ଦୁର୍ଗମ ଅଞ୍ଚଳରେ ଅର୍ଥ ଲୁଟର ନୂଆ ବାଟ

ଫୋକସ ପ୍ଲସ(ଲାଞ୍ଜିଗଡ)୨୧/୦୮/୨୦୨୨: ଲାଞ୍ଜିଗଡ ବ୍ଳକ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକାର ଭୟ ଦେଖାଇ ସରକାରୀ ଅର୍ଥ ଲୁଟୁ ଛନ୍ତି ଠିକାଦାର ଓ ସରକାରୀ ବାବୁ।ଯେଉଁ ଅଞ୍ଚଳକୁ ନିର୍ବାଚନ ପ୍ରତିନିଧି ଓ ପୋଲିସ ଭଲ ଭାବରେ ଯାଆନ୍ତି ନାହିଁ, ସେଠି ତଦାରଖ ଦାଇତ୍ୱରେ ଥିବା ସରକାରୀ ବାବୁଙ୍କ କଥା ପଚାରେ କିଏ?ଯାହାର ଫାଇଦା ଉଠାଇ ଅଞ୍ଚଳର ବିକାଶ ପାଇଁ ଉଦ୍ଧିଷ୍ଟ କୋଟି କୋଟି ଟଙ୍କାର ସରକାରୀ ଅନୁଦାନକୁ ଚଳୁ କରୁଛନ୍ତି ସରକାରୀ ବାବୁ ଓ ଠିକାଦାର।

ଅଭିଯୋଗ ଅନୁସାରେ ଲାଞ୍ଜିଗତ ବ୍ଲକ ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତ ବଡ଼ ଜାମକନା ଗାଁଠାରୁ କାବାଗେଂଜୁ ଗାଁକୁ ସଂଯୋଗ କରୁଥିବା ସ୍ଥାନୀୟ ନାଳ ଉପରେ ସେତୁ ଓ ରାସ୍ତା। ଗତ ୨୦୧୮ ମସିହାରେ ଜଣେ ଠିକାଦାର ଏହି ସେତୁ କାମକୁ ଅସମ୍ପୂର୍ଣ୍ଣ କରି ପ୍ରାୟ ୪ ବର୍ଷ କାଳ ବନ୍ଦ ରହିଥିଲା।ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ପୁଣି ଏସ,ସି,ଏ (କେବିକେ) ଯୋଜନା ଜରିଆରେ ସେତୁର ଛାତ ଓ ସେତୁର ଦୁଇ ପାର୍ଶ୍ଵରେ ଗାଡ଼ୱାଲ ପାଇଁ ଠିକାଦାର ଚୁକ୍ତି ରହିଥିଲେ।ବିଭାଗୀୟ ପକ୍ଷରୁ ଏହି କାର୍ଯ୍ୟ ୨୦୨୨ ଜାନୁଆରୀ ୫ ତାରିଖରେ ଆରମ୍ଭ ହୋଇ ୪ ମେ ୨୦୨୨ରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା।କିନ୍ତୁ କାର୍ଯ୍ୟ ୩ ମାସ ବିଳମ୍ବରେ ଆରମ୍ଭ ହୋଇ ୨ ମାସ ମଧ୍ୟରେ ଶେଷ ହୋଇଥିଲା।ବର୍ତ୍ତମାନ ସେତୁ ଦୁଇ ପାର୍ଶ୍ଵରେ ଗାଡ଼ୱାଲ ଓ ୧ କିଲୋମିଟର ପିଚୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ନିମ୍ନ ମାନର କାମ ତଥା କମ ପରିମାଣରେ ଚିପସ୍ ଓ ପିଚୁ ବ୍ୟବହାର ଯୋଗୁଁ ମାତ୍ର ୨ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠୁଥିବା ବେଳେ ସେତୁର ଦୁଇ ପାର୍ଶ୍ଵରେ ରାସ୍ତା ଦବି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଲାଞ୍ଜିଗଡ ବ୍ଳକ ଗୁଣ୍ଡରି ପଞ୍ଚାୟତ ବଡ଼ ଜାମକନା ଗାଁ ଠାରୁ କାବାଗେଂଜୁ ମଧ୍ୟରେ ଥିବା ସ୍ଥାନୀୟ ନାଳ ଉପରେ ସେତୁ ଓ ଦୁଇ ପାର୍ଶ୍ଵରେ ଗାଡ଼ୱାଲ ପାଇଁ ଏସ,ସି,ଏ (କେବିକେ) ଯୋଜନା ଜରିଆରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଭବାନୀପାଟଣା ପକ୍ଷରୁ
୫୦୩୯୭୦୧ ଟଙ୍କା ବ୍ୟୟ ଅଟକଳ ରହିଛି।ଠିକାଦାର କୁଞ୍ଜ ବିହାରି ସାହୁଙ୍କ ବିଭାଗୀୟ ପକ୍ଷରୁ କରିଥିବା ଚୁକ୍ତି ଅନୁଯାୟୀ କାର୍ଯ୍ୟ ଆରମ୍ଭ ୦୫.୦୧.୨୦୨୨ ତଥା କାର୍ଯ୍ୟ ଶେଷ ତାରିଖ ୦୪.୦୫.୨୦୨୨ ରହିଥିଲା।କିନ୍ତୁ ଏହି ସେତୁ ନିର୍ମାଣ କାର୍ଯ୍ୟ ଠିକାଦାର ଉଚିତ ସମୟରେ ନକରି ୩ ମାସ ବିଳମ୍ବ ମାର୍ଚ୍ଚ ୨୦୨୨ରେ କାମ ଆରମ୍ଭ କରି ମେ ୨୦୨୨ରେ ମାତ୍ର ୨ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିଥିଲା।କିନ୍ତୁ ସେତୁର ଦୁଇ ପାଶ୍ୱର୍ରେ ହୋଇଥିବା ୧ କିଲୋମିଟର ପିଚୁ ରାସ୍ତା ରେ ସୂଚନା ଫଳକ ଲଗା ଯାଇନଥିବା ଯୋଗୁଁ କେତେ ଟଙ୍କା ବ୍ୟୟ ଅଟକଳ ରହିଛି ତାହା ଜଣା ପଡୁ ନାହିଁ।ଅତି ନିମ୍ନ ପରିମାଣରେ ଚିପସ ଓ ପିଚୁ ବ୍ୟବହାର କରିବା ସହ ନୂଆ ମାଟିରେ ରୋଲର ମଡ଼ା ଯାଇନଥିଲା।ଏହାକୁ ନେଇ ସେହି ସମୟରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ।କିନ୍ତୁ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ଅଞ୍ଚଳବାସୀଙ୍କ କଥା ଶୁଣି ନଥିଲା।
ଯାହା ଫଳରେ ୨ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠିବା ସହିତ ସେତୁର ଦୁଇ ପାର୍ଶ୍ଵରେ ପ୍ରାୟ ୨ ଫୁଟ ରାସ୍ତା ଦବି ଯାଇଛି।ଏହି ସେତୁ ଠାରୁ ଗୁଣ୍ଡରି ପଞ୍ଚାୟତ ମାତ୍ର ୩ କିଲୋମିଟର ଦୂରରେ ରହିଥିବା ବେଳେ ଏହି ସେତୁ ଦେଇ ପଞ୍ଚାୟତର ବିଭିନ୍ନ ଗାଁ କାବାଗେଂଜୁ, ଶୋଷପଦର, କଟାଙ୍ଗଭଟା,ବରଙ୍ଗପଦର,କାର ପେଙ୍ଗ, ମନସ୍ଥରା,ଦେହେଡା ଗମପେନୁ,ବିଜେପୁର, କୁଟେହେଜୁ,ହାତିମୁଣ୍ଡା, ଦାରବେଙ୍ଗ,ଆଦଲଡୁ,ତରଙ୍ଗଲ, ସାଡାଙ୍ଗପଦର, ମାଡିବନ୍ଧା ଓ ଡମେର।ଯାହାର ଦୂରତା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୨୫ ରୁ ୩୦ କିଲୋମିଟର ପଡେ।ବର୍ତ୍ତମାନ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ନାଳ ମଧ୍ୟରେ ଯାତାୟତ କରିପାରୁନାହାନ୍ତି।ଏପଟେ ବିପଦ ସଂକୁଳ ସେତୁ ଉପରେ ଗାଡି ନେଇ ଯାତାୟତ କରିବା ପାଇଁ ଭୟ କରୁଛନ୍ତି।ଯାହା ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ ଚାଉଳ,ଭତ୍ତା ଆଣିଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭବାନୀପାଟଣା ସହର ୧୦ କିଲୋମିଟର ରହିଥିବା ବେଳେ ବିପଦ ସଂକୁଳ ସେତୁ ପାଇଁ ଗୁରୁତର ରୋଗୀ, ଗର୍ଭବତୀ ମହିଳା ତଥା ଜରୁରୀ କାର୍ଯ୍ୟ ପାଇଁ ଲୋକେ ନର୍ଲା ବ୍ଳକ ଛତିକୁଡ଼ା ଛକ ଦେଇ ପ୍ରାୟ ୬୦ କିଲୋମିଟର ବୁଲିକି ଯିବାକୁ ପଡ଼ୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଏହିପରି ବ୍ଳକ ଅଞ୍ଚଳରେ ରାସ୍ତା ଓ ସେତୁ ନିର୍ମାଣର ପ୍ରାୟ ୬୦ ପ୍ରତିଶତ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଲୋକଙ୍କ ଅଭିଯୋଗ ଦାଇତ୍ୱରେ ଥିବା ସରକାରୀ ବାବୁ ଶୁଣୁନାହାନ୍ତି ବୋଲି ଅଞ୍ଚବାସୀ ପ୍ରକାଶ କରିଛନ୍ତି।ଦୁର୍ଗମ ଅଞ୍ଚଳକୁ ମାଓ ଭୟ ଯୋଗୁଁ ଅଧିକାରୀ ଓ ନିର୍ବାଚନ ପ୍ରତିନିଧି ମାନେ ଠିକ ଭାବରେ ଯାଉ ନାହାଁନ୍ତି।ଫଳରେ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ଓ ସରକାରୀ ବାବୁଙ୍କ ଦ୍ବାରା ଉନ୍ନୟନ ଅନୁଦାନର ଖୋଲା ଲୁଟ ଜାରି ରହିଛି।ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *