ଚୌଦ୍ୱାର09/01/2024; ଚୌଦ୍ୱାର ପୌରପାଳିକା ରେ ଅନେକ ସମସ୍ୟା ରହିଛି। ସାଧାରଣ ନିର୍ବାଚନ ଯେତେ ନିକଟ ହେଉଛି ସେତେ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବା ଦେଖାଦେଇଛି। ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ୱାର୍ଡ ନୂଆ ସାହିରେ ଥିବା MRF ସେଣ୍ଟର୍ ଓ MCC ସେଣ୍ଟର୍ ଏବେ ଅବ୍ୟବହୃତ ଅବସ୍ଥାରେ। କୁଢ଼ କୁଢ଼ ବର୍ଜ୍ୟବସ୍ତୁର ପାହାଡ ଦେଖିବାକୁ ମିଳିଛି ଏହି ସେଣ୍ଟର୍ ବାହାରେ ବସ୍ତି ନିକଟରେ। ଏହି ସେଣ୍ଟର୍ ଠାରୁ ମାତ୍ର ଏକ ଶହ ମିଟର ଦୂରରେ ବସ୍ତି ଗଢିଉଠିଛି। ବସ୍ତିରେ ଦୁଇ ଶହ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି। ଦୀର୍ଘ ଦୁଇ ବର୍ଷ ଧରି ଏଭଳି ମନମାନି ଚଳାଇଛି ଚୌଦ୍ୱାର ପୌରପାଳିକା। ରାଜ୍ୟ ସରକାର ବିନା ମୂଲ୍ୟ ରେ ଲୋକଙ୍କ ଚିକିତ୍ସା କରୁଥିବା ବେଳେ ଅନ୍ୟ ପକ୍ଷରେ ଚୌଦ୍ୱାର ପୌରପାଳିକା ବିନା ମୂଲ୍ୟ ରେ ଲୋକଙ୍କୁ ରୋଗାଗ୍ରସ୍ତ କରାଉଛି। ନୂଆସାହି ର କିଛି ବାସିନ୍ଦା ଚୌଦ୍ୱାର ପୌରପାଳିକାର ଏଭଳି ମନମୁଖୀ କାର୍ଯ୍ୟ କୁ ବିରୋଧ କରିଲେ ନାଲିଆଖି ଦେଖାଉଛି ଚୌଦ୍ୱାର ପୌରପାଳିକା। ଏହି ୱାର୍ଡ ରେ ପୌରପାଳିକା ତରଫରୁ ଦାୟିତ୍ଵ ରେ ଥିବା ୱାର୍ଡ ଅଫିସର ଓ ସ୍ୱଚ୍ଛ ସାଥୀ ଚିର ନିଦ୍ରାରେ ଅଛନ୍ତି। କେବେ ୱାର୍ଡ ଅଫିସର ଙ୍କ ନିଦ୍ରା ଭଙ୍ଗ ହେବ, ପୌରପାଳିକା ର ବରିଷ୍ଠ ଅଧିକାରୀଙ୍କୁ କର୍ଣ୍ଣପାତ କରି ଦୃଷ୍ଟି ଆକର୍ଷଣ କରାଇବେ ବୋଲି ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। MRF ସେଣ୍ଟର୍ କୁ ବ୍ୟବହାର ନ କରି ଖୋଲା ସ୍ଥାନରେ ପାହାଡ ସଦୃଶ ଗଦା କରୁଥିବା ଏହି ବର୍ଜ୍ୟବସ୍ତୁ ଗୁଡ଼ିକ ପବନ ହେଲେ ବସ୍ତି ମୁହାଁ ହେଉଛି। ବୁଲା ଗାଈଗୋରୁ ଏଠାରେ ବିଷାକ୍ତ ବର୍ଜ୍ୟବସ୍ତୁ ଖାଇ ରୋଗାଗ୍ରସ୍ତ ହେଉଛନ୍ତି।ଯାହା ଫଳରେ ମୃତ୍ୟୁ ହେଉଥିବା ଗାଈ, ବୁଲା କୁକୁର ଆଣି ଏଠାରେ ଫିଙ୍ଗା ଯାଉଛି। ଦୁର୍ଗନ୍ଧ ହେଉଥିବାରୁ ଶୋଇବା ଖାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଟିକେ ନଜର ପକାନ୍ତୁ MRF ସେଣ୍ଟର୍ ଉପରେ, ଗେଟ୍ ଆଉ ତାଲା କୁ ଦେଖିଲେ ଲାଗୁଛି ସେଣ୍ଟର୍ ଖୋଲାହେବା ଦିନଠାରୁ ଏହା କାର୍ଯ୍ୟକାରୀ ହେଉନାହିଁ ସମ୍ପୂର୍ଣ୍ଣ କଳଙ୍କି ହୋଇଗଲାଣି। ସେଣ୍ଟର୍ ଭିତର ଦୃଶ୍ୟ ଦେଖିଲେ ସତେ ଯେମିତି ଚୌଦ୍ୱାର ପୌରପାଳିକା ଏଠାରେ ଏକ କୁତ୍ରିମ ଜଙ୍ଗଲ ସୃଷ୍ଟି କରିଛି। ତେବେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟକାରୀ ହେବ MRF ସେଣ୍ଟର୍ କେବେ ଚେତିବ ଚୌଦ୍ୱାର ପୌରପାଳିକା।