ଟ୍ରମ୍ପ କହିଲେ ମୁଁ ଜିତି ଯାଇଛି

ଆମେରିକା : ଆମେରିକାରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ସରଗରମ ଅଛି। କାରଣ ଆସନ୍ତା ନଭେମ୍ବର ୫ରେ ଏଠି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନକୁ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଉଭୟ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାରି ମଧ୍ୟରେ ପରମ୍ପରା ଅନୁଯାୟୀ ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମହାବିତର୍କ ହୋଇସାରିଛି। ଏଥିରେ ଗର୍ଭପାତଠାରୁ ଆରମ୍ଭ କରି ଯୁଦ୍ଧ, ଅର୍ଥନୀତିଠାରୁ ଆରମ୍ଭ କରି ଗୃହ ସଙ୍କଟ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗ ସ୍ଥାନ ପାଇଥିଲା। ତେବେ ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଆଉ ଏକ ରାଉଣ୍ଡ ମହାବିତର୍କ ନିମନ୍ତେ କମଳା ହାରିସ ଇଚ୍ଛକ ଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି ଯେ , ହାରିସ ଆଉ ଏକ ବିତର୍କ ପାଇଁ ଆଗ୍ରହୀ ଥିବାର ଅର୍ଥ ସେ ହାରି ଯାଇଛନ୍ତି। ଏବେ ସ୍ଥିତି ସୁଧାରିବାକୁ ସେ ପ୍ରୟାସ ଆରମ୍ଭ କରି ଆଉ ଏକ ବିତର୍କ ପାଇଁ ଯୋଜନା କରୁଛନ୍ତି ।

ଏହାଛଡା ଟ୍ରମ୍ପ ଆହୁରି କହିଛନ୍ତି ଯେ ମଙ୍ଗଳବାର ରାତିରେ ହୋଇଥିବା ବିତର୍କରେ ମୋର ବିଜୟ ହୋଇଛି । ପ୍ରଥମ ଥର ଜୁନ୍‌ରେ ରାଷ୍ଟ୍ରପତିଙ୍କ ବିପକ୍ଷରେ ମୋର ପ୍ରଥମ ବିତର୍କ ହୋଇଥିଲା। ଏହାପରେ ମଙ୍ଗଳବାର କମଳା ହାରିସଙ୍କ ସହ ଦ୍ୱିତୀୟ ଥର ବିତର୍କରେ ବି ମୋର ସ୍ପଷ୍ଟ ବିଜୟ ହୋଇଛି। ତେଣୁ ଏବେ ଆଉ ତୃତୀୟ ବିତର୍କର କୌଣସି ଆବଶ୍ୟକତା ନାହିଁ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । କିନ୍ତୁ ଅନ୍ୟପଟେ ବିତର୍କରେ ନିଜେ ଜିତିଥିବା ଟ୍ରମ୍ପ ଦାବି କରୁଥିବା ବେଳେ ଆମେରିକାର ମିଡିଆ ସର୍ଭେ କିନ୍ତୁ କିଛି ଅଲଗା ତଥ୍ୟ ଦେଉଛି। CNN ସର୍ଭେ ଅନୁଯାୟୀ, ୬୩% ଦର୍ଶକଙ୍କ କହିବାନୁଯାୟୀ, ବିତର୍କରେ ହାରିସ ଜିତିଛନ୍ତି । କିନ୍ତୁ ୩୭% ଟ୍ରମ୍ପଙ୍କ ସପକ୍ଷରେ ମତ ଦେଇଛନ୍ତି। ସେହିପରି YouGov ପକ୍ଷରୁ ହୋଇଥିବା ସର୍ଭେରେ ୪୩% ଲୋକ ହାରିସ ଟ୍ରମ୍ପଙ୍କଠୁ ଭଲ ପ୍ରଦର୍ଶନ କରିଥିବା କହିଥିବା ବେଳେ ୨୮% ଟ୍ରମ୍ପଙ୍କୁ ସମର୍ଥନ କରିଥିବା ବେଳେ ୩୦% ମଝି ରାସ୍ତା ବାଛିଥିଲେ।

Leave a Reply

Your email address will not be published. Required fields are marked *