ଫୋକସ ପ୍ଲସ(କେନ୍ଦୁଝର)୧୭/୦୮/୨୦୨୨: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ବଡ଼ରମ୍ପାସ ପଞ୍ଚାୟତ ଅଧୀନ ସଡ଼ଙ୍ଗା ଗ୍ରାମର ସ୍ଵର୍ଗତ ରଙ୍ଗାଧର ସେଠୀଙ୍କ ପୁଅ ରସାନନ୍ଦ ସେଠୀ(୫୪) ଇଶଳା ଗ୍ରାମର ପ୍ଲଟ ନଂ ୩୯୩ ଓ ଖାତା ନଂ ୨୨୯ ରୁ ୮ଡ଼ିସିମିଲ ଜାଗା ଉକ୍ତ ଇଶଳା ଗ୍ରାମର ବର୍ତ୍ତମାନ ଥିବା ୱାର୍ଡ଼ସଭ୍ୟ ବାଇଧର ସେଠୀଙ୍କ ଠାରୁ କ୍ରୟ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରସାନନ୍ଦ ତାଙ୍କ ପ୍ଲଟ ଆଗରେ ଥିବା କିଛି ସରକାରୀ ଜାଗାକୁ ଜବରଦଖଲ କରିନେଇଛନ୍ତି । ଏନେଇ ଗ୍ରାମର କିଛି ବ୍ୟକ୍ତି ଏହାକୁ ବିରୋଧ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ବିବାଦ ଘେରରେ ଥିବା ଉକ୍ତ ପ୍ଲଟଟି କେବଳ ସରକାରୀ କାଗଜପତ୍ରର ମାଲିକାନା ଭାବେ ରସାନନ୍ଦ ସେଠୀଙ୍କର । ପ୍ରକୃତ କଥା ହେଲା, ଉକ୍ତ ପ୍ଲଟ ଟିକୁ ସେହି ଗ୍ରାମର ଜଣେ ସବର୍ଣ୍ଣ ଶ୍ରେଣୀର ବ୍ୟକ୍ତି ନିଜ ନାମରେ କବଲା ସହ ପଟ୍ଟା କରିବା ଅସମ୍ଭବ ହେବାରୁ ବାଇଧର ସେଠୀଙ୍କ ସହ ଏକ ଚୁକ୍ତିନାମା ଲେଖି ନିଜର ବିଶ୍ଵସ୍ତ ଲୋକ ହିସାବରେ ରସାନନ୍ଦ ସେଠୀଙ୍କ ନାଁରେ କିଣିଛନ୍ତି । ସରକାରୀ କାଗଜପତ୍ର ଭାବେ ରସାନନ୍ଦ କେବଳ ସେ ପ୍ଲଟର ମାଲିକ ହୋଇଥିବା ବେଳେ ବେସରକାରୀ ଭାବେ ସେ ପ୍ଲଟର ପ୍ରକୃତ ମାଲିକ ତଥା ବର୍ତ୍ତମାନର ଦଖଲକାରୀ ହିଁ ପ୍ରକୃତ ମାଲିକ ଅନ୍ୟ ବୋଲି ଜଣାପଡ଼ିଛି । ଜାଗା ଦଖଲକାରୀ ଉକ୍ତ ପ୍ଲଟ ନଂ ୩୯୩ ଓ ଖାତା ନଂ ୨୨୯ ରୁ ୮ଡ଼ିସିମିଲ ଜାଗା ସହ କିଛି ସରକାରୀ ଜାଗାକୁ ନିଜ ଜାଗାରେ ମିଶାଇ ଦେଇଥିବା ବେଳେ ଗ୍ରାମର ଅଭିଯୋଗକାରୀମାନେ ସରକାରୀ ଭାବେ ପ୍ଲଟ ମାଲିକ ରସାନନ୍ଦ ସେଠୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଦଖଲକାରୀଙ୍କ ଏଭଳି କାର୍ଯ୍ୟ କଳାପକୁ ନେଇ ଗ୍ରାମର କିଛି ଲୋକ ଅସନ୍ତୋଷ ହୋଇଥିବା ବେଳେ ଏହି ଜାଗାର ଜବର ଉଚ୍ଛେଦ ପାଇଁ ସରକାରୀ କାଗଜପତ୍ର ଭାବେ ପ୍ରକୃତ ଜାଗା ମାଲିକ ରସାନନ୍ଦଙ୍କ ନାଁରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରିତ କରିଥିବା ଜଣାପଡ଼ିଛି । ଏସମ୍ବନ୍ଧରେ ରସାନନ୍ଦଙ୍କୁ ପଚାରିବାରୁ, ମୁଁ କେବଳ ସେ ଜାଗାର ମାଲିକ ସତ କିନ୍ତୁ ଟଙ୍କା ଦେଇ ସେ ଜାଗାକୁ କିଣିଥିବା ଲୋକ ଆଉ ଜଣେ ବୋଲି କହିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ିଲା କି, ସରକାରୀ କାଗଜପତ୍ର ଅନୁଯାୟୀ, ଜାଗାର ମାଲିକାନା ରସାନନ୍ଦ ସେଠୀଙ୍କ ନାଁରେ ଥିବାବେଳେ ଦଖଲକାରୀ ହେଉଛନ୍ତି ପ୍ରକୃତ ବେସରକାରୀ ମାଲିକ ।ଅଭିଯୋଗରେ ଉଲ୍ଲେଖ ଥିବା କଥାକୁ ରସାନନ୍ଦ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ କହିବା କଥା, ମୋ ନାଁରେ ଅଭିଯୋଗ ଆଣିଥିବା ଲୋକଙ୍କୁ ମୁଁ କିଛି ବି ଖରାପ୍ ଭାଷାରେ ଗାଳିଗୁଲଜ କରିନାହିଁ । ମୋ ନାଁରେ ହୋଇଥିବା ଏସବୁ ଅଭିଯୋଗ କେବଳ ମନ ଗଢ଼ା । ସେମାନେ ଔଷଧ ନଖାଇ ତାଟିଆ କାମୁଡିଲା ପରି, ଦଖଲକାରୀକୁ କିଛି ନକହି ସିଧାସଳଖ ମୋ ନାଁରେ ଅଭିଯୋଗ ଆଣିଛନ୍ତି । ଏଥିରୁ ଜଣାପଡ଼ିଲା କି, ପ୍ରକୃତରେ ରସାନନ୍ଦ ଜଣେ ସହୃଦୟ, ଦୟାବାନ୍, ନିସ୍ୱାର୍ଥପର ବ୍ୟକ୍ତି । ଯିଏ କି, ଅନ୍ୟକୁ ସାହଯ୍ୟ କରିବାକୁ ଯାଇ ଆଜି ମିଛ ଅପବାଦର ଶିକାର ହୋଇଛନ୍ତି । ଅନୁଧ୍ୟାନରୁ ଜଣାପଡ଼େ, ରସାନନ୍ଦ ଜଣେ ହସଖୁସି ମିଜାଜର ଅତ୍ୟନ୍ତ ମେଳାପି ଲୋକ ଅଟନ୍ତି । ଏଣୁ ଲାଗିଥିବା ମିଥ୍ୟା ଅଭିଯୋଗକୁ ନେଇ ରସାନନ୍ଦ ଅତ୍ୟନ୍ତ ମର୍ମାହତ ହୋଇଥିବା ବେଳେ ଜବରଦଖଲ କୁହାଯାଉଥିବା ବିବାଦ ଉପରେ ସମ୍ପୂର୍ଣ୍ଣ ସ୍ଥାୟୀ ସମାଧାନ ପାଇଁ ସେ ସ୍ଥାନୀୟ ହାଟଡ଼ିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, ଜିଲ୍ଲାପାଳ କେନ୍ଦୁଝରଙ୍କ ସହ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ନିବେଦନ ପତ୍ର ପ୍ରେରିତ କରିଥିବା କହିଛନ୍ତି ।