ଜଙ୍ଗଲୀ ହରିଣ

ଦୁଇଟି ହରିଣ ଛୁଆ ଥିଲେ l ସେମାନେ ଥିଲେ ଭାରି ବନ୍ଧୁ l ଏକାସାଙ୍ଗରେ ଡିଆଁଡେଇଁ କରୁଥିଲେ l କିନ୍ତୁ ଦିନେ ଜଣେ ଲୋକ ଗୋଟିଏ ଛୁଆ କୁ ସହର କୁ ନେଇଗଲା l
ଯେଉଁ ଛୁଆଟି ସହର କୁ ଗଲା ସେ ଖୁବ ଶୀଘ୍ର ବଣରେ ଜୀବନକୁ ଭୁଲିଗଲା l ଖାଇପିଇ ମୋଟା ହେଲା ,ଭାରି ଆଦର ପାଇ ରହିଲା l ତାର ପ୍ରକୃତି ବି ମଣିଷ ପରି କିଛିଟା ହୋଇଗଲା l ତାର ଚିକ୍କଣ ଓ ଡଉଲଡାଉଲ ଚେହେରା ଦେଖି ସମସ୍ତେ ତାକୁ ଗେଲ କରୁଥିଲେ l ତେଣୁ ସେ ଫୁଲି ଉଠୁଥିଲା l
ଥରେ ହଠାତ ସହରୀ ହରିଣ ର ମନେ ପଡିଗଲା ତାର ପିଲା ଦିନର ସାଥି କଥା l ସେ ମନେମନେ ଭାବିଲା -ସବୁ ଭାଗ୍ୟ ର କଥା l ମୁ କେତେ ଆଦର ପାଇ ଡଉଲଡାଉଲ ହୋଇ ବଢ଼ିଲି l ସେ କଣ କରୁଥିବ କେଜାଣି ? ଏମିତି ଭାବୁଭାବୁ ବି ତାର ଛାତି କୁଣ୍ଢେମୋଟ ହୋଇଗଲା l ସେ ସ୍ଥିର କଲା ତାର ପିଲାଦିନର ସାଥି ତାର ଚେହେରା ଦେଖେଇ ଆସିବ l
ଦିନେ ସୁଯୋଗ ଦେଖି ସେ ଘରୁ ବାହାରି ଜଙ୍ଗଲ କୁ ଚାଲିଗଲା l ଅନେକ ଦୂର ଭିତରକୁ ପଶିଲା ପରେ ସେ ତାର ସାଙ୍ଗ କୁ ବି ପାଇଲା l ଦୁହେଁ ଖୁସିରେ ବହେ ନାଚିଗଲେ l ତାପରେ ସହରୀ ହରିଣ ତା ସାଙ୍ଗଟିର ପତଳା ଦେହ ଓ କନକନ ଭାବ ଦେଖି ଭାରି ଦୁଃଖ କଲା ଓ କହିଲା -ଭାଇ ଭଲ ଜୀବନ କଣ ତାହା ତୁ ଜାଣିପାରିଲୁନାହିଁ l ଏମିତି ଡରି କନକନ ହୋଇ କେତେ ଜିଇବୁ ? ମୋତେ ଦେଖ l ମୁ କେମିତି ଆରାମରେ ଅଛି l
ଏଇ ସମୟରେ କିଛି ଶବ୍ଦ ଶୁଣି ସହରୀ ହରିଣ କହିଲା- ୟେ କାହା ଶବ୍ଦ? ଜଙ୍ଗଲୀ ତରକି ଯାଇ କହିଲା -ମାଙ୍କଡ କୁହାଟ l ସହରୀ ହସିହସି ଗଡିଯାଇ କହିଲା -ମାଙ୍କଡ କୁହାଟିକୁ ବି ଡରୁଚ ?
ସେ କଥା ନ ଶୁଣି ଜଙ୍ଗଲୀ ହରିଣ ଡିଆଁ ମାରି ପଳାଇ ଯାଉଯାଉ କହିଲା -ବାଘ ଦେଖିଲେ ଗଛ ଉପରୁ ମାଙ୍କଡ ଏମିତି ଡାକେ l ତୁ ଏବେ ପ୍ରାଣ ବଞ୍ଚେଇ ମୋ ପଛେ ପଛେ ଦୌଡ l ଏହା କହି ସେ ନିମିଷକେ ଭିତରେ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା l ଡଉଲଡାଉଲ ହରିଣ କିଛି ଭାବିବା ଆଗରୁ ବାଘ ଆସିଯାଇଥିଲା l ସହରୀ ହରିଣ ଶେଷରେ ଭାବିଲା ,ହାୟ ,ଶତ୍ରୁ ଭିତରେ ରହି ସେ ଯାହା ଶିଖି ପାରିଲା , ବନ୍ଧୁ ମେଳଣରେ ରହି ମୁ ପାରିଲି ନାହିଁ l

Leave a Reply

Your email address will not be published. Required fields are marked *