ଜରାଜୀର୍ଣ୍ଣ ଅବସ୍ଥାରେ ନଦୀପଠା ଅଞ୍ଚଳର ମୁଖ୍ୟ ରାସ୍ତା

ଫୋକସ ପ୍ଲସ(ଗଜପତି): ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ନଦୀମୁଠା ଅଞ୍ଚଳର ମୁଖ୍ୟ ରାସ୍ତା ମରାମତି ଓ ରକ୍ଷାଣବେକ୍ଷଣ ଅଭାବରୁ ଉକ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।ରାସ୍ତାର ଅବସ୍ଥା ଯୋଗୁଁ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ହୋଇଥିବା ସମସ୍ତ ଖାଲ ଖମାରେ ପାଣି ଜମି ରହୁଛି ।ଫଳରେ ଏହି ରାସ୍ତା ଦେଇ ଯାନ ବାହାନ ଚଳାଚଳ କଲେ ନାହିଁ ନଥିବା ହଇରାଣ ହେବା ସହ ଉକ୍ତ ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅନେକ ସମୟରେ ଦୁର୍ଘଟଣାଗସ୍ତ ହେଉଥିବା ଅଭିଯୋଗ ହୋଇଛି ।ନୂଆଗଡ ବ୍ଲକର ନଦୀମୁଠା ଅଞ୍ଚଳ ଜିଲ୍ଲାରେ ଅତି ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଥିବାବେଳେ ଏହି ନଦୀମୁଠା ଅଞ୍ଚଳରେ ବ୍ଲକର ୬ଗୋଟି ଗ୍ରାମ ପଞ୍ଚାୟତ ରହିଛି ଏବଂ ଏହି ଅଞ୍ଚଳରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଗ୍ରାମ ରହିଛି ।ଯାହାର ଜନସଂଖ୍ୟା ୧୫୦୦୦ରୁ ଉର୍ଦ୍ଧ୍ବ ରହିଥିବା ଜଣାପଡିଛି ।ପଡୋଶୀ ବ୍ଲକ ରା.ଉଦୟଗିରୀ ଦେଇ ନୂଆଗଡ ସଦମହକୁମା କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ମୋହନା ବ୍ଲକ ସହ ସଂଯୋଗ କରୁଥିବା ବେଳେ ରାୟଗଡା ଜିଲ୍ଲା କୁ ମଧ୍ଯ ସଂଯୋଗ କରୁଥିବା ଏହା ଏକ ପ୍ରମୁଖ ରାସ୍ତା ହୋଇଥିବା ଯୋଗୁଁ ଲୋକେ ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଏବଂ ବିଭିନ୍ନ କାର୍ଯ୍ଯ ନିମନ୍ତେ ପ୍ରତିଦିନ ସହ ସହ ସଂଖ୍ୟାରେ ବିଭିନ୍ନ ଛୋଟ ବଡ଼ ଯାନ ବାହାନ ରେ ଯିବାଆସିବା କରନ୍ତି। ବହୁବର୍ଷ ପୂର୍ବେ ଏହି ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରିଥିବା ବେଳେ ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ପୂର୍ତ୍ତବିଭାଗ ନିଜ ଅଧୀନ କୁ ନେଇଥିବା ସୂଚନା ରହିଛି। ଗତବର୍ଷ ଅଳ୍ପକିଛି ରାସ୍ତା ମରାମତି ହୋଇଥିଲା। କିନ୍ତୁ ପୂର୍ତ୍ତ ବିଭାଗର ଖାମଖିଆଲ ନିତି ଯୋଗୁଁ ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେଉଁଠି ଝରଣା ପାଣି ରାସ୍ତାରେ ବୋହି ଏକ କୁତ୍ରିମ ନାଳ ସୃଷ୍ଟି ହୋଇଛି ତ ଆଉ କେଉଁଠି ରାସ୍ତା ରେ ବଡ଼ ବଡ଼ ଗର୍ତ୍ତ ହୋଇ ଏକ ସୁଡ଼ଙ୍ଗ ଭଳି ଦେଖାଯାଉଛି l

ତେବେ ରାସ୍ତାର ଏପରି ଅବସ୍ଥା ଯୋଗୁଁ ବହୁ ସମୟରେ ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗୀଙ୍କୁ ଡାକ୍ତଖାନା କୁ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥାଏ। ଫଳରେ ଅନେକଥର ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ରୋଗୀର ଜୀବନ ଚାଲିଯାଇଥାଏ ଏବଂ ବେଳେ ବେଳେ ଏହି କଦର୍ଯ୍ୟ ରାସ୍ତା ଯୋଗୁଁ ଗର୍ଭବତୀ ମହିଳା ଗାଡ଼ିରେ ହିଁ ପ୍ରସବ କରିଥିବା କହିଛନ୍ତି ଗ୍ରାମବାସୀ। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧି ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ଯ ରାସ୍ତାର ମରାମତି ପାଇଁ ତତ୍ପରତା ଦେଖାଉନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ସେପଟେ ନିର୍ବାଚନ ଋତୁ ଆସିଲେ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦ ପର୍ଯ୍ୟନ୍ତ ସମସ୍ତେ କେବଳ ଭୋଟ ପାଇବା ଆଶାରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ହେଲେ ନିର୍ବାଚନ ପରେ ସେସବୁ ଭୁଲି ଯାଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ସେପଟେ ତୁରନ୍ତ ଉକ୍ତ ଜରାଜୀର୍ଣ୍ଣ ରାସ୍ତାକୁ ମରାମତି କରିବା ଲାଗି ଅଞ୍ଚଳ ବାସି ଦାବି କରିଛନ୍ତି ।

ଗଜପତି ଜିଲ୍ଲାରୁ ସୁଶାନ୍ତ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *