କାନ୍ଦୁଛି ଦିବ୍ୟାଙ୍ଗ କାନନ, ନିରବ ପ୍ରଶାସନ

ଫୋକସ ପ୍ଲସ (ନାଉଗାଁ)୨୨/୦୭/୨୦୨୨: ସରକାରଙ୍କ ମାଳମାଳ ଯୋଜନା ପାଇଁ ବିଭିନ୍ନ ସ୍ତରରେ ପ୍ରଚାର ଚାଲୁଥିବା ବେଳେ ଏକ ନମ୍ବର ସରକାର କହି ଡିଣ୍ଡିମ ପିଟା ଚାଲିଛି । ବିଭିନ୍ନ ସ୍ତରର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ନାଉଗାଁ ବ୍ଲକରେ ତାହା ବୋଧ ହୁଏ ଫାଇଲ ଭିତରେ ବନ୍ଧା ପଡିଛି । ଅଯୋଗ୍ୟ ହିତାଧିକାରୀ ପକ୍କା ଘର ସାଙ୍ଗକୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାର ଦେଖିବାକୁ ମିଳୁଥିବା ବେଳେ ଉକ୍ତ ବ୍ଲକରେ ଦିବ୍ୟ।ଙ୍ଗ ବିଭିନ୍ନ ସୁବିଧାରୁ ବାଦ ପଡୁଥିବାର ନଜରକୁ ଆସିଛି । ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନଉଗାଁ ବ୍ଲକ ଶିଖର ପଞ୍ଚାୟତର ମଠକୁଳ ଗ୍ରାମରେ ।

ଚାଳ ଫୁଟି ପାଣି ଗଳୁଛି । ମାଟି ଚୁଲି ଭାସି ଗଲାଣି ପ୍ରାୟ । ଦୁଆର ବନ୍ଧରେ ଝୁଲୁଚି ଖଣ୍ଡେ ଚିରା ପଲିଥିନ । ଦି ‘ ଖଣ୍ଡ ଚେପା ବାସନ ସାଙ୍ଗକୁ ଦୁଇଜଣ ଛୁଆଙ୍କୁ ଧରି ପରିତ୍ୟକ୍ତ କୁଡିଆରେ ରୁହନ୍ତି କାନନ ଜେନା (୩୫) । ଦୀର୍ଘ ତିନି ବର୍ଷ ହେବ ସ୍ଵାମୀ ଗଣେଶ ଜେନା କୁଆଡେ ତାଙ୍କୁ ଛାଡି ଚାଲିଯାଇଛନ୍ତି । ଦିନ ମଜୁରିଆ ଭାବରେ କାମନକଲେ ତିନି ପ୍ରାଣୀ ଚଳିବା କଷ୍ଟକର । ଏପଟେ ଗୋଟିଏ ଗୋଡ ଅଚଳ ସଦୃଶ ହୋଇଥିବାରୁ ଠିକ ଭାବରେ ଚଲାବୁଲା କରିବା ଦୂର କଥା ଠିକ ଭାବରେ ବସିବାକୁ ଅସମର୍ଥ ବୋଲି କୁହନ୍ତି କାନନ । ଦୀର୍ଘଦିନ ପୂର୍ବେ ନଉଗାଁରେ ହୋଇଥିବା ଭିନ୍ନକ୍ଷମ ଶିବିରରେ ପଞ୍ଜୀକରଣ କରିବା ପରେ ୨୦୧୯ ମସିହାରେ ୩୦% ବିଶିଷ୍ଟ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଛନ୍ତି କାନନ । ସରକାରୀ ମାନଦଣ୍ଡ ଅନୁସାରେ ୫୦% ଦିବ୍ୟାଙ୍ଗ ପ୍ରମାଣପତ୍ର ଅଭାବରୁ ସେ ବିଭିନ୍ନ ସରକାରୀ ଯୋଜନରୁ ବଞ୍ଚିତ ଅଛନ୍ତି । ଏମିତିକି ମୌଳିକ ସୁବିଧା ହିସାବରେ ଖଣ୍ଡେ ବିଜୁ ପକ୍କା ଘର ମଧ୍ୟ ସେ ଆଜି ପର୍ଯ୍ୟନ୍ତ ପାଇ ପାରିନାହାନ୍ତି । ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ବିଭିନ୍ନ ବିଷଧର ସରୀସୃପଙ୍କ ସହ ଏହିଭଳି ପରିତ୍ୟକ୍ତ ଘରେ ସେ ବାଧ୍ୟ ହୋଇ ୨ ଛୁଆଙ୍କୁ ଧରି ରହିବେ ବୋଲି ଦୁଖର ସହ ପ୍ରକାଶ କରିଛନ୍ତି । ତାଙ୍କର ଦିବ୍ୟାଙ୍ଗ ପ୍ରମାଣ ପତ୍ରକୁ ନାଉଗାଁ ପ୍ରଶାସନ ଆଉଥରେ ବିଚାରକୁ ନେଇ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସାରା ରାଜ୍ୟରେ ଦିବ୍ୟଙ୍ଗଙ୍କୁ ଉଚିତ ନ୍ୟାୟ ମିଳୁଥିବା ବେଳେ ନାଉଗାଁ ବ୍ଲକ ପ୍ରଶାସନ କେତେଦୂର ଦିବ୍ୟାଙ୍ଗ କାନନ ଙ୍କୁ ସହଯୋଗ କରୁଛି ଦେଖିବାକୁ ବାକି ରହିଲା ।

ନାଉଗାଁରୁ ମାନସ କୁମାର ସ୍ବାଇଁ, ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *