ଫୋକସ ବ୍ୟୁର :କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ସଦନରେ କେରଳର ୱାୟନାଡ ଠାରେ ଘଟିଥିବା ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଭୟ ଗୃହରେ ୱାୟନାଡର ଦୁଃଖଦ ଘଟଣା ଉପରେ ବକ୍ତବ୍ୟ ରଖି ଶ୍ରୀ ଅମିତ ଶାହ ସମସ୍ତ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ନରେନ୍ଦ୍ର ମୋଦୀ ସରକାର କେରଳବାସୀ ଓ କେରଳ ସରକାରଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଶ୍ରୀ ଶାହ କହିଥିଲେ ଯେ ମୋଦୀ ସରକାର ୱାୟନାଡରେ ଉଦ୍ଧାର, ରିଲିଫ ଏବଂ ଥଇଥାନ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ବିପର୍ଯ୍ୟୟ ପ୍ରତି ଭାରତର ଏକ ଉଦ୍ଧାର – କେନ୍ଦ୍ରିତ ଆଭିମୁଖ୍ୟ ଥିଲା, କିନ୍ତୁ ୨୦୧୪ ପରେ ମୋଦୀ ସରକାର ଶୂନ୍ୟ କ୍ଷୟକ୍ଷତି ଆଭିମୁଖ୍ୟ ନେଇ ଆଗେଇ ଚାଲିଛନ୍ତି । କେନ୍ଦ୍ର ପକ୍ଷରୁ ପଠା ଯାଇଥିବା ସୂଚନା ଅନୁଯାୟୀ ଲୋକଙ୍କୁ ଠିକ୍ ସମୟରେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ଶ୍ରୀ ଶାହ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ଭାରତ ସରକାର ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାରର ଉଦ୍ୟମ କରିବାକୁ ଛାଡ଼ି ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜେ କାର୍ଯ୍ୟର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ୱାୟନାଡରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ କ୍ରମାଗତ ଭାବେ ସଦ୍ୟତମ ସୂଚନା ନେଉଛନ୍ତି ।
ଏହା ପୂର୍ବରୁ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ବିପର୍ଯ୍ୟୟର ସାତ ଦିନ ପୂର୍ବରୁ ଜୁଲାଇ ୨୩ରେ କେନ୍ଦ୍ର ସରକାର କେରଳ ସରକାରଙ୍କୁ ଆଗୁଆ ଚେତାବନୀ ଦେଇଥିଲେ ଏବଂ ଏହା ପରେ ୨୦୨୪ ଜୁଲାଇ ୨୪ ଓ ୨୫ରେ ଆଗୁଆ ଚେତାବନୀ ମଧ୍ୟ ଦିଆଯାଇଥିଲା । ଜୁଲାଇ ୨୬ରେ କେରଳ ସରକାରଙ୍କୁ କୁହା ଯାଇଥିଲା ଯେ ୨୦ ସେଣ୍ଟିମିଟରରୁ ଅଧିକ ପ୍ରବଳ ବର୍ଷା ହେବ ଏବଂ ଭୂସ୍ଖଳନ ଯୋଗୁଁ ଧନ ଜୀବନ ହାନି ହେବାର ସମ୍ଭାବନା ରହିଛି । ସେ କହିଥିଲେ ଯେ ଯଦି ଅଭିଯୋଗ କରୁଥିବା ବ୍ୟକ୍ତିମାନେ ପ୍ରାରମ୍ଭିକ ଚେତାବନୀ ସମ୍ପର୍କରେ ଜାଣିଥାନ୍ତେ, ତେବେ ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ।