ଫୋକସ ପ୍ଲସ (ସୁନ୍ଦରଗଡ)୨୩/୦୬/୨୦୨୨: ସୁନ୍ଦରଗଡ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଧେଇମୁଣ୍ଡା ପଞ୍ଚାୟତର ଗୁଲେଇପଡ଼ା ଗାଁର ବିଷ୍ଣୁ ହେସ ନାମକ ଜଣେ (୨୮) ବର୍ଷୀୟ ଯୁବକ, ନିଜର ସମ୍ପର୍କୀୟ ୧୨ ବର୍ଷୀୟ ନାବାଳିକା ଝିଆରୀ ସହିତ ଜୋର ଜବରଦସ୍ତ ଦୀର୍ଘ ଦିନ ହେବ ଦୁଷ୍କର୍ମ କରି ଆସୁଥିଲା ।ନାବାଳିକା ଜଣକ ବଡ଼ଗାଁ ଥାନା ଅନ୍ତର୍ଗତ ତୁଡାଲଗା ସ୍ଥିତ କନ୍ୟାଆଶ୍ରମରେ ୭ମ ଶ୍ରେଣୀରେ ପାଠ ପଢୁଥିବା ନେଇ ସୂଚନା ମିଳିଛି।ପିଡ଼ିତା ନାବାଳିକା ତାଙ୍କର ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ସମ୍ପର୍କରେ ଖବର ପାଇ ନିଜର ଘରକୁ ଆସିଥଲେ।ତାଙ୍କ ବାପାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏହି ସମୟରେ ତାଙ୍କ ମାଆ ମଧ୍ୟ ଡାକ୍ତରଖାନାରେ ରହିଥିଲେ।ଉକ୍ତ ନାବାଳିକା ଘରେ ଏକାକୀ ଥିବାର ସୁଯୋଗ ନେଇ କକା ବିଷ୍ଣୁ ହେସ ନିଜର ଝିଆରିର ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରୁଥିଲା।ଏହି ସମୟ ମଧ୍ୟରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ।ପିଡ଼ିତାଙ୍କର ବାପା ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିବା ପରେ ନାବାଳିକା ପୁନଶ୍ଚ କନ୍ୟାଆଶ୍ରମକୁ ଫେରି ଯାଇଥିଲେ।କନ୍ୟାଆଶ୍ରମର ଶିକ୍ଷୟିତ୍ରୀ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ତାଙ୍କର ଅଭିଭାବକଙ୍କୁ ଖବର ଦେବା ସହିତ ପିଡ଼ିତାଙ୍କୁ ହସ୍ତାନ୍ତର କରିଥିଲେ।ଏହାପରେ ଗତ ମେ ମାସ ୧୮ ତାରିଖ ଦିନ ପିଡ଼ିତାଙ୍କର ମାଆବାପା କୁତ୍ରା ଥାନାରେ ଅଭିଯୁକ୍ତ ନାଁରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏହା ଜାଣିବାପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା।ଲିଖିତ ଅଭିଯୋଗ ପାଇଵା ହେଲେ କୁତ୍ରା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ହାତ ଉପରେ ହାତ ପକେଇ ବସି ରହିଲା।ତେଣୁ ବାଧ୍ୟ ହୋଇ ପିଡ଼ିତାଙ୍କର ପରିବାର ଲୋକେ ଏବଂ ଗ୍ରାମବାସୀ ମିଳିତ ହୋଇ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ପାଇଁ ଦାବି କରିବା ସହିତ କୁତ୍ରା ଥାନା ଘେରାଉ କରିଥିଲେ।ଏହାପରେ ମଧ୍ୟ ପୁଲିସର ନିଦ ଭାଙ୍ଗିନଥିଲା।ଅଭିଯୁକ୍ତ ବିଷ୍ଣୁ ହେସର ଜଣେ ବନ୍ଧୁ ଶତ୍ରୁଘ୍ନ ଜୟପୁରିୟା ଚଳିତ ମାସ ଗତ ୪ତାରିଖ ଦିନ ପିଡ଼ିତାଙ୍କର ମାଆବାପା ସମ୍ମୁଖରେ ଅଭିଯୁକ୍ତ କେଉଁଠି ଲୁଚିଛି ମୋତେ ଜଣାଅଛି ବୋଲି କହିଥିଲା।ତେଣୁ ପିଡ଼ିତାଙ୍କର ମାଆବାପା ତାକୁ ଅଭିଯୁକ୍ତ କେଉଁଠି ଅଛି ବୋଲି ପ୍ରଶ୍ନ କରିଥିଲେ।କିନ୍ତୁ ଅଭିଯୁକ୍ତର ବନ୍ଧୁ ଶତ୍ରୁଘ୍ନ ଉତ୍ତର ଦେବା ପରିବର୍ତେ ଉତେଜିତ ହୋଇ ପିଡ଼ିତାଙ୍କର ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲା। ଏହା ପରେ ଅଭିଯୁକ୍ତ ବିଷ୍ଣୁ କୁତ୍ରା ଥାନାରେ ଆତ୍ମସମର୍ପଣ କରିଥିଲା।ଆତ୍ମସମର୍ପଣ କରିବା ପରେ ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା।ଉକ୍ତ ଘଟଣା ପରେ ଶତ୍ରୁଘ୍ନ ପ୍ରଥମେ କୁତ୍ରା ଥାନାରେ ୧୨ ଜଣଙ୍କ ନାଁରେ ଲିଖିତ ଭାବେ ମିଥ୍ୟା ଅଭିଯୋଗ କରିବା ପରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲା।ଡାକ୍ତରଖାନାରୁ ଫେରିବା ପରେ ଉକ୍ତ ଘଟଣା ସମୟରେ ଉପସ୍ଥିତ ନଥିବା ଦୟାନନ୍ଦ ଜୟପୁରିୟା(୭୫) ଏବଂ ରତ୍ନାକର ଜୟପୁରିୟା(୫୫)ଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲା।ଉକ୍ତ ଲିଖିତ ଅଭିଯୋଗକୁ ଭିତ୍ତିକରି କୁତ୍ରା ପୁଲିସ ସଠିକ ତଦନ୍ତ କରିବା ପରିବର୍ତ୍ତେ ନିର୍ଦୋଷ ଦୟାନନ୍ଦ ଜୟପୁରିୟା(୭୫)ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଗୁଲେଇପଡାର ୱାର୍ଡ ମେମ୍ବର ରଶ୍ମିତା ହେସ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ଅଭିଯୁକ୍ତ ବିଷ୍ଣୁ ହେସର ଭାଇ ବିଜେପି ଦଳର କୁତ୍ରା ବ୍ଲକ ସଭାପତି ପଦବୀରେ ଅଛନ୍ତି।ତେଣୁ କୁତ୍ରା ପୁଲିସ ତାଙ୍କ ସହିତ ହାତ ମିଶାଇ ଦୋଷୀ ମାନଙ୍କୁ ଦଣ୍ଡ ଦେବା ପରିବର୍ତେ ନିର୍ଦୋଷ ମାନଙ୍କୁ ଧରି ଜେଲରେ ପୁରାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହିତ ନ୍ୟାୟ ପାଇବା ପାଇଁ ଜିଲ୍ଲା ଏସପିଙ୍କର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
ରାଜଗାଙ୍ଗପୁର ରୁ ଅଟଳ ବିହାରୀ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |