ଖୁସି ଖବର:କାମ ଅନ୍ୱେଷଣରେ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କନଭରଜେନ୍ସ ମୋଡରେ ବା ସମ୍ମିଳିତ ହୋଇ ସେମାନଙ୍କର ଜୀବିକାନିର୍ବାହ ଯୋଜନାକୁ ଗାଁରେ କାର୍ଯ୍ୟକାରୀ କରିବେ । ଲୋକଙ୍କୁ ବର୍ଷକୁ ୨୦୦ରୁ ୩୦୦ଦିନ କାମ ଯୋଗାଇବେ । ଏହାସହିତ କେଉଁ ବ୍ଲକରୁ କେଉଁମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯିବ ।

ମୁଖ୍ୟ ସଚିବ ଶ୍ରୀ ଆହୁଜା ବିଭିନ୍ନ ବିଭାଗର ମିଳିତ ପ୍ରୟାସରେ ଗାଁଗୁଡ଼ିକରେ କନଭରଜେନ୍ସି ମୋଡରେ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଯୋଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ କମିଟି ଗଠନ କରାଯାଇ ଦାଦନ ସମସ୍ୟାର ସମାଧାନ ଓ ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ଆଦିର ନିୟମିତ ଅନୁଧ୍ୟାନ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଏକ ଡାଟାବେସ୍ ପ୍ରସ୍ତୁତି ସହ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଚିହ୍ନଟ ପରିବାରକୁ ଆଗାମୀ ୩ମାସ ପାଇଁ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧଛାଡ଼ ସୁବିଧା ଦେବା, ଦାଦନ ସ୍ଥାନାନ୍ତର ରୋକିବା ପାଇଁ ଆଇନର ଅନୁପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଥିବା ଓଡ଼ିଶାର ଲୋକ ଓ ଶ୍ରମିକମାନଙ୍କ ବାସ୍ତବସ୍ଥିତି ଓ ଏହାର କାରଣ ଖୋଜିବାକୁ ଶ୍ରମ ବିଭାଗକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *