ଦୁର୍ନୀତି କରିବା ପଡିଲା ମହଙ୍ଗା

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଦୁର୍ନୀତି ଅଭିଯୋଗରେ ହଟିବେ ଯୁଦ୍ଧବିଧ୍ୱସ୍ତ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭ । ତାଙ୍କୁ ହଟାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତାଙ୍କ ସ୍ଥାନରେ ନିଯୁକ୍ତ ହେବେ ସାମରିକ ଗୁଇନ୍ଦା ବିଭାଗ ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଦାନୋଭ। ତେବେ ଗତ ୨୦୨୦ ଅଗଷ୍ଟରୁ ବୁଦାନୋଭ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ବିଭାଗ ସେ ସମ୍ଭାଳି ଆସୁଥିଲେ । ଋଷ ବିରୋଧରେ ଯୁଦ୍ଧ ଆରମ୍ଭ ପୂର୍ବରୁ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ରେଜନିକୋଭଙ୍କୁ ହଟାଇବା ନିଷ୍ପତ୍ତି ଚର୍ଚ୍ଚାର ବିଷୟ ପାଲଟିଛି । ରେଜନିକୋଭଙ୍କୁ କୌଶଳଗତ ଶିଳ୍ପ ମନ୍ତ୍ରୀ କରାଯିବ ବୋଲି ସୂଚନା ମଧ୍ୟ ମିଳିଛି । ଗତ ନଭେମ୍ବର ୨୦୨୧ରେ ରେଜନିକୋଭଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା ଏବଂ ୟୁକ୍ରେନ ବାହିନୀ ଲାଗି ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ର ଯୋଗାଡ଼ କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।ତେବେ ପ୍ରତିରକ୍ଷା ମନ୍ତ୍ରାଳୟରେ ଦୁର୍ନୀତିର କାୟା ବିସ୍ତାର କରିବା ଅଭିଯୋଗ ହେବା ପରେ ତାଙ୍କୁ ହଟାଇବା ଲାଗି ନିଷ୍ପତ୍ତି ନିଆଯାଇଛି । ଗତ ଜାନୁଆରୀରେ ଖାଦ୍ୟ ସଂକ୍ରାନ୍ତ ଏକ ଚୁକ୍ତି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିବା ପରେ ରେଜନିକୋଭଙ୍କ ଡେପୁଟିଙ୍କୁବି ଇସ୍ତଫା ଦେବା ଲାଗି ବାଧ୍ୟ କରାଯାଇଥିଲା । ଜେଲେନସ୍କି କହିଛନ୍ତି-ଦେଶର ସୈନ୍ୟବାହିନୀଙ୍କୁ ଅଧିକ ଶକ୍ତିଶାଳୀ କରିବା, ୟୁକ୍ରେନ ଲାଗି ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ସହ ଆନ୍ତର୍ଜାତିକ ସମର୍ଥନ ଲାଭ କରିବା ଦିଗରେ ଦେଶ ପ୍ରସ୍ତୁତ ହେଉଛି । ଚଳିତ ବର୍ଷ ୟୁରୋପୀୟ ରାଷ୍ଟ୍ରସଙ୍ଘରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେବି ଆଲୋଚନା କରାଯିବ । ସେପଟେ ଖାରକିଭରେ ପୁଣି ଥରେ ମିସାଇଲ ଷ୍ଟ୍ରାଇକ କରିଛି ଋଷ । ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ସେହିପରି ଏକ ବିଶ୍ୱବିଦ୍ୟାଳୟ ଉପରେବି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ପ୍ରାୟ ୨ ଲକ୍ଷ ୮୦ ହଜାର ପରିବାର ବିନା ବିଦ୍ୟୁତରେ ଦୁର୍ବିସହ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *