ଛାଡିଗଲା ରିଲ୍ସ କରିବା ନିଶା

ଫୋକସ ପ୍ଲସ 17/2/23( ବ୍ୟୁରୋ):ଯୁବପିଢ଼ିଙ୍କୁ ଏବେ ଘାରିଛି ରିଲସ ନିଶା |ସିସିଆଲ ମିଡିଆରେ ଫେମସ ହେବା ପାଇଁ ଯୁବପିଢ଼ି ଏବେ ଅଜବ ଅଜବ ଭିଡିଓ ସବୁ କରୁଛନ୍ତି ଯାହାକି ସେମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି | ରିଲ୍ସ ପାଇଁ ନିଜ ଜୀବନକୁ ବିପଦକୁ ଠେଲି ଦେଉଛନ୍ତି ଛାତ୍ର। ବିପଜ୍ଜନକ ଭିଡିଓ ରେକର୍ଡିଂ କରି ରିଲ୍ସ ପୋଷ୍ଟ କରିବା ନିଶା ୭ ଜଣ ସ୍କୁଲ୍ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଟିସି ଦେଇଥିବା ଜଣାପଡିଛି। ଅଭିଭାବକଙ୍କ ଅନୁରୋଧ କ୍ରମେ ପରୀକ୍ଷା ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ ଏକ୍ସ-ବୋର୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ, ଗତ ୧୪ ତାରିଖରେ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲିଥିଲା। ଏଥିପାଇଁ ପାଠପଢ଼ା ବନ୍ଦ ରହିଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିଲେ।ଏହି ସମୟରେ କିଛି ଛାତ୍ର ଲୁଚିଛପି ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଦୁଃସାହସିକ ଭିଡିଓ ପ୍ରସ୍ତୁତ କରିଥିଲେ। ଯାହାକୁ ପରବର୍ତୀ ସମୟରେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ।ତେବେ ଭାଇରାଲ ହୋଇଥିବା ଭିଡିଓରେ ସ୍କୁଲ୍ ଛାତ ଉପରେ ବହୁସଂଖ୍ୟାରେ ଛାତ୍ର ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ହଠାତ୍ ବିଦ୍ୟାଳୟ ଛାତରୁ ପ୍ରାୟ ୧୦ଫୁଟ୍ ଦୂରରେ ଥିବା ପରିତ୍ୟକ୍ତ ଏଏନ୍ଏମ୍ କ୍ୱାର୍ଟର୍ସକୁ ଡେଉଁଛନ୍ତି, ଯାହାଫଳରେ, କ୍ୱାର୍ଟର୍ସର ଆଜବେଷ୍ଟ୍ ଭାଙ୍ଗି ତଳକୁ ଖସି ପଡୁଛନ୍ତି ସଂପୃକ୍ତ ଛାତ୍ର। ଏହି ଦୃଶ୍ୟକୁ ଉପଭୋଗ କରୁଥିବା ଅନ୍ୟ ଛାତ୍ର ଏହାପରେ ବିଦ୍ୟାଳୟ କୋଠା ତଳକୁ ଡେଇଁ ସେଠାରୁ ଚାଲି ଯାଉଛନ୍ତି। ଡିଆଁ ମାରିଥିବା ଛାତ୍ର ଜଣକ ତଳେ ପଡ଼ିଥିଲେ ସୁଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି, କିନ୍ତୁ ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଭିଡିଓରୁ ଏହି ଘଟଣା ଜଣାପଡ଼ିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଏବଂ ଭିଡିଓ ଆଧାରରେ ୭ଜଣ ଛାତ୍ରଙ୍କୁ ଚିହ୍ନଟ କରି ବିଦ୍ୟାଳୟ ଡକାଇ ଟିସି ଦେଇଛନ୍ତି। ଅନ୍ୟ ବିଦ୍ୟାଳୟର କିଛି ଛାତ୍ର ବି ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟ ଭିଡିଓରେ ସାମିଲ ଥିବା ପ୍ରଧାନଶିକ୍ଷକ ସୁଶଙ୍କର ମିସ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ, ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ଭୟରେ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ପର୍ଯ୍ୟନ୍ତ ପିଲାଙ୍କୁ ବିଦା ନ କରିବାକୁ ଅନୁରୋଧ କରିଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିଚଳନା କମିଟି ବୈଠକରେ ଆଲୋଚନା ହୋଇଥିଲା । ଶେଷରେ, ପରୀକ୍ଷା ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଆସିପାରିବେ ବୋଲି ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

https://fb.watch/iL9iEZSDBx/

Leave a Reply

Your email address will not be published. Required fields are marked *