ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଫୋକସ ପ୍ଲସ(ଅନୁଗୋଳ)04/08/2022: ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ବିଳମ୍ବ ଏବଂ ଲେବଲ କ୍ରସିଂ ଯୋଗୁଁ ଫାଟକ ବନ୍ଦ ଘଟଣା |ତାଳଚେର ବ୍ଲକ ହାଣ୍ଡିଧୂଆରୁ ଘଂଟପଡା ଗ୍ରାମ ପଂଚାୟତର ପ୍ରବେଶ ମାର୍ଗ ସ୍ଥିତ ନିର୍ମାଣାଧିନ ଓଭରବ୍ରିଜ୍ କାର୍ଯ୍ୟ ବିଳମ୍ବ ଏବଂ ଲେବଲ କ୍ରସିଂ ଫାଟକ ବାରମ୍ବାର ଦୀର୍ଘ ସମୟ ବନ୍ଦ ରହୁଥିବା ଦ୍ୱାରା ଜନସାଧାରଣ ସମ୍ମୁଖିନ ହେଉଥିବା ସମସ୍ୟାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଭୂପେନ୍ ଥମ୍ବର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜନସାଧାରଣଙ୍କ ଆବଶ୍ୟକତା ଏବଂ ପଂଚାୟତର ଦାବୀକୁ ଗୁରୁତ୍ୱ ଦେଇ ସି.ଏସ୍‌.ଆର. ଫଣ୍ଡର ବିନିଯୋଗରେ ପ୍ରବେଶ ପଥରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ମଂଜୁରୀ ଦେଇଥିଲେ ମଧ୍ୟ ଦୀର୍ଘ ୯ ବର୍ଷ ହେବ ନିର୍ମାଣ କାର୍ଯ୍ୟ ଅଧାପନ୍ତରା ହୋଇ ପଡିରହିଛି । ଏହି ରାସ୍ତାରେ ରେଳ ଫାଟକ ଥିବାରୁ ଦୈନଦିନ କୋଇଲା ଖଣିରୁ ଶତାଧିକ କୋଇଲା ବୋଝେଇ ରେଳ ଗାଡି ଏବଂ ଖାଲି ଗାଡି ଯିବା ଆସିବା କରୁଥିବାରୁ ଅଧିକାଂଶ ସମୟ ଫାଟକ ବନ୍ଦ ରହୁଛି । ଯାହା ଫଳରେ ଏହି ରାସ୍ତା ଦେଇ ଆମ୍ବୁଲାନସ୍‌ରେ ରୋଗୀ, ସ୍କୁଲ ଓ କଲେଜ୍‌ର ଛାତ୍ରଛାତ୍ରୀ, ସରକାରୀ ବେସରକାରୀ କର୍ମଚାରୀ ସମେତ ଗ୍ରାମବାସୀ ନିତିଦିନ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେଠାରେ କୌଣସି ରହିବା ସ୍ଥାନ ନଥିବାରୁ ଖରା ଓ ବର୍ଷାରେ ଘଂଟା ଘଂଟା ଛିଡା ହୋଇ ହଇରାଣ ହେଉଛନ୍ତି । ବିଭାଗୀୟ କର୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାମ ଅହରହ ଚାଲୁ ରଖିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହା ସହିତ ମଣ୍ଡାପାଳ ସ୍ଥିତ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଆବଶ୍ୟକତା ଅନୁଯାୟୀ ଡାକ୍ତର ନିଯୁକ୍ତି, ବାଙ୍କଧରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥରୁ ଧୂଳି ସଫା କରିବା, ସୌନ୍ଦର୍ଯ୍ୟକରଣ କୋରିଡର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ରାସ୍ତାରେ ଆଲୋକିକରଣ ବ୍ୟବସ୍ଥା, ପ୍ରଜାମଣ୍ଡଳ ଭବନକୁ ନୂଆ ରୂପ ଦେଇ ତାଳଚେରର ବୀର ପୁରୁଷଙ୍କୁ ସମ୍ମାନ ସହିତ ସ୍ୱତନ୍ତ୍ର ଅଡିଟୋରିଅମ୍ ରେ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରିବା କ୍ଷେତ୍ରରେ ଅବଗତ କରାଯାଇଥିଲା । ଆଜିର ଏହି ସ୍ମାରକପତ୍ର ପ୍ରଦାନ ବେଳେ ସାଧାରଣ ସଂପାଦକ ଦ୍ରୁମଦ ପ୍ରଧାନ, ସରୋଜ ଧର, ବରିଷ୍ଠ ସାମ୍ବାଦିକ ମନୋଜ ଶତପଥି, ସନାତନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *