ଭୁବନେଶ୍ୱର : ବଡ ଖବର ଶେଷରେ ବହୁ ଚର୍ଚ୍ଚିତ ଭରତପୁର ଥାନାରେ ଆଜି ଲାଗିଲା ସିସିଟିଭି। ଏଣିକି କଏଦ ହେବ ଥାନା ଭିତରେ ଘଟୁଥିବା ସମସ୍ତ ଦୃଶ୍ୟ। ୨୫ଟି ସିସିଟିଭି ଲାଗିବାକୁ ବ୍ୟବସ୍ଥା ଥିବା ବେଳେ ଆଜି ୧୬ଟି ଇନଷ୍ଟଲ୍ ହୋଇଛି। ଥାନାରେ ପୋଲିସ ଲୋକଙ୍କ ଅଭିଯୋଗ ଶୁଣୁଛି ନାଁ ସେମାନଙ୍କୁ ନିର୍ଯାତନା ଦେଉଛି ତାହା ଏଥର ଜଣାପଡିବ। ସୂଚନା ଅନୁସାରେ ଗତ ୧୫ ତାରିଖରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିବା ନେଇ ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି । ଏହାସହ ଏହି ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ବେଳେ ଭରତପୁର ଆଦର୍ଶ ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହି ମାମଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିବା ସହ ରାଜ୍ୟରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ ।