ଫୋକସ ପ୍ଲସ(ବ୍ୟୁରୋ): ଓଡିଶା ରେ ବିଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା ଦୁଇଟି ଘଟଣା ରାଜନୀତିରେ କମ୍ପନ ସୃଷ୍ଟିକରିଛି। ନବୀନ ସରକାରଙ୍କ ଦୀର୍ଘ ୨୨ ବର୍ଷର ଶାସନ କାଳରେ ଏଭଳି ଘଟଣା ହୁଏତ କେବେ ଦେଖାଯାଇ ନାହିଁ। ୨୬ ବର୍ଷର ସାଧାରଣ ମଧ୍ୟବିତ ପରିବାରର ଅର୍ଚ୍ଚନା ନାଗ ହନିଟ୍ରାପ୍ରେ ୨୫ରୁ ଅଧିକ ରାଜ୍ୟର ନେତା, ବିଧାୟକ, ମନ୍ତ୍ରୀ ଓ ଅଫିସର ଥିବା ଘଟଣା ଦେଶ ଦୁନିଆରେ ଚହଳ ସୃଷ୍ଟିକରିଛି।
କୁହାଯାଉଛି ଘଟଣା ପଛ ସତ୍ୟତା ଯଦି ପଦାକୁ ଆସେ ତେବେ ସରକାର ମଧ୍ୟ ଭାଙ୍ଗିଯିବ। ଯେଉଁ ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କୁ ଲୋକେ ଭୋଟଦେଇ ନିଜର ସୁଖ, ଦୁଃଖ ଓ ସମାଜର କଲ୍ୟାଣ ପାଇଁ ନିର୍ବାଚିତ କରି ପଠାଇଛନ୍ତି ସେମାନଙ୍କ ହନିଟ୍ରାପର ଲିଙ୍କ୍ ଥିବା ଖବର ହଇଚଇ ଖେଳାଇ ଦେଇଛି। ଯାହା ଏକ କଳୁଶୀତ ଓ ଘୃଣ୍ୟ ରାଜନୀତିର ବାତାବରଣ ସୃଷ୍ଟି କରିଛି।
ତେବେ ଶେଷ ସମୟରେ ଅବନ୍ତୀ ଦାସଙ୍କୁ ଟିକେଟ୍ ଦେବା ପରୀ, ମମିତା, ଶର୍ମିଷ୍ଠା, ଧର୍ମେନ୍ଦ୍ର, ଅର୍ଚ୍ଚନା ଆଦି ଅନେକ ଘଟଣା ଇତିମଧ୍ୟରେ ଘଟିଗଲାଣି। ରାଜ୍ୟରେ ଘଟିଚାଲିଥିବା ବିଭିନ୍ନ ଘଟଣାଗୁଡିକର ସ୍ୱଚ୍ଛ ଓ ସ୍ପଷ୍ଟକୁ ନେଇ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ପ୍ରାଚୀର ସୃଷ୍ଟି କରିଥିବା ମନେହୁଏ।
ସେପଟେ ଧାମନଗର ଉପନିର୍ବାଚନ ରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ନେଇ ମଧ୍ୟ ରାଜନୈତିକ କମ୍ପନ ସୃଷ୍ଟିହୋଇଛି। କୁହାଯାଏ, ରାଜୁ ଏହି ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ଦଳୀୟ ଆଲୋଚନାକୁ ରାଜୁଙ୍କୁ ଡକାଯିବା ଦିନ ମଧ୍ୟ ଟିକେଟ୍ ପାଇବା ନେଇ ସେ ଆଶାବାଦୀ ଥିଲେ।
ତେବେ ଜଳେଶ୍ୱର ଶଶୁରଘରେ ରହି ପାଠପଢୁଥିବା ସାଧାରଣ ଝିଅଟି ହଠାତ ଏତେ ପାୱାର୍ଫୁଲ୍ ହେଲା କେମିତି? ୟା ପଛରେ କେଉଁ ଗଡ୍ଫାଦର୍ଙ୍କ ହାତ ରହିଛି? ଯେଉଁ ଭିଡିଓ ଦେଖାଇ ଅର୍ଚ୍ଚନା ବ୍ଲାକ୍ମେଲ୍ କରୁଥିବା କୁହାଯାଉଛି, ସେ ଭିଡିଓଗୁଡିକ ଏବେ କେଉଁଠି? ଜବତ ହୋଇଥିବା ଲାପ୍ଟପ୍, ମୋବାଇଲ, ହାର୍ଡଡିସ୍ ସବୁର ସ୍ଥିତି କ’ଣ? ରାଜ୍ୟବାସୀଙ୍କ ଏଭଳି ଅନେକ ପ୍ରଶ୍ନକୁ ନେଇ ଗଣମାଧ୍ୟମରେ ବିଗତ ୧୦ ଦିନ ହେବ ତୁହାକୁ ତୁହା ଖବର ପ୍ରକାଶ ପାଉଛି। ହେଲେ ପୁଲିସ୍ ପ୍ରଶାସନ କିମ୍ବା ସରକାରଙ୍କ ଠାରୁ ଏନେଇ କୌଣସି ସ୍ପଷ୍ଟ ଉତ୍ତର ମିଳୁ ନାହିଁ।