ତାଳଚେରରେ ଜୋର୍ ଧରିଛି ଗାଁ ରାଜନୀତି

ତାଳଚେର : ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ତାଳଚେର ବ୍ଲକ୍‌ର ସମସ୍ତ ୨୧ଟି ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପଦବିରେ ମୁଖ୍ୟତଃ ବିଜେଡି ଓ ବିଜେପି ସମର୍ଥକ ମଧ୍ୟରେ ହେଉଥିବା ଦେଖିବାକୁ ମିଳିଛି ।ନବୀନ ଶାସନରେ ଯେଉଁସବୁ ଜନହିତକର କାର୍ଯ୍ୟ କରାଯାଇଛି ସେ ସମ୍ପର୍କରେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଜେଡି ନେତା, କର୍ମୀ । ସେହିପରି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାସ ଯୋଜନା, ଟଙ୍କାକିଆ ଚାଉଳ, ଭରା ଓ ଗାଁ’ର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଅନୁଦାନ ପ୍ରସଙ୍ଗରେ ଜନସାଧାରଣଙ୍କୁ ସଚେତନ କରାଯାଇ ଭୋଟ୍ ହାତେଇବାକୁ ଉଦ୍ୟମ କରାଯାଉଛି ।


କଂଗ୍ରେସ ପକ୍ଷରୁ ତାଳଚେରରେ ଦଳୀୟ ନେତାଙ୍କର ଦେଖାଦର୍ଶନ ମିଳୁନଥିବା ବେଳେ ପ୍ରାର୍ଥୀମାନେ ନିଜ ଦୟରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଥ ହୋଇଛନ୍ତି । ବିଜେଡି ପକ୍ଷରୁ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଗାଁ’କୁ ଗାଁ ଯାଇ ଭୋର୍ଟମାନଙ୍କୁ ପଞ୍ଚାୟତ ତଥା ଗ୍ରାମରେ ଥିବା ବିଭିନ୍ନ ଅଭାବ ଅସୁବିଧା ଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ବିଧାୟକ ଶ୍ରୀ ପ୍ରଧାନ ଏକତ୍ର ହୋଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ସଭା ସମିତି କରିବା ସହିତ ଗାଁ କୁ ଗାଁ ବୁଲି ଜୋରଦାର ପ୍ରଚାର ଚଳାଇଛନ୍ତି । ସେହିପରି ବିଜେପି ପକ୍ଷରୁ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଯଯାତି ପଟ୍ଟନାୟକ, ପର୍ଶୁରାମ ବାରିକ, ପ୍ରକାଶ ମହାରଣା, ଜିତେନ୍ଦ୍ର ଦାସ, ଦୀପକ କୁମାର ଥମ୍ବ, ଆଇନ୍‌ଜୀବୀ ଦୟାସାଗର ମିଶ୍ର, ପ୍ରଶାନ୍ତ କୁମାର ଦାସ, ସ୍ୱାଧୀନ କୁମାର ଥମ୍ବଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ବିଭିନ୍ନ ପଞ୍ଚାୟତରେ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି । ମତଦାନ ତାରିଖ ପାଖେଇ ଆସୁଥିଲା ବେଳେ ବିଭିନ୍ନ ଦଳ ପକ୍ଷରୁ ଗାଁ ଗାଁରେ ଭୋଜିଭାତର ଆସର ଜମୁଛି । ପ୍ରାର୍ଥୀମାନଙ୍କ ଭିତରେ ବ୍ୟାନର, ପୋଷ୍ଟର ଲଗା ନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ମଧ୍ୟ ଜୋରଦାର କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *