କେପଟାଉନ୍‌ରେ ମୂଳପୋଛ ଆଶଙ୍କା: ଆଜି ତୃତୀୟ ଦିନିକିଆ, ସଂରକ୍ଷିତ ଖେଳାଳିଙ୍କୁ ମିଳିପାରେ ସୁଯୋଗ

କେପଟାଉନ୍‌: ପାର୍ଲରେ ଖେଳାଯାଇଥିବା ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍‌କୁ ହାରିବା ପରେ କେପଟାଉନ୍‌ରେ ଭାରତୀୟ କ୍ରିକେଟ୍ ଦଳ ଲଜ୍ଜାଜନକ ଭାବେ ମୂଳପୋଛ ହେବା ଦ୍ବାର ଦେଶରେ ରହିଛି। ‌ଟେଷ୍ଟ୍ ଶୃଙ୍ଖଳାକୁ ୧-୨ରେ ହାରିବା ପରେ ଟିମ୍ ଇଣ୍ଡିଆ ଦିନିକିଆ ଶୃଙ୍ଖଳା ଜିତି ଏହାର ମଧୁର ପ୍ରତିଶୋଧ ନେବ ବୋଲି ଆଶା କରାଯାଉଥିଲା। ହେଲେ ଫର୍ମାଟ୍‌ ବଦଳିଥିଲେ ମଧ୍ୟ ଦଳର ଭାଗ୍ୟ ବଦଳି ନଥିଲା। ଦିନିକିଆ ଶୃଙ୍ଖଳାକୁ ୨-୦ରେ ହାରି ସାରିଥିବା ଭାରତ ପାଇଁ କେପଟାଉନ୍‌ରେ ସାନ୍ତ୍ବନା ଓ ସମ୍ମାନ ସାଉଣ୍ଟିବାର ବି ସୁଯୋଗ ରହିଛି। ତେବେ ସବୁକିଛି ମଧ୍ୟକ୍ରମ ବ୍ୟାଟର୍‌ ଏବଂ ଓପ୍‌ନିଂ ବୋଲରଙ୍କ ଉପରେ ନିର୍ଭରଶୀଳ ରହିବ। ଦ୍ରୁତ ବୋଲରମାନେ ପାଳି ଆରମ୍ଭରୁ ୱିକେଟ୍ ବାହାର ନକଲେ କିମ୍ବା ମଝି ଓଭରଗୁଡ଼ିକରେ ସ୍ପିନର ଦକ୍ଷିଣ ଆଫ୍ରିକାକୁ ଅଡ଼ୁଆରେ ନପକାଇଲେ ଭାରତ ଆଉ ଏକ ପରାଜୟ ବରଣ କରିବାର ଆଶଙ୍କା ଅଧିକ। ଏହା ହେଲେ ଢେର କିଛି ଦିନ ପରେ କୌଣସି ସୀମିତ ଓଭର ଦ୍ବିପାକ୍ଷିକ ଶୃଙ୍ଖଳାର ସବୁମ୍ୟାଚ୍ ହାରିବ ଭାରତ। ବିଜୟୀ ହେଲେ କିନ୍ତୁ ସମ୍ମାନର ସହ ଗସ୍ତ ଶେଷ କରିବ।

ଶୃଙ୍ଖଳା ନିର୍ଣ୍ଣାୟକ ଦ୍ବିତୀୟ ଦିନିକିଆରେ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତାଙ୍କ ସହ ଅନ୍ୟ ବୋଲରମା‌ନେ ମଧ୍ୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର୍‌ଙ୍କୁ ଆଦୌ ଅସୁବିଧାରେ ପକାଇ ପାରିନଥିଲେ। ବ୍ୟାଟିଂରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଖାତା ଖୋଲି ପାରି ନଥିଲେ। ଅଲରାଉଣ୍ଡର ଭାବେ ଖେଳୁଥିବା ଭେଙ୍କଟେଶ ଆୟର ମଧ୍ୟ ଲଗାତାର ଦ୍ବିତୀୟ ମ୍ୟାଚ୍ ପାଇଁ ପ୍ରଭାବହୀନ ରହିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ବାଦ ଦେଇ ଦଳୀୟ ଅଧିକାରୀମାନେ ଭେଙ୍କଟେଶଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ହେଲେ ସେ ସେମିତି କିଛି ଖାସ୍ ଖେଳିପାରିନଥିଲେ।

ଶୃଙ୍ଖଳା ହାରି ସାରିଥିବାରୁ ଭାରତୀୟ କ୍ରିକେଟ୍ ଦଳ ଯଶ୍‌ପ୍ରୀତ ବୁମ୍‌ରା କିମ୍ବା ଶାର୍ଦୁଳ ଠାକୁରଙ୍କୁ ବିଶ୍ରାମ ଦେଇପାରେ। ଏହା ହେଲେ ଦୀପକ ଚହର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରନ୍ତି। ସୂର୍ଯ୍ୟକୁମାର ଯାଦବ ଓ ଋତୁରାଜ ଗାଏକ୍ବାଡଙ୍କୁ ଖେଳାଇବାର ବିକଳ୍ପ ମଧ୍ୟ ଭାରତ ହାତରେ ରହିବ। ଅନ୍ୟପକ୍ଷରେ ଭେଙ୍କଟେଶ ଆୟର କିଛି ଅଧିକ ଓଭର ବୋଲିଂ କରିପାରନ୍ତି। ଶୁକ୍ରବାରର ଦ୍ବିତୀୟ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକା ମାର୍କୋ ଜାନସେନଙ୍କ ସ୍ଥାନରେ ସିସାନ୍ଦା ମଙ୍ଗଳାଙ୍କୁ ଖେଳାଇଥିଲା। ରବିବାର ଲୁଙ୍ଗି ଏନଗିଡ଼ିଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେବା କଥା ଚିନ୍ତା କରିପାରେ।

Leave a Reply

Your email address will not be published. Required fields are marked *