ଫୋକସ ପ୍ଲସ 10/1/2023(ଜଗତସିଂହପୁର): ରାଜ୍ୟର ୨୩ଟି ଜିଲ୍ଲାରେ ୩୦ଟି ନୂତନ ଥାନାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡିକୁ କୃଷ୍ଣାନନ୍ଦପୁର ଥାନାର ମାନ୍ୟତା ମିଳିଛି।ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଉଦଘାଟନ କରିବା ଅବସରରେ ନୂତନ କୃଷ୍ଣାନନ୍ଦପୁର ଥାନାକୁ ଉଦଘାଟନ କରିଥିଲେ।ଏହି ଅବସରରେ କୃଷ୍ଣାନନ୍ଦପୁର ଥାନା ପରିସରରେ ଆୟୋଜିତ ଉତ୍ସବରେ ଜଗତସିଂହପୁର ଜିଲ୍ଲାପାଳ ପରୁଲ ପଟୱାରୀ,ଏସ.ପି ରାହୁଲ ପି.ଆର, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ସହ ସ୍ଥାନୀୟ ଜନପ୍ରତିନିଧି,ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଯୋଗଦେଇଥିଲେ।ମହାନଦୀ-ପାଇକା ଦ୍ୱିପାଞ୍ଚଳର କୃଷ୍ଣାନନ୍ଦପୁର,ବିଶୁନପୁର କନିମୂଳ,ଦାଇଁଲୋ ଓ ଗୋପାଳପୁର-ଶଙ୍ଖେସ୍ୱର ପ୍ରମୁଖ ପାଞ୍ଚଟି ପଞ୍ଚାୟତକୁ ଏହି ନୂତନ ଥାନାର ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ନୋଟିଫିକେସନ ପରେ ଅଧିକ ଅଞ୍ଚଳକୁ ଏଥିରେ ସାମିଲ କରାଯିବ ବୋଲି ଜଣାପଡିଛି।ନୂଆ ଥାନା ଅଞ୍ଚଳର ଲୋକମାନଙ୍କ ପାଇଁ ଆଇନଶୃଙ୍ଖଳା ପରିବେଶ ଓ ଉତମ ସେବା ଯୋଗାଇଦେବ ଏଥିରେ ଲୋକମାନେ ସହଯୋଗ ରଖିବେ ବୋଲି ଏସପି ଆଶା ପ୍ରକଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ୨୩ଟି ଜିଲ୍ଲାରେ ୩୦ଟି ନୂତନ ଥାନା ପ୍ରତିଷ୍ଠା କରିବା ବିଶେଷ କରି ତିର୍ତ୍ତୋଲ ଅଞ୍ଚଳରେ ନୂତନ ଥାନା ପ୍ରତିଷ୍ଠା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ସାଂସଦ।