ଛଦ୍ମବେଶୀ ସନ୍ନ୍ୟାସୀ

ଜଣେ ରାଜାଙ୍କ ଶତ୍ରୁମାନେ ସ୍ଥିର କଲେ ଯେ ତାଙ୍କୁ କୌଶଳ ରେ ନିପାତ କରିଦେବ l ସେମାନେ ଜଣେ ଆତତାୟୀକୁ ଠିକ କଲେ l ରାଜା ଥିଲେ ଖୁବ ଧର୍ମପରାୟଣ l ସେ ସାଧୁସନ୍ଥକୁ ଶ୍ରଦ୍ଧା ଓ ଭକ୍ତି କରୁଥିଲେ l ସେମାନେ ଆସିଲେ ସେମାନଙ୍କୁ ଖୁବ ସତ୍କାର କରୁଥିଲେ l ତେଣୁ ସ୍ଥିର କରାଗଲା ଯେ ଆତତାୟୀ ଜଣକ ଏକ ଛଦ୍ମବେଶୀ ସାଧୁ ବେଶ ରେ ରାଜାଙ୍କ ପାଖକୁ ଯିବ l ସେଠାରେ ସେ ରାଜା ଙ୍କ ବିଶ୍ଵାସଭାଜନ ହେବାର ଚେଷ୍ଟା କରିବ l କିଛି ଦିନ ଭିତରେ ରାଜାଙ୍କ ନିକଟତାର ସୁଯୋଗ ନେଇ ଅତି ସନ୍ତପଣ ରେ ତାଙ୍କୁ ହତ୍ୟା କରି ଖସି ଆସିବ l ଏଥିପାଇଁ ଆତତାୟୀ କୁ ମାସଟିଏ ସମୟ ଦିଆଗଲା l ଦୁଇ ତିନି ଦିନ ଭିତରେ ଆତତାୟୀ ସାଧୁ ବେଶ ରେ ରାଜପ୍ରାସାଦ ରେ ପହଞ୍ଚିଲା lରାଜା ତାକୁ ଦେଖି ପାଛୋଟି ନେଲେ ଓ ତାର ଖୁବ ସତ୍କାରକଲେ l

ସାଧୁବେଶୀ ଆତତାୟୀ ରାଜପ୍ରାସାଦରେ କିଛି ଦିନ କାଟିବାକୁ ମନସ୍ଥ କରିବାରୁ ରାଜା ଅବିଳମ୍ବେ ରାଜି ହେଲେ l ଆତତାୟୀ ପ୍ରଥମ ଚାଲରେ ସଫଳ ହେଲା l ରାଜାଙ୍କ ବିଶ୍ୱାସ ଜିଣିବା ସକାଶେ ଛଦ୍ମବେଶୀ ଆତତାୟୀ ଧ୍ୟ୍ୟନ ,ଯୋଗ ଆଦିରେ ଛଳନା କଲା l ସାଧୁମାନେ ଯେମିତି ଚଳନ୍ତି , କଥା କୁହନ୍ତି ଯେମିତି ସର୍ବଦା ପ୍ରଫୁଲ ଥାଆନ୍ତି ,କାହା ଉପରେ ରାଗ କରନ୍ତି ନାହିଁ ଅବିକଳ ସେମିତି କଲା l ରାଜା ବି ଏମିତି ଜଣେ ନିଷ୍ଠାବାନ ସାଧୁ ଙ୍କୁ ଦେଖି ଶ୍ରଦ୍ଧା ଓ ଭକ୍ତି ରେ ଛଳଛଳ ହୋଇଗଲାl ଏମିତି ହେଉ ହେଉ ମାସେ ଗଡ଼ିଗଲା l କିନ୍ତୁ ଆତତାୟୀ ତା କାମ କଲା ନାହିଁ l କିଛି ଦିନପରେ ଷଡ଼ଯନ୍ତ୍ରକାରୀ ମାନେ ଅଧର୍ଯ୍ୟ ହୋଇଗଲେ l ସେମାନଙ୍କ ଭିତରୁ ଜଣେ ଆସି ତାଙ୍କୁ ଭେଟି ତାର ଅସଲ ଉଦେଶ୍ୟ ବିଷୟରେ ଚେତାଇ ଦେଲା l ଆତତାୟୀ ନୀରବରେ ସବୁ ଶୁଣିଲା l ସେ ଦିନ ରାତିରେ ସେ ରାଜପ୍ରାସାଦ ଛାଡି କେଉଁ ଆଡେ ନିରୁଦିଷ୍ଟ ହୋଇଗଲା l ସାଧୁ ଭାବେ ନିଜକୁ ପ୍ରମାଣିତ କରିବା ଲାଗି ସେ ଯାହା ଯାହା କରୁଥିଲା ସେଥିରେ ତା ଅଗୋଚର ରେ ତା ଭିତରେ ଏକ ସଂସ୍କାର ଆସିଯାଇଥିଲା l ସେ ଆଉ ଆତତାୟୀ ହୋଇ ରହି ନଥିଲା l

Leave a Reply

Your email address will not be published. Required fields are marked *