ଜି.ଆର.ଏସ ଖାଇଗଲେ ଭତ୍ତା ଟଙ୍କା !

ଫୋକସ ପ୍ଲସ(ଚାନ୍ଦବାଲି)୨୨/୦୮/୨୦୨୨: ପରିଣତ ବୟସ ଆଉ ଦିବ୍ୟାଙ୍ଗ ଅସହାୟ ମାନଙ୍କୁ ସରକାର ମଧୁବାବୁ ପେନସନ ଯୋଜନାରେ ପାଞ୍ଚଶହ ରୁ ସାତଶହ ଟଙ୍କା ପେନସନ ଦେଉଛନ୍ତି। ହେଲେ ମୁନ୍ନାଫାଖୋର ପ୍ରଶାସନିକ ଅଧିକାରୀଙ୍କ ପାଇଁ ଯୋଜନାର ସୁଫଳ ଲୋକେ ପାଇ ପାରୁନାହଁନ୍ତି। 5ଟି ଜରିଆରେ ସରକାର ସ୍ୱଛତାର ଡିଣ୍ଡିମ ପିଟୁଛନ୍ତି ହେଲେ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସମାସ କାଳ ଦୌଡାଇ ପେନସନ ଟଙ୍କାକୁ ଚଳୁ କରୁଛନ୍ତି। ଦୁଇଶହରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିଛନ୍ତି ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଘଟପୁର ଆସନ୍ତୁ ଦେଖିବା ଯୋଜନାର ନାଁ ହରିଲୁଟ । ନଜର ପକାନ୍ତୁ ଏହି ପେନସନ ଆଇଡେଣ୍ଟି ବହିକୁ ଏ ହେଉଛନ୍ତି ଚାନ୍ଦବାଲି ବ୍ଲକ୍ ଘଟପୁର ପଞ୍ଚାୟତ ହେଙ୍ଗୁପତି ଗାଁର ବିଦ୍ୟାଧର ଦାସ। ୨୦୨୧ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ତାଙ୍କୁ ପେନସନ ଯୋଜନାରେ ଟଙ୍କା ମିଳିଛି ହେଲେ ୨୦୨୧ ସେପ୍ଟେମ୍ବର ଠାରୁ ୨୦୨୨ ଏପ୍ରିଲ ମାସ ପର୍ଯ୍ୟନ୍ତ ପାଖାପାଖି ୮ମାସର ଟଙ୍କା ମିଳିନଥିବା ବେଳେ ୨୦୨୨ ମେ ମାସ ୩୧/୦୫/୨୦୨୨ ମସିହାରେ ତାଙ୍କ ବ୍ୟାଙ୍କ ଖାତାକୁ ପେନସନ ବାବଦକୁ ୫ଶହ ଟଙ୍କା ଆସିଛି ହେଲେ ପୂର୍ବ ୮ମାସ ଟଙ୍କା ମିଳିନାହିଁ। ଆଉ ଏ ହେଉଛନ୍ତି ସେହି ଗାଁର ରମ୍ବିଳା ଦାସ। ୟାଙ୍କ ଖାତାରେ ବି ଜୁଲାଇ ମାସ ପର୍ଯ୍ୟନ୍ତ ୩ମାସ ଟଙ୍କା ମିଳିନାହିଁ। ଆଉ ଏ ହେଉଛନ୍ତି ସେହି ଗାଁର ଭାସ୍କର ବଳ। ଆଉ ୟାଙ୍କ ଖାତାରେ ମଧ୍ୟ ୨୦୨୨ମସିହା ମେ ଓ ଜୁନ୍ ୨ମାସର ପେନସନ ଟଙ୍କା ମିଳିନାହିଁ। ଖାଲି ବିଦ୍ୟାଧର ରମ୍ବିଳା କି ଭାସ୍କର ନୁହଁନ୍ତି ଏହି ପଞ୍ଚାୟତର ପାଖାପାଖି ୧୫୦ରୁ ଉର୍ଦ୍ଧ୍ବ ବିଧବା, ବାର୍ଧକ୍ୟ, ଦିବ୍ୟାଙ୍ଗ ଓ ଅସହାୟ ବୁଢା ବୁଢ଼ୀଙ୍କର କାହାର ୮ମାସ ତ କାହାର ୪ମାସ ତ କାହାର ୩ମାସ ୨ମାସ ର ୫ଶହ ଟଙ୍କା କରି ପାଖାପାଖି ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଭତ୍ତା ଟଙ୍କା ପ୍ରଦାନ ଦାୟିତ୍ୱରେ ଥିବା ଜିଆରଏସ କମଳାକାନ୍ତ ଜେନା ହଡ଼ପ କରିଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ପରିଣତ ସମୟରେ ସରକାରଙ୍କ ସହାୟତା ମୁତାବକ ଏମାନଙ୍କୁ ୫ଶହ ରୁ ୭ଶହ ଟଙ୍କା ସରକାର ଭତ୍ତା ପ୍ରଦାନ କରୁଛନ୍ତି। ପଞ୍ଚାୟତରେ ଥିବା ପାଖାପାଖି ୨୦୦ ଲୋକଙ୍କୁ କ୍ୟାସ୍ ଏକାଉଣ୍ଟ ଜରିଆରେ ପଞ୍ଚାୟତ ଜିଆରଏସ ପ୍ରତିମାସ ଟଙ୍କା ପ୍ରଦାନ କରିଥାନ୍ତି ଆଉ ବହିରେ ମଧ୍ୟ ଏଣ୍ଟ୍ରି କରିଥାନ୍ତି। ଏହି ଟଙ୍କା ପାଇ ବୃଦ୍ଧ ଦିବ୍ୟାଙ୍ଗ ମାନେ କେହି କେହି ମେଡ଼ିସିନ ଖର୍ଚ୍ଚ କରନ୍ତି ତ କିଏ ପୁଣି ବ୍ୟତିଗତ ଖର୍ଚ୍ଚ କରନ୍ତି। ହେଲେ ମାସମାସ ହେଲା ଟଙ୍କା ପାଉନଥିବାରୁ ହିତାଧିକାରୀ ମାନେ ବାରମ୍ବାର ପଞ୍ଚାୟତକୁ ଦୌଡ଼ିଥାନ୍ତି। ହେଲେ ଦାୟିତ୍ୱରେ ଥିବା ଜିଆରଏସ କେତେବେଳେ ଅନୁପସ୍ଥିତ ଥାଆନ୍ତି ତ କେତେବେଳେ ଏ ମାସ ନାହିଁ ଆରମାସ କୁ ଆସ, ତମ ବ୍ୟାଙ୍କ ଖାତାକୁ ପଳାଇଛି ଦେଖ, ସରକାର ଦେଇନାହଁନ୍ତି ଏମିତି କହି ସମୟ ଗଡାଇବା ସହିତ ବୃଦ୍ଧା ମାନଙ୍କୁ ନିରାଶ କରି ଘରକୁ ଫେରାନ୍ତି। ଦୂରଦୁରାନ୍ତରୁ ଯାଇଥିବା ଅସହାୟ ଲୋକମାନେ ନିରାଶ ହୋଇ କାନମୁଣ୍ଡ ଆଉଁଶି ଭଗବାନଙ୍କ ଉପରେ ଛାଡ଼ିଦେଇ ଘରେ ବସନ୍ତି। ମାସମାସ ଗଡ଼ିବା ପରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ଭତ୍ତା ହିତାଧିକାରୀ। କିଛି ସୁଫଳ ନହେବାରୁ ସମସ୍ତେ ଏକଜୁଟ ହୋଇ ବିଡ଼ିଓଙ୍କ ଦ୍ୱାରସ୍ତ ହୋଇଥିଲେ। ବିଡ଼ିଓ ଘଟଣାର ଅନୁସନ୍ଧାନ କରି ତତ୍କାଳ ପଞ୍ଚାୟତର ଭିଏଲଡବ୍ଲୁ ଙ୍କୁ ଗୋଟିଏ ମାସର ଭତ୍ତା ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ। ହେଲେ ଅବଶିଷ୍ଟ ମାସ ଗୁଡିକର ଭତ୍ତା ପାଇବାରୁ ହିତାଧିକାରୀ ମାନେ ବଞ୍ଚିତ ଥିବାବେଳେ ଏହାର କୌଣସି ସମାଧାନ ହୋଇପାରିନାହିଁ। ଏନେଇ ଆମେ ଅଭିଯୋଗ ଆସିଥିବା ପଞ୍ଚାୟତର ଜିଆରଏସ କମଳାକାନ୍ତ ଜେନାଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବିଡ଼ିଓ କହିଛନ୍ତି ଏକ ଟିମ୍ କରି ତଦନ୍ତ ନିର୍ଦେଶ ଦିଆଯାଇଛି ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *