ଦିବ୍ୟାଙ୍ଗଙ୍କ ପାଇଁ ପ୍ରହସନ ପାଲଟିଛି ଖାଦ୍ୟ ସୁରକ୍ଷା ଯୋଜନା

ଫୋକସ ପ୍ଲସ (ବୋରିଗୁମ୍ମା) ୨୫/୦୭/୨୦୨୨: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ବାରମ୍ବାର ଯୋଗାଣ ଅଧିକାରୀ,ପଂଚାୟତ ପିଇଓ ଙ୍କ ପାଖକୁ ଯାଇ ଥକି ଗଲେଣି ଦିବ୍ୟଙ୍ଗ । ଅଭିଯୋଗ ପରେ ବି ଦିବ୍ୟଙ୍ଗଙ୍କ ଦୁଃଖ ଶୁଣୁ ନାହାଁନ୍ତି ସରକାରୀ ବାବୁ । ରାସନ କାର୍ଡ ଟିଏ ପାଇବା ପାଇଁ ଏ ଅଫିସ ରୁ ସେ ଅଫିସ କୁ ବୁଲି ବୁଲି ନାକେଦମ ହେଇ ସାରିଲେଣି ଅସହାୟ ଯୁବକ ଜଣକ । ଥିଲା ଵାଲା କୁ ମିଳୁଛି ଯାହାକୁ ମିଳିବା କଥା ତାହାକୁ ଭୁଲି ଯାଉଛି ସ୍ଥାନୀୟ ପ୍ରଶାସନ ।ପ୍ରହସନ ପାଲଟିଛି ପଂଚାୟତ ଜନ ଶୁଣାଣୀ ଶିବିର । କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ । ପରିବାର ପୋଷଣ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଦିବ୍ୟଙ୍ଗ ଏବଂ ତାଙ୍କ ପରିବାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ କାଠରଗଡ଼ା ପଂଚାୟତ ପାଖନାଗୁଡା ଗ୍ରାମରେ । ଚେନାଇ ଠାରେ ଟ୍ରେନ ଦୁର୍ଘଟଣାରେ ହାତ ଗୋଡ଼ ହରାଇ ଥିବା ଉକ୍ତ ଗ୍ରାମର ଦିବ୍ୟଙ୍ଗ ଦିନବନ୍ଧୁ ଯାନୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇ ପଡିଛି।ଗାଁରେ କାମ ଧନ୍ଦା ନ ପାଇ ଦାଦନ ଯାଇଥିଲେ ଗରିବ ଅସହାୟ ଦିବ୍ୟଙ୍ଗ ଦୀନବନ୍ଧୁ । ସେଠାରେ ସେ ଟ୍ରେନ ଯୋଗେ ଘରକୁ ଆସିବା ବେଳେ ହଟାତ ଚଳନ୍ତା ଟ୍ରେନରୁ ଖସି ଗୋଟିଏ ହାତ ଓ ଗୋଡ଼ ହରାଇ ଥିଲେ ।ଚେନାଇ ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ହେବା ପରେ ଭାଗ୍ୟ ବସତ ଜୀବିତ ଭାବରେ ଗାଁ ଲୋକଙ୍କ ସହାୟତାରେ ସେଠାରୁ ଘରକୁ ଫେରିଥିଲେ ଦୀନବନ୍ଧୁ ।ଏବେ ସେ ଅକର୍ମଣ୍ୟ,ଘରୁ ବାହାରି ପାରୁ ନାହାଁନ୍ତି, ଆଉ କାମ ଧନ୍ଦା କରିବା ପାଇଁ ସେ ସକ୍ଷମ ବି ନାହାନ୍ତି । ସେଇଥି ପାଇଁ ବାରମ୍ବାର ପ୍ରଶାସନ ପାଖରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ରାସନ କାର୍ଡ ସହିତ ୩୫କିଲୋ ଚାଉଳ ଏବଂ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଅଫିସର ପାଖକୁ ଯାଇ ଯାଇ ଥକି ପଡିଛନ୍ତି ଏହି ଦିବ୍ୟଙ୍ଗ ଯୁବକ ଜଣକ ।ବାରମ୍ବାର ଗୁହାରି କରିବା ପରେ ମଧ୍ୟ ଏହି ଦିବ୍ୟଙ୍ଗଙ୍କୁ ଏ ଯାଇଁ କୋଣସି ସହାୟତା ମିଳି ପାରି ନାହିଁ । ଘରେ ସ୍ତ୍ରୀ ଓ ଛୋଟ ଛୁଆକୁ ନେଇ ଛୋଟ ଏକ ସଂସାର ।୩୫କିଲୋ ଚାଉଳ ସହିତ ଛାତ ଘର ଏବଂ ଆତ୍ମନିର୍ଭରଶୀଳ ପାଇଁ କିଛି ଆର୍ଥିକ ସହାୟତା ପାଇଁ ଗଣମାଧ୍ୟମ ଜରିଆରେ ପୁଣିଥରେ ନିବେଦନ କରିଛନ୍ତି ଦିବ୍ୟଙ୍ଗ ଦୀନବନ୍ଧୁ ଯାନୀ ।
ଜଣେ ଦିବ୍ୟଙ୍ଗ ବାରମ୍ବାର ବିଭିନ୍ନ ସମୟରେ ଗୁହାରି କରିଥିଲେ ମଧ୍ୟ ତାକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ ଏହା ଦୁଖଃର ବିଷୟ ଏବଂ ତାକୁ ଯଥାଶୀଘ୍ର ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଟ୍ରାଇବ’ ର ସଭାପତି କୃତିବାସ ନାୟକ ଦାବି କରିଥିବା ବେଳେ ବୋରିଗୁମ୍ମା ଜୋନ 3ର ଜିଲ୍ଲାପରିଷଦ ସଭ୍ୟ ପିଙ୍କୁ ସତପଥୀ ପ୍ରଶାସନ ସହିତ ଆଲୋଚନା କରି ଯଥାଶୀଘ୍ର କେମିତି ସହଯୋଗ ମିଳିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |
ତେବେ ସରକାରୀ ସହାୟତାରେ ଚାହିଁ ବସିଥିବା ଦିବ୍ୟଙ୍ଗ ଦୀନବନ୍ଧୁ ଯାନୀର ପରିବାରକୁ କେବେ ରାସନ କାର୍ଡଟିଏ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ମିଳୁଛି ତାହାକୁ ଦେଖିବା ବାକିରହିଲା ।

ବୋରିଗୁମ୍ମାରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *