ଖାନଦାନୀ ଧନୀ ଧିରଜ ସାହୁ, ସ୍ଥାନୀୟ ଲୋକେ ତାଙ୍କ ବାସଭବନକୁ କହନ୍ତି ‘ହ୍ୱାଇଟ୍ ହାଉସ୍’, ୧୯୪୭ ମସିହାରେ ଦେଶକୁ ନଗଦ୪୭ ଲକ୍ଷ ଓ ୪୭ କେଜି ସୁନା ଦାନ କରିଥିଲେ ପରିବାର

କଂଗ୍ରେସର ଝାଡ଼ଖଣ୍ଡ ଲୋହରଦଗାରୁ ରାଜ୍ୟସଭା ସାଂସଦ ଧିରଜ ପ୍ରସାଦ ସାହୁ ଆଜିକାଲି ଖୁବ୍ ଚର୍ଚ୍ଚାରେ। ୬୪ ବର୍ଷିୟ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ ଓଡ଼ିଶା ଓ ଝାଡଖଣ୍ଡରେ ଥିବା ଦେଶୀ ମଦ କାରବାରର ବିଭିନ୍ନ ପରିସର ଉପରେ ଆୟକର ବିଭାଗ ଚଢଉରେ ବିପୁଳ ନଗଦ ଜବତ ହୋଇଛି। ଅନେକ ପରିସରରେ ଏବେବି ଚଢଉ ଜାରି ରହିଛି, ଏପର୍ଯ୍ୟନ୍ତ ତାଙ୍କର ବିଭିନ୍ନ ଠିକଣାରୁ ୩୦୦ କୋଟି ଟଙ୍କାରୁ ଅଧିକ ନଗଦ ମିଳିଳାଣି।

ଜବତ ଟଙ୍କାର ଗଣତି ଏବେବି ଜାରି ରହିଛି।

ଆୟକର ବିଭାଗ ପକ୍ଷରୁ ସାରା ଦେଶରେ ଏପର୍ଯ୍ୟନ୍ତ ହୋଇଥିବା ଚଢଉରେ ଜବତ ଧନଠାରୁ ଏହା ଢେର ଅଧିକ। ଏସବୁ ମଧ୍ୟରେ ଧିରଜ ସାହୁ ଏବେ ତାଙ୍କ ସମ୍ପତ୍ତିକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଧିରଜ ସାହୁଙ୍କ ପରିବାର ଗତ ଅନେକ ପିଢୀରୁ ଧନୀ ଓ ତାଙ୍କ ପାରିବାରିକ ସ୍ଥିତି ଅନ୍ୟ ରାଜନେତାଙ୍କ ତୁଳନାରେ ବେଶ୍ ପ୍ରତିଷ୍ଠିତ। ତେବେ ଆସନ୍ତୁ ଜାଣିବା ଧିରଜ ସାହୁଙ୍କ ପାରିବାରିକ ସ୍ଥିତି ଓ ମୋଟ ସମ୍ପତ୍ତି ସମ୍ପର୍କରେ।

 ଝାଡଖଣ୍ଡ ରାଞ୍ଚୀର ବାସିନ୍ଦା ଧିରଜ ସାହୁ ରାଜା ନୁହନ୍ତି, ହେଲେ ତାଙ୍କ ପରିବାର ଦେଶର କୌଣସି ରାଜ ପରିବାରଠାରୁ ମଧ୍ୟ କମ୍‌ ନୁହନ୍ତି। ତାଙ୍କ ପିତାଙ୍କ ନାମ ରାୟସାହେବ ବଳଦେବ ସାହୁ ଓ ସେ ସ୍ୱାଧୀନତ୍ତୋର ଭାରତର ରାଜନୀତିରେ ବେଶ୍ ପ୍ରତିଷ୍ଠିତ ଥିଲେ। କୁହାଯାଏ ନିର୍ବାଚନ କାଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଘରେ ରହନ୍ତି। କେବଳ ଏତିକି ନୁହେଁ ଦେଶର ପୂର୍ବତନ ରାଷ୍ଟ୍ରପତି ଡା. ରାଜେନ୍ଦ୍ର ପ୍ରସାଦ ମଧ୍ୟ ତାଙ୍କ ଘରକୁ ଆସିଥିବାର ପ୍ରମାଣ ରହିଛି। ଦେଶରେ କଂଗ୍ରେସ ଶାସନ କାଳରେ ଦଳର ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ପାଇଁ ଧିରଜ ସାହୁଙ୍କ ବଡ଼ ଭାଇ ଶିବ ପ୍ରସାଦ ସାହୁଙ୍କୁ ପଚରାଯାଉଥିଲା।

ଧିରଜ ପ୍ରସାଦ ସାହୁ ରାଞ୍ଚୀ ବିଶ୍ୱବିଦ୍ୟାଳୟର ମାରୱାଡୀ କଲେଜରୁ ସମ୍ମାନର ସହ ସ୍ନାତକ ଉତୀର୍ଣ୍ଣ ହୋଇଛନ୍ତି। ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। ଧିରଜ ସାହୁଙ୍କ ପୈତୃକ ବାସଭବନକୁ ଅଞ୍ଚଳର ଲୋକେ ହ୍ୱାଇଟ୍‌ ହାଉସ୍‌ କହନ୍ତି। କାରଣ ତାଙ୍କ ଘର ଏକଦା ଜାତୀୟ ରାଜନୀତିର ଗତିବିଧି କେନ୍ଦ୍ରଥିଲା। କେବଳ ଏତିକି ନୁହେଁ ଫିଲ୍ମ କଳାକାର ଓ କ୍ରିକେଟରଙ୍କର ମଧ୍ୟ ଧିରଜ ସାହୁଙ୍କ ଘରକୁ ଯା ଆସ ଲାଗି ରହିଥାଏ। ଧିରଜ ସାହୁ ତାଙ୍କ ଫେସବୁକ୍‌ ପେଜ୍‌ରେ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ଓ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।

 ଧିରଜ ସାହୁଙ୍କ ଭାଇ ଶିବପ୍ରସାଦ ସାହୁ ଦେଶରେ କଂଗ୍ରେ ଶାସନ କାଳରେ ଇନ୍ଦିରା ଗାନ୍ଧିଙ୍କ ନିକଟତମ ଥିଲେ। କୁହାଯାଏ ୧୯୪୭ରେ ଭାରତର ସ୍ୱାଧୀନତା କାଳରେ ଦେଶର ଅର୍ଥବ୍ୟବସ୍ଥା ନିର୍ମାଣ ଲାଗି ତତ୍କାଳୀନ ଧନୀକଙ୍କ ମଧ୍ୟରେ ଧିରଜ ସାହୁଙ୍କ ପିତା ରାୟସାହେବ ବଳଦେବ ସାହୁ ଦେଶକୁ ନଗଦ ୪୭ ଲକ୍ଷ ଟଙ୍କା ଓ ୪୭ କେଜି ସୁନା ଦାନ କରିଥିଲେ। ଧିରଜ ସାହୁଙ୍କ ପରିବାରର ମଦ ମୁଖ୍ୟ କାରବାର। ଝାଡଖଣ୍ଡ ଏବଂ ଓଡିଶାରେ ଥିବା ଅଧିକାଂଶ ମଦ କମ୍ପାନୀ ତାଙ୍କ ପରିବାରର। ଏହା ଛଡା ଧିରଜ ସାହୁ ଓ ତାଙ୍କ ପରିବାର ଅନେକ ପ୍ରକାରର ଅନ୍ୟ ବ୍ୟବସାୟ ମଧ୍ୟ ରହିଛି।

ରାଞ୍ଚୀର ପ୍ରତିଷ୍ଠିତ ସଫାୟାର ଇଣ୍ଟରନ୍ୟାସନାଲ ସ୍କୁଲ ଓ ହସ୍ପିଟାଲକୁ ତାଙ୍କ ପରିବାର ପରିଚାଳନା କରନ୍ତି। ନିର୍ବାଚନୀ ସତ୍ୟପାଠରେ ଧିରଜ ସାହୁ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୩୪ କୋଟି ଟଙ୍କାରୁ ଅଧିକ ସୂଚିତ କରିଥିଲେ। ଏଥିରେ ତାଙ୍କର ଋଣ ୨ କୋଟିରୁ ବି ଅଧିକ ଟଙ୍କା ଥିବା ଦର୍ଶାଇଥିଲେ। ଝାଡଖଣ୍ଡ ସହିତ ଦେଶର ରାଜନୀତିରେ ଧିରଜ ସାହୁଙ୍କ ପରିବାର ବେଶ୍ ଦଖଲ ରହିଛି। ଏହା ଛଡା ଏକ ସଫଳ ବ୍ୟବସାୟୀ ପରିବାର ମଧ୍ୟ।

Leave a Reply

Your email address will not be published. Required fields are marked *