ଯାହା ହେଉନା କାହିଁକି କେଉଁ ଆବହମାନ କାଳରୁ ଚାଲିଆସୁଥିବା ଏହି ମହାନ ଜଳାଭିଷେକ ଯାତ୍ରା ଅଳ୍ପ ସମୟ ପାଇଁ ହେଉନା କାହିଁକି ସାଧକ ମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ (କିଛି ବ୍ୟତିକ୍ରମ ନିଶାଖୋର ଗୋଷ୍ଠୀଙ୍କୁ ବାଦ ଦେଇ) । ସେଦିଗରୁ ଏହି ଯାତ୍ରାର ଆମ ପାଇଁ ଯଥେଷ୍ଟ ମହତ୍ତ୍ୱ ରହିଛି ।