ଫୋକସ ପ୍ଲସ 25/2/23(କଳାହାଣ୍ଡି): କର୍ଲାମୁଣ୍ଡା କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲ ବିଲଡିଙ୍ଗ କାର୍ଯ୍ୟରେ ଦୁର୍ନୀତି କରାଯାଉଥିବା ନେଇ ବିଲଡିଙ୍ଗ କାର୍ଯ୍ୟ ନିର୍ମାଣ ଆରମ୍ଭରୁ ଅଭିଯୋଗ ହେଇ ଆସୁଛି l ଅଭିଯୋଗକୁ ନେଇ ଅନେକ ଗଣମାଧ୍ୟମ ପ୍ରତିନିଧି ମାନେ ଅନେକ ଥର ଖବର ପ୍ରସାରିତ କରି ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇ ନଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି l ସ୍ଥାନୀୟ ଠିକାଦାର ଭୁବନ ବିହାରୀ ସିଂ ନାମକ ଜଣେ ଠିକାଦାର ଉକ୍ତ ବିଲଡିଙ୍ଗ କାମର ଟେଣ୍ଡର ପାଇଥିବା ବେଳେ ସ୍ଥାନୀୟ ଜଣେ ଦଲାଲ ହାତକୁ କାମଟି ଟେକି ଦେଇଥିବାରୁ ଉକ୍ତ ଦଲାଲ ଜଣକ ମନ ଇଛା କାମ କରି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାରେ ଲାଗିଛି l
ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ କର୍ଲାମୁଣ୍ଡା ଏକ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ସ୍ଥାନୀୟ କିଛି ବ୍ୟକ୍ତି ଅଭିଯୋଗ କରି ଉକ୍ତ ବିଲଡିଙ୍ଗ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଅତିରୁ ଅତି ଖରାପ ମାନର ଇଟା ସହ ବାଲି ସହ ସିମେଣ୍ଟର ଭାଗ ମାପ ଠିକ ଢଙ୍ଗରେ କରାଯାଉ ନ ଥିବା ନେଇ ତାଙ୍କର ଅଭିଯୋଗ ଜଣେଇଥିଲେ ଏବଂ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ଅନୁରୋଧ କରିଥିଲେ l ବିଧାୟକ ମଧ୍ୟ କାମ ଠିକ ଢଙ୍ଗରେ କରାଯାଉଛି ନା ନାହିଁ ଏହାର ତଦନ୍ତ ପାଉଁ ବିଭାଗୀୟ ଅଧିକାରୀ ସମେତ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ହେଲେ ଆଜି ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ି ପାରିଲା ନାହିଁ l କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ବାଳିକା ମାନଙ୍କ ପାଇଁ ଉଚ୍ଚ ମାନର ଶିକ୍ଷା ବ୍ୟବସ୍ଥା ସହିତ ଉଚ୍ଚ କୋଟିର ହଷ୍ଟେଲ ଗୃହ ନିର୍ମାଣ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ଏବଂ ସମଗ୍ର ରାଜ୍ୟରେ ମା କୁ ସନମାନ ଏବଂ ଗାଁ କୁ କାମର ନାରା ଦେଉଥିବା ବେଳେ କିଛି ଅସାଧୁ ଠିକାଦାର କିଛି ଦଲାଲ ମାନଙ୍କ ସହ ହାତ ମିଳାଇ ସରକାରଙ୍କ ବାଣୀରେ ବିରାମ ଲଗାଉଛନ୍ତି l
ଆଉ ଏମାନଙ୍କୁ ସମ୍ପୂର୍ଣ ସହଯୋଗ କରୁଛନ୍ତି କିଛି ଭ୍ରଷ୍ଟ ଯନ୍ତ୍ରୀ ମାନେ l କଳାହାଣ୍ଡି ଜିଲ୍ଲାପାଳଙ୍କୁ ଫୋକସ ପ୍ଲସ ପ୍ରତିନିଧି ରଞ୍ଜନ ମହାନ୍ତି ଲିଖିତ ଅଭିଯୋଗ କରିବା ପରେ କାଳେ ତଦନ୍ତ ହେଇ ଯିବ….ଆଉ ଯଦି ତଦନ୍ତ ହେବ ତାହେଲେ ଠିକାଦାର ଆଉ ଠିକାଦାର ରଖିଥିବା ସେ ଦଲାଲର କଳା କାରନାମାର ଗୁମର ସମସ୍ତଙ୍କ ସାମ୍ନାରେ ଖୋଲିଯିବ ସେଥିପାଇଁ ପାଣି ପିଏଇ ପିଏଇ ଜୋର ସୋରରେ କାମ କେମିତି ସାରିଦେବ ସେ ବ୍ୟବସ୍ଥାରେ ଲାଗିପଡିଛନ୍ତି l ବିନା ସୂଚନା ଫଳକରେ ନିର୍ମଣ ଉକ୍ତ ହଷ୍ଟେଲ ଗୃହରେ ଦୁର୍ନୀତି ଏତେ ମାତ୍ରାରେ କରାଯାଇଛି ଯେ କାନ୍ଥ ମାନଙ୍କରେ ହାତ ମାରିଲେ ଅନେକ ସ୍ଥାନରୁ ସିମେଣ୍ଟ ଝଡି ପଡୁଛି ତ ଆଉ କେତେକ ସ୍ଥାନରେ ପିଲର ମାନଙ୍କରେ ଫାଟ ସୃଷ୍ଟି ହେଇଥିବା ଦେଖିବାକୁ ମିଳୁଛି….ତ ଆଉ କଉଠି କାନ୍ଥ ମାନେ ଫାଟି ଆଁ କରିଥିବା ମଧ୍ୟ ଦେଖିବାକୁ ମିଳୁଛି l
କାମ ନ ସରୁଣୁ ହାତ ମାରିଲେ କେତେକ ସ୍ଥାନରେ କାନ୍ଥ ମାନେ ଝୁଲିବାରେ ଲାଗୁଛି ତ ଆଉ କେତେକ ସ୍ଥାନରେ ପ୍ଲାଷ୍ଟର କରାଯାଇଥିବା କାନ୍ଥ ମାନଙ୍କରୁ କେବଳ ବାଲି ବାହାରୁଛି l ସର୍ବଗିଳା ଯନ୍ତ୍ରୀ ମାନେ ସ୍ଥାନୀୟ ଏକ ଦଲାଲ ସହ ହାତ ମିଳେଇ ଅଧିକ ବାଲିରେ କମ ସିମେଣ୍ଟ ମିଶ୍ରଣ କରୁଛନ୍ତି ତ ଆଉ କେତେକ ସ୍ଥାନରେ ଅତିରୁ ଅତି ନିମ୍ନ ମାନର ଇଟା ବ୍ୟବହାର କରାଯାଉଥିବା ଅଭିଯୋଗ ଆସୁଛି lଏଭଳି ପରିସ୍ଥିତିରେ ଏ ସର୍ବଗିଳା ଠିକାଦାର ଏବଂ ଯନ୍ତ୍ରୀ ମାନଙ୍କ ବିରୁଦ୍ଧରେ କଳାହାଣ୍ଡି ଜିଲ୍ଲାପାଳ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅତି ଶୀଘ୍ର ଚାଲିଥିବା ଏହି କାମକୁ ରୋକା ନ ଲଗାଇଲେ ଆଗାମୀ ଦିନରେ ଏହି କୋଠା ଗୃହ ପାଇଁ ଛାତ ମାନଙ୍କ ଜୀବନ ସଂକଟରେ ପଡିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l