ଫୋକସ ପ୍ଲସ 13/12/2022(ବ୍ୟୁରୋ ): କଫିର ସ୍ୱାଦ ଚାଖିବାକୁ କିଏ ବା ନ ଚାହେଁ।ଆଜିର ଯୁବପିଢିଙ୍କ ମଧ୍ୟରେ କଫି ଏକ ଭିନ୍ନ ପରିଚୟ ପାଇଛି।ଯୁବପିଢିଙ୍କ ସମେତ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କଫି ପିଇବାକୁ ପସନ୍ଦ କରୁଛନ୍ତି।ତେବେ ଦର୍ଶକବନ୍ଧୁ କୋରାପୁଟର କଫିକୁ ଏବେ ସ୍ୱତନ୍ତ୍ର ଜିଆଇ ମାନ୍ୟତା ମିଳିବାକୁ ଯାଉଛି।ଏବଂ ଏଥିପାଇଁ ବିଭିନ୍ନ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି।ପର୍ଯ୍ୟଟନ ବିଭାଗର ଉଦ୍ୟମରେ କୋରାପୁଟ କଫି ଦେଶବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି।ବାହାର ରାଜ୍ୟର ପର୍ଯ୍ୟଟକମାନେ ଓଡିଶା ଆସିଲେ ଥରୁଟିଏ କୋରାପୁଟ କଫିର ସ୍ୱାଦ ଚାଖିବାକୁ ଚାଂହୁଁଛନ୍ତି।ତେବେ କଫିର ଲୋକପ୍ରିୟତାକୁ ଅଧିକ ପ୍ରଚାର ପ୍ରସାର କରେଇବା ପାଈଁ ପ୍ରୟାସ କରୁଛି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ।ଜିଆଇ ମାନ୍ୟତା ପାଇଁ ଆବେଦନ ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ କୋରାପୁଟ କଫିର ସ୍ୱତନ୍ତ୍ରତା ସମ୍ପର୍କିତ ଦସ୍ତାବିଜକୁ ଏକାଠି କରାଯାଉଛି।ତେବେ ଏହି ଦସ୍ତାବୀଜରେ କୋରାପୁଟ କଫିର ଇତିହାସ ,ଗୁଣବତ୍ତା, ପ୍ରକ୍ରିୟାକରଣ ସମ୍ଵଧିୟ ସମସ୍ତ ତଥ୍ୟ ସାମିଲ ରହିବ। କଫି ବୋର୍ଡ ଅଫ ଇଣ୍ଡିଆକୁ ଆର୍କ୍ୟୁ ଭ୍ୟାଲିରେ ଉତ୍ପାଦିତ କଫି ପାଇଁ 2019 ମାର୍ଚ୍ଚ 1 ରେ ଜିଆଇ ଟ୍ୟାଗ ମିଳିସାରିଛି । କୋରାପୁଟରେ ଉତ୍ପାଦିତ କଫି ଆନ୍ଧ୍ରପ୍ରଦେଶର ଆର୍କ୍ୟୁ କଫି ତାଲିକାରେ ସାମିଲ ହୋଇ ଜିଆଇ ମାନ୍ୟତା ପାଇଛି।କିନ୍ତୁ ସ୍ୱତନ୍ତ୍ର ଭାବେ କୋରାପୁଟ କଫିକୁ ଜିଆଇ ମାନ୍ୟତା ମିଳିପାରିନାହିଁ।ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ଚାହିଦାକୁ ଦେଖି ଜିଆଇ ଟ୍ୟାଗ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି।ଅନ୍ୟପକ୍ଷରେ କଫି ବୋର୍ଡ ଅଫ ଇଣ୍ଡିଆ ଯୁକ୍ତି ଦର୍ଶାଇଛି ଯେ ଆରକ୍ୟୁ ଭ୍ୟାଲିରେ ସମୁଦ୍ର ସ୍ତରର ୩ ରୁ ୫ ହଜାର ଫୁଟ ଉପରେ ଥିବା ମାଟିରେ କଫି ଉତ୍ପାଦନ ହେଉଛି।ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଏଭଳି ଉତ୍ପାଦନ ହେଉଥିବାବେଳେ ଉଭୟ ସ୍ଥାନରେ ଜଳବାୟୁ ମଧ୍ୟ ସମାନ ରହୁଛି।ସେହିଭଳି କୋରାପୁଟ ସମେତ କନ୍ଧମାଳ, ରାୟଗଡା,କେନ୍ଦୁଝର, ଗଜପତି ଓ କଳାହାଣ୍ଡିରେ ମଧ୍ୟ ସମାନ କଫି ଉତ୍ପାଦନ ହେଉଛି ।ତେଣୁ କୋରାପୁଟ କଫିକୁ ସ୍ୱତନ୍ତ୍ର ମାନ୍ୟତା ପାଇଁ ବିଚାର କରିବା ବେଳେ ପ୍ରଥମେ କୋରାପୁଟ କଫିର ସ୍ୱତନ୍ତ୍ରତା ଥିବା ଉପସ୍ଥାପିତ କରିବାକୁ ପଡିବ।ଏବଂ କୋରପୁଟ କଫି ଜିଆଇ ଇଣ୍ଡିକେଶନ ମଧ୍ୟରେ ସାମିଲ ଥିବା ବୋର୍ଡ କହିଛି।ଅନ୍ୟପଟେ ନିଗମ ପକ୍ଷରୁ କୋରାପୁଟ କଫିକୁ ସ୍ୱତନ୍ତ୍ର ମାନ୍ୟତା ଦାବି ଉପସ୍ଥାପିତ କରାଯାଇଥିବାବେଳେ କଫିର ସ୍ୱତନ୍ତ୍ରତା ସମ୍ପର୍କିତ ସୂଚନା ଏକାଠି କରିବାରେ ଲାଗିଛି ନିଗମ।ତେବେ ଜିଆଇ ରେଜିଷ୍ଟ୍ରି ସମ୍ମୁଖରେ କୋରାପୁଟ କଫିର ସ୍ବତନ୍ତ୍ରତାକୁ ଉଲ୍ଲେଖ କରାଯିବ।ଏବଂ କୋରପୁଟ କଫିକୁ ସ୍ୱତନ୍ତ୍ର ଜିଆଇ ଟ୍ୟାଗ ପ୍ରଦାନ କରାଯିବ ବୋଲି ଜଣାପଡିଛି।