ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ ନେଇ ଅଙ୍କକଷା

ଅନୁଗୁଳ :ଅନୁଗୁଳ ଜିଲ୍ଲାରେ ଶେଷ ହୋଇଛି ଅନ୍ତିମ ପର୍ଯ୍ୟାୟ ମତଦାନ । ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ସିଲ୍ । ଜିଲ୍ଲାରେ ମତଦାନ କାର୍ଯ୍ୟ ଶେଷ ହୋଇ ଯାଇଥିବାରୁ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ ନେଇ ଆରମ୍ଭ ହୋଇ ଯାଇଛି ସବୁଦଳ ମଧ୍ୟରେ ଅଙ୍କକଷା । ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ବ୍ୟକ୍ତିମାନେ ବିଜୟ ଆଶା ଥିବା ପ୍ରାର୍ଥୀମାନଙ୍କୁ ଏବେ ଏକାଠି କରିବା ଆରମ୍ଭ କରି ଦେଇଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢୁ ଥିଲେ ବି କାଳେ କିଏ ଅପର ପକ୍ଷରୁ ଟଙ୍କା ନେଇ କ୍ରସ୍‌ଟିଂ କରିବ ସେଥ୍ପାଇଁ ଏବେଠାରୁ ଚାଲିଲାଣି ବିଜୟୀ ଆଶା ଥିବା ପ୍ରାର୍ଥୀଙ୍କୁ ଏକଜୁଟ କରିବା । ଅପରପକ୍ଷେ ସମିତି ସଭ୍ୟ ସଭ୍ୟା ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢ଼ୁ ନ ଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ନିର୍ବାଚନ ଲଢୁଥିଲେ । କିନ୍ତୁ ଦଳୀୟ ଚିହ୍ନ ନ ଥିବାରୁ ସେମାନଙ୍କୁ ନେଇ ଚାଲିଲାଣି ଘୋଡା ବେପାର । ନିର୍ବାଚନ ଫଳାଫଳ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଜୟୀ ସମ୍ଭାବନା ଥିବା ସମିତି ସଭ୍ୟ ପ୍ରାର୍ଥୀମାନେ ଅନେକାଂଶରେ ନିଜ ଘରୁ ଉଦ୍ଭାନ ହୋଇ ଗଲେଣି । ଯେଉଁମାନଙ୍କ ଜିତିବା ସମ୍ଭାବନା ଅଧିକ ଅଛି ସେମାନଙ୍କୁ ଅଧ୍ୟକ୍ଷ ହେବାକୁ ଆଶା ରଖୁଥିବା ନେତାମାନେ ନେଇ ଜିଲ୍ଲା ବାହାରେ ଥିବା ବିଭିନ୍ନ ହୋଟେଲରେ ଅଜ୍ଞାତ ବାସରେ ରଖୁଲେଣି । ଏ ସମ୍ପର୍କରେ ଚା’ଦୋକାନଠାରୁ ଆରମ୍ଭ କରି ଗାଁ କ୍ଲବ ଘର ସବୁଠି ଏହି ଚର୍ଚ୍ଚା ଚାଲିଲାଣି । ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନ୍‌,୨୨୫ଟି ସରପଞ୍ଚ,୨୨୪ଟି ସମିତି ସଭ୍ୟ ଏବଂ ୩୦୨୭ଟି ୱାର୍ଡ ସଭ୍ୟ ପଦ ପାଇଁ ମତଦାନ ଶେଷ ହୋଇଛି । ସେମାନଙ୍କ ଭାଗ୍ୟ ଏବେ ବାଲାଟ୍‌ବାକ୍ସ ଭିତରେ ସିଲ ହୋଇଛି । ସେଗୁଡିକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍ ବାହାରେ ସମସ୍ତ ଦଳୀୟ ଓ ନିର୍ଜଳୀୟଙ୍କ ସମର୍ଥକମାନେ ପହରା ଦେଉଥିବା ଦେଖିବାକୁ ମିଳୁଛି । କାଳେ ଭୋଟ୍‌ବାକ୍ସରେ କିଛି ହେରଫେର ହୋଇଯିବ ସେହି ଡର ଏବେ ସମସ୍ତଙ୍କୁ ଘାରିଛି । ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ, ଉପାଧ୍ୟକ୍ଷ ପଦ ଏବଂ ଜିଲ୍ଲାରେ ଥୁବା ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପାଇଁ ପରୋକ୍ଷ୍ୟ ନିର୍ବାଚନ ହେବ । ବିଶେଷ କରି ବିଜେଡି ଓ ବିଜେପି ଦଳର ଆଶାୟୀ ପ୍ରାର୍ଥୀମାନେ ଦଳୀୟ ବିଧାୟକ ଓ ସାଂସଦମାନଙ୍କ ପାଖରେ ଜୋରସୋର ଲବି ଆରମ୍ଭ କଲେଣି । ବହୁ ପୁରୁଖା ନେତା ଓ ନେତ୍ରୀ ଅଧ୍ୟକ୍ଷ ପଦ ଟିକେଟ ହାତେଇବାକୁ ଲବି କରିବାକୁ ଆରମ୍ଭ କଲେଣି । ନିର୍ବାଚନ ଫଳାଫଳ ଘୋଷଣାକୁ ଆହୁରି ସମୟ ବାକି ଅଛି; ମାତ୍ର ଆଜିଠାରୁ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ କିଣିବା ପାଇଁ ବହୁ ନେତା ଅଣ୍ଟା ଭିଜୁଥିବା ଦେଖିବାକୁ ମିଳୁଛି । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦର କ୍ଷମତା ହାତେଇବା ଲାଗି ବିଭିନ୍ନ ଆଶାୟୀମାନେ ଏବେ ଟଙ୍କା ଯୋଗାଡ କରୁଥିବା ଘଟଣା ଚାରିଆଡେ ଚର୍ଚ୍ଚା ହେଉଛି । ତେଣୁ ଅଗାମୀ ଦିନରେ କିଏ କେତେ ଘୋଡା ବେପାର କରି ରାଜ ସିଂହାସନ ହାସଲ କରି ପାରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *