ଚୀନ୍‌କୁ ବାଇଡେନ୍‌ଙ୍କ ଚେତାବନୀ

ଫୋକସ ପ୍ଲସ 09/02/2023(ବ୍ୟୁରୋ):ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଦ୍ୱିତୀୟ ଥର ଷ୍ଟେଟ ଅଫ ଦ ୟୁନିୟନକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ କରୋନା ମହାମାରୀ ଓ ଅର୍ଥ ବ୍ୟବସ୍ଥା ଉପରେ କହିଥିଲେ । ୟୁକ୍ରେନ ଯୁଦ୍ଧକୁ ନେଇ ସେ ରୁଷକୁ ଜୋରଦାର ଟାର୍ଗେଟ କରିଥିଲେ । ବାଇଡେନ ଡେମୋକ୍ରାଟ ଏବଂ ରିପବ୍ଲିକାନଙ୍କୁ ନେଇ ବି ବଡ଼ କଥା କହିଥିଲେ ।ସେ କହିଥିଲେ ଯେ ଡେମୋକ୍ରାଟ ଏବଂ ରିପବ୍ଲିକାନ ମିଳିତ ଭାବେ କାମ କରନ୍ତି ନାହିଁ ବୋଲି କୁହାଯାଏ । କିନ୍ତୁ ଗତ ଦୁଇବର୍ଷରେ ଆମେ ନିନ୍ଦୁକ ଓ ସମାଲୋଚକଙ୍କୁ ଭୁଲ ପ୍ରମାଣିତ କରିଛୁ । ଆମ ଭିତରେ ମତପାର୍ଥକ୍ୟ ଥିଲା । କିନ୍ତୁ ଅନେକ ସମୟରେ ଡେମୋକ୍ରାଟ ଓ ରିପବ୍ଲିକାନ ଏକାଠି କାମ କରିଥିଲେ ।ବାଇଡେନ ଚୀନ ଉପରେ ଆଜି ଭୀଷଣ ବର୍ଷିଥିଲେ । ସେ କହିଥିଲେ ଯେ ଯଦି ଚୀନ ବିପଦ ସୃଷ୍ଟି କରେ, ତେବେ ଆମେରିକା ନିଜ ସୁରକ୍ଷା ପାଇଁ ଜରୁରି ପଦକ୍ଷେପ ଗ୍ରହଣ କରିବ । ଆମେରିକାକୁ କ୍ଷତି ପହଞ୍ଚାଇଲେ କଡ଼ା ଜବାବ ଦେବାକୁ ଦେଶ ପଛାଇବ ନାହିଁ । ଚୀନ୍‌ ସହ ସ୍ପାଏ ବେଲୁନ ବିବାଦ ଉପରେ ବାଇଡେନ କହିଥିଲେ, ବିଶ୍ୱର ମଙ୍ଗଳ ପାଇଁ ଆମେ ଚୀନ ସହ ମିଳିତ ଭାବେ କାମ କରିବାକୁ ପ୍ରସ୍ତୁତ ଅଛୁ । କିନ୍ତୁ ଚୀନ ଯଦି ନିଜ ସ୍ୱାର୍ଥ ପାଇଁ କ୍ଷତି ପହଞ୍ଚାଏ, ତେବେ ନିଜକୁ ରକ୍ଷା ଲାଗି ଜବାବ ଦେବ ଆମେରିକା ।ବାଇଡେନ ଆହୁରି କହିଥିଲେ, ମୁଁ ରାଷ୍ଟ୍ରପତି ପଦ ସମ୍ଭାଳିବା ପୂର୍ବରୁ ଚୀନ ନିଜ ଶକ୍ତି ବଢ଼ାଇବାରେ ଲାଗିଥିଲା । ଆମେରିକା ପଛରେ ପଡ଼ିଯାଇଥିଲା । କିନ୍ତୁ ଏବେ ସେଭଳି ହେଉନାହିଁ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ ବେଳେ ମୁଁ ଗୋଟିଏ କଥା ସ୍ପଷ୍ଟ କରିଥିଲି । ଆମେରିକା କନଫ୍ଲିକ୍ଟ (ବିବାଦ) ନୁହେଁ, ବରଂ କମ୍ପିଟିସନ (ପ୍ରତିଯୋଗିତା) ଚାହେଁ ବୋଲି ସ୍ପଷ୍ଟ କରିଥିଲି । ଚୀନ କିନ୍ତୁ ବିବାଦକୁ ବଢ଼ାଇବାରେ ଲାଗିଛି । ଆମେ ବର୍ତ୍ତମାନ ଆମେରିକାକୁ ଅଧିକ ମଜଭୁତ କରିବା ପାଇଁ କାମ କରୁଛୁ । ବିକଶିତ ପ୍ରଯୁକ୍ତିର ରକ୍ଷା ଲାଗି ସାଥୀ ଦେଶଗୁଡ଼ିକ ସହ କାମ କରୁଛୁ । ଚୀନ କିମ୍ବା ବିଶ୍ୱର ଯେ କୌଣସି ରାଷ୍ଟ୍ର ସହ ପ୍ରତିଯୋଗିତା କରିବାକୁ ଆମେରିକା ପ୍ରସ୍ତୁତ ଅଛି ।

Leave a Reply

Your email address will not be published. Required fields are marked *