ଫୋକସ ପ୍ଲସ(ଜଗତପୁର)୪/୦୯/୨୦୨୨: ବେଆଇନ୍ ଭାବେ ଚୋରା ଟ୍ରକକୁ କାଟି ଏହାର ଯନ୍ତ୍ରାଂଶକୁ ବିକ୍ରି କରିବା ପୂର୍ବରୁ ସଂପୃକ୍ତ ରାକେଟ ଉପରେ ଜଗତପୁର ପୁଲିସ୍ ଚଢଉ କରି ୪ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ସ୍ଥାନୀୟ ଗୁଜରପୁର ଗ୍ରାମର ସେକ ସାବିତ୍ ଓ ସେକ ସାହିଲ ଏବଂ ମାଲଗୋଦାମ ଥାନା ଯୋବ୍ରା ଅଞ୍ଚଳର ସେକ କରିମ ବକ୍ସ ଓ ରେହମନ୍ ଛକ ଟିଣପଟା ସାହିର ସେକ ମୁସ୍ତାକିମ । ଏମାନଙ୍କ ନିକଟରୁ ଗୋଟିଏ ୧୪ ଚକିଆ ଟ୍ରକରୁ କଟା ଯାଇଥିବା ଯନ୍ତ୍ରାଂଶ,ଗ୍ୟାସ କଟର,୩ଗୋଟି ସିଲିଣ୍ଡରକୁ ଜବତ କରିଛି ପୁଲିସ୍।ମୂତାରିଫା ପଞ୍ଚାୟତ ଅନନ୍ତପୁରର ଏକ ପଡିଆରେ ଚୋରା ଟ୍ରକ ଗୁଡିକୁ କାଟିବା ଆରମ୍ଭ କରିଥିଲେ ଏହି ଅଭିଯୁକ୍ତ। ଟ୍ରକ୍ କାଟି ସାରିବା ପରେ ଯନ୍ତ୍ରାଂଶ ଗୁଡିକୁ ସେକ କରିମ ବକ୍ସ ଓ ସେକ ମୁସ୍ତାକିମଙ୍କ ଜରିଆରେ ବିକ୍ରି କରିବାକୁ ଯୋଜନା କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ପୁଲିସ୍ ଖବର ପାଇଥିଲା। ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢଉ କରିଥିଲେ। ଚଢଉ ସମୟରେ ବିଭିନ୍ନ ଅଞ୍ଚଳରୁ ଚୋରା ଗାଡିକୁ ଅଣାଯାଇ ଏଠାରେ କରାଯାଉଥିବା ପୁଲିସ୍ ଜାଣିବାକୁ ପାଇଥିଲା। ପୁଲିସ୍ ତଲାସି ସମୟରେ କଟା ଯାଉଥିବା ଟ୍ରକର କୌଣସି ଦସ୍ତାବିଜ୍ ଅଭିଯୁକ୍ତ ଦେଖାଇ ପାରି ନ ଥିଲେ। ଏହି ଘଟଣାରେ ପୁଲିସ୍ ନିଜଆଡୁ କେସ ନଂ ୩୭୨/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖି ଅଭିଯୁକ୍ତଙ୍କୁ ଗିରଫ କରୁଥିବା ବେଳେ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଜଗତପୁର ରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |