କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ ଅନୁଷ୍ଠିତ

ଫୋକସ ପ୍ଲସ(ମାହାଙ୍ଗା)୧/୦୭/ ୨୦୨୨:ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ (୧୦ମ ଶ୍ରେଣୀ) ପରୀକ୍ଷାରେ ମାହାଙ୍ଗା ତଥା ନିଶ୍ଚିନ୍ତ କୋଇଲି ମଣ୍ଡଳ ସ୍ତରରେ ଯଥାକ୍ରମେ ଶ୍ରେଷ୍ଠ ୧୦ ଜଣ ଙ୍କ ମଧ୍ୟରେ ସ୍ଥାନିତ ମୋଟ୍ ୨୫ ଜଣ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଉପଢୌକନ, ପ୍ରଶଂସା ପତ୍ର ଏବଂ ପ୍ରୋତ୍ସାହନ ବୃତ୍ତି ଅର୍ଥରାଶି ପ୍ରଦାନ ପୂର୍ବକ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଛି ” ଶରତ କର ଓ ଅନିମା କର ଫାଉଣ୍ଡେସନ” । ଏହି ଉପଲକ୍ଷେ ରବିବାର ପୂର୍ବାହ୍ନ ରେ ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମ ସ୍ଥିତ ଶଶିପ୍ରଭା ଶେବିକା ତାଲିମ୍ କେନ୍ଦ୍ର ପରିସର ରେ ଏକ ଭବ୍ୟ କୃତୀ ଅର୍ଚ୍ଚନା ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର ଆୟୁକ୍ତ ଶ୍ରୀ ଶୋଭନ କର ପୌରହିତ୍ୟ କରି ସମବେତ ବିଦ୍ୟାର୍ଥୀ ତଥା ଜନସାଧାରଣ ଙ୍କୁ ନିଜ ମାଆ, ମାଟି ଓ ମାତୃଭାଷା କୁ ଭଲପାଇବାକୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ପ୍ରାରମ୍ଭିକ ଭାଷଣରେ କୃତୀ ବିଦ୍ୟାର୍ଥୀ ମାନେ ଖାଲି ଆଞ୍ଚଳିକ ସ୍ତରରେ ନୁହେଁ ବରଂ ସମଗ୍ର ରାଜ୍ୟ ତଥା ଦେଶରେ ନିଜ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ରାଜ୍ୟ ସରକାର ଙ୍କ ପୂର୍ବତନ ବରିଷ୍ଠ ପ୍ରଶାସକ ଶ୍ରୀ ଅଶୋକ କୁମାର ଦାଶ ଆମ ଦେଶର ଭବିଷ୍ୟତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସବୁ ଦିଗରୁ ପ୍ରୋତ୍ସାହନ ଦେବା ଏକ ସାମାଜିକ ଦାୟିତ୍ଵ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ମହର୍ଷି ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀ ସୁମନ କର ଏବଂ ଶଶି ପ୍ରଭା ନର୍ସିଂ ସ୍କୁଲ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବସନ୍ତ କୁମାର ପଣ୍ଡା ଉଦ୍ ବୋଧନ ଦେଇ ବିଦ୍ୟାର୍ଥୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଚଳିତ ବର୍ଷ ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ମାହାଙ୍ଗା ମଣ୍ଡଳ ସ୍ତରରେ କୁଣ୍ଡୀ ପଂଚାୟତ ହାଇ ସ୍କୁଲ ଛାତ୍ର ଆକାଶ ସାହୁ ଏବଂ ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରରେ ଚନ୍ଦ୍ରଶେଖର ହାଇ ସ୍କୁଲ ଛାତ୍ରୀ ଶୁଭଶ୍ରୀ ଭୂୟାଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାର ସୁଚନା ଦିଆଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ ସ୍ୱର୍ଗୀୟ ଜନନେତା ତଥା ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ପ୍ରତିଛବି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ରାମ ଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ ।

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *