କେମିତି ହେଲା ସମ୍ବର ମୃତ୍ୟୁ ?

ଫୋକସ ପ୍ଲସ 25/11/22 ( ଉଦଳା):ଅଭୟାରଣ୍ୟରୁ ଖସି ଆସି ଜନବସତିରେ ପଶିଥିଲା ସମ୍ବର । ଗ୍ରାମବାସୀମାନେ ସମ୍ବରକୁ ବାନ୍ଧି ରଖିଥିବା ବେଳେ ଘଟଣାସ୍ଥଳରେ ପହଚିଂଥିଲା ବନବିଭାଗ । ସମ୍ବରକୁ ଜୀବିତ ଅବସ୍ଥାରେ ସେଠାରୁ ଉଦ୍ଧାର କରି ଆଣିଥିବା ସମ୍ବରକୁ ବଂଚାଇପାରିଲା ନାହିଁ ବନବିଭାଗ । ଆଜି ମଧ୍ୟାହ୍ନ ସମୟରେ ଉଦଳା ବନାଂଚଳ ଅଧିନ କହ୍ନେଇବନ୍ଧ ଗ୍ରାମ ଭିତରକୁ ଏକ ସମ୍ବର ପଶି ଆସିଥିଲା । ସମ୍ବରକୁ ଦେଖି ଲୋକେ ଏକତ୍ରିତ ହେବା ସହିତ ସମ୍ବରକୁ ବାନ୍ଧି ରଖିଥିଲେ । ଖବର ପାଇ ଉଦଳା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସମ୍ବରକୁ ଉଦ୍ଧାର କରି ଶିମିଳିପାଳରେ ଛାଡିବା ନିମନ୍ତେ ବାହାରିଥିଲେ । ହେଲେ ସମ୍ବରଟିର ରାସ୍ତାରେ ମୃତ୍ୟୁ ହୋଇଥିଲା । ଯାହାଫଳରେ ମୃତ ସମ୍ବରକୁ ନେଇ ଉଦଳା ବନ ବିଭାଗର କର୍ମଚାରୀ ଉଦଳା ପଶୁ ଡାକ୍ତରଖାନାକୁ ଅଣାଯାଇଛି । ସେଠାରେ ତାହାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି । ତେବେ ସମ୍ବରଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବନବିଭାଗ କହି ନିଜ ଉପରୁ ଦୋଷ ଖସାଇ ଦେଉଥିବା ବେଳେ ଉଦ୍ଧାର ହୋଇଥିବା ଜୀବିତ ସମ୍ବରଟି ବନବିଭାଗ ହେପାଜତରେ ଆସୁଥିବା ବେଳେ ତାହାର ମୃତ୍ୟୁ ହୋଇଥିବା ଜଣାଯାଇଛି । ଉଦ୍ଧାର ସମ୍ବରର ଓଜନ ଦେଢ କୁଇଂଟାଲ ପାଖାପାଖି ହୋଇଥିବା ବେଳେ ତାହାର ବୟସ ୬ ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସବୁଠାରୁ ବଡ କଥା ଶିମିଳିପାଳରୁ ଏହି ସମ୍ବର ଖସି ଆସିଥିବା ବେଳେ ତାକୁ ବଂଚାଇବାରେ ବନବିଭାଗ ବିଫଳ ହେଲା କେମିତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ?

Leave a Reply

Your email address will not be published. Required fields are marked *