ତାରାଗାଁରେ କୃଷି ଭିତ୍ତିକ ଦିଆଲି ପର୍ବ ପାଳିନ……

ନବରଙ୍ଗପୁର04/01/2024; ନବରଙ୍ଗପୁର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ୯୦% ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଏହି ଜିଲ୍ଲାରେ ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ପାଳନ କରିଥାନ୍ତି। ଏଥି ମଧ୍ୟରୁ ‘ଦିଆଲି’ ପର୍ବ ଅନ୍ୟତମ। ଜମିରୁ ଫସଲ ଅମଳ ହେବା ପରେ ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଏହି ପର୍ବ ପାଳନ କରାଯାଏ। ଜମିର ଫସଲ ସମ୍ପୂର୍ଣ୍ଣ ଅମଳ ହେବା ପରେ ଗ୍ରାମର ମୁଖିଆ ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ହୋଇଥାଏ। ଏହି ନିଦ୍ଦିଷ୍ଟ ଗ୍ରାମରେ କେବେ ଦିଆଲି ପର୍ବ ପାଳନ ହେବ ସେନେଇ ବୈଠକରେ ଦିନ ଧାର୍ଯ୍ୟ ହୋଇଥାଏ।ଏହା ପରେ ଗଣ୍ଡାଙ୍କ ଦ୍ୱାରା ଏ ସଂପର୍କରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ। ବିଶେଷ କରି ଦିଆଲି ପର୍ବ ପ୍ରତିବର୍ଷ ଜମିରୁ ଫସଲ ଅମଳ ହେବା ପରେ ମାର୍ଗଶୀର ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇ ପ୍ରାୟ ପୌଷ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥାଏ। ଏହି ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଠାରେ ବହୁ ଆଡ଼ମ୍ବରରେ କୃଷି ଭିତ୍ତିକ ଦିଆଲି ପର୍ବ ପାଳନ ହୋଇଯାଇଛି | ହିନ୍ଦୁ ପରମ୍ପରା ଅନୁଯାୟୀ ଚାଷୀ ଅମଳ କରିଥିବା ପ୍ରଥମ ଫସଲ ଯଥା- ଧାନ, ମାଣ୍ଡିଆ, ବିରି, କାନ୍ଦୁଲ, ଝୁଡଙ୍ଗ ଆଦିକୁ ଗୋମାତାଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଗୋରୁଙ୍କ ଗୋଡ଼ ଧୋଇ ହଳଦୀ ଚନ୍ଦନ ଦେଇ ଏବଂ ଧୂପ ଦୀପ ସହ ବନ୍ଦାପନା କରାଯାଇଥିଲା । ଏହାପରେ ନୂଆ ଚାଉଳ, ବିରି, କାନ୍ଦୁଲ, ଝୁଡଙ୍ଗ ଆଦିରେ ଖେଚୁଡ଼ି ପ୍ରସ୍ତୁତ କରି ଗୋମାତାଙ୍କୁ ସମର୍ପଣ କରିବା ପରମ୍ପରା କେଉଁ ଅନାଦି କାଳରୁ ଚାଲି ଆସିଛି| ଦିଆଳି ପାଇଁ ତାରାଗାଁ ଗ୍ରାମ ଚଳଚଞ୍ଚଳ ହୋଇଉଠିଛି। ଚାରିଆଡ଼େ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି | ଦିଆଲି ପର୍ବ ପାଇଁ ଜମିରୁ ଅମଳ ହୋଇଥିବା ନୂଆଧାନର ଚାଉଳରେ ପ୍ରଥମେ ଖିଚିଡି ତିଆରି କରାଯାଇଥିଲା । ସେହିପରି ବିଭିନ୍ନ ରକମର ପିଠା ତିଆରି କରାଯାଇଥିଲା । ସେହିପରି କ୍ଷୀରି ତିଆରି କରି ସେଥିରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପିଠା ପକାଇ ଗାଈଗୋରୁଙ୍କୁ ଖାଇବା ପାଇଁ ଦିଆଯାଇଥିଲା ଏବଂ ଗୋରୁଙ୍କ ସହିତ ଅଇଁଠା ଖିଚିଡିକୁ ଭଗ ଭାବରେ ପରିବାର ଲୋକ ଖାଇଥିଲେ । ବିଶେଷ କରି ଗାଈ ଚରାଉଥିବା ଗୌଡ଼ମାନେ ପ୍ରାୟ ୩ରୁ ୪ଦିନ ଧରି ଗାଈ ଚରାଇବାରୁ ବିରତି ନେଇ ନାଚଗୀତରେ ମସଗୁଲ ହୋଇଥାନ୍ତି | ଗାଈ ପାଳନ କରୁଥିବା ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଏହି ପର୍ବ ପାଳନ ହୋଇଥାଏ। ଗୋମାତାଙ୍କୁ ଏହି ପର୍ବରେ ପୂଜାର୍ଚ୍ଚନା କରିବା ପରମ୍ପରା ବହୁ ବର୍ଷ ଧରି ଚଲି ଆସିଛି। ଆଧୁନିକ ସଭ୍ୟତା ଭିତରେ ଅନେକ ପୁରୁଣା ପରମ୍ପରା ସମୟ ସ୍ରୋତରେ ହଜି ଯାଇଥିବା ବେଳେ ଏବେ ମଧ୍ୟ ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଅନେକ କୃଷିଭିତ୍ତିକ ପର୍ବପର୍ବାଣି ବଞ୍ଚି ରହିଛି।

 

 

 

Leave a Reply

Your email address will not be published. Required fields are marked *