ଦୋବଲ ବସଷ୍ଟାଣ୍ଡକୁ ନେଇ ବଢୁଛି ଅସନ୍ତୋଷ

ଫୋକସ ପ୍ଲସ (ଧାମନଗର)୨୧/୦୭/୨୦୨୨: ଦୋବଲ ବସଷ୍ଟାଣ୍ଡ ଜବରଦଖଲ ମାମଲାରେ ଧାମନଗର ତହସିଲଦାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ତହସିଲଦାର କ୍ଷୀରୋଦ ପଣ୍ଡା ସମସ୍ୟାର ସମାଧାନ କଲେ ନା ଅଧିକ ବଢ଼ାଇଦେଲେ, ସେନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ସମାଜସେବୀ ତଥା ଧାମନଗର ବିଧାୟକଙ୍କ ପ୍ରତିନିଧି ଅରବିନ୍ଦ ପତି। ସେହିପରି ଦୋବଲର ପୂର୍ବତନ ସରପଞ୍ଚ ଅମୀୟ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଆଜି ଧାମନଗର ତହସିଲଦାର ଯେଉଁ କାମ କଲେ, ତାହା ପରିସ୍ଥିତିକୁ ଅଧିକ ବିଗାଡ଼ିଦେଲା। ଆଇନଜୀବୀ ରଞ୍ଜିତ ମହାନ୍ତିଙ୍କ ଅଭିଯୋଗ ଯେ, ପ୍ରଶାସନ ଏହାର ପକ୍କା ସମାଧାନ ନ କରି ବାରୁଦ ଗଦାରେ ନିଆଁ ଲଗାଇ ଚାଲିଗଲା। ଆଜି ତହସିଲଦାରଙ୍କ ଉପସ୍ଥିତିରେ ଦୋବଲ ବସଷ୍ଟାଣ୍ଡ ଜମିର ମାପଚୁପରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ବୁଦ୍ଧିଜୀବୀମାନେ ଏଭଳି ବିଷୋଦଗାର କରିଛନ୍ତି।

ସଂଧ୍ୟାରେ ଦୋବଲକାଳୀ ପଡ଼ିଆ ଯଜ୍ଞ ମଣ୍ଡପରେ ଦୋବଲ ଜୋନର ବୁଦ୍ଧିଜୀବୀମାନେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଧାମନଗର ତହସିଲଦାର ଓ ଭଦ୍ରକ ଜିଲ୍ଲାପାଳଙ୍କ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି। ଅଭିଯୋଗ ଯେ, ସୋଧ ରାଜସ୍ବ ସର୍କଲ ଅଧିନ ମୁସ୍ତଫାପୁର ମୌଜାର ଖାତା ନମ୍ବର ୬୧୩ର ୭୩୨ ନମ୍ବର ପ୍ଲଟରେ ୩୧ ଡିସିମିଲ୍ ପରିମିତ ଅଞ୍ଚଳର ଜମିରେ ଥିବା ବସଷ୍ଟାଣ୍ଡ ରହି ଆସିଛି। ଏ ବସଷ୍ଟାଣ୍ଡ ପ୍ରାୟ ୬୦ରୁ ୭୦ ବର୍ଷର ପୁରୁଣା। ବସଷ୍ଟାଣ୍ଡକୁ ଲାଗିକି ୭୩୪ ନମ୍ବର ପ୍ଲଟରେ ଗୋଟିଏ ଧର୍ମର ଆରାଧନାସ୍ଥଳୀ ରହିଛି। ବସଷ୍ଟାଣ୍ଡ ପ୍ଲଟର ଆଉ ଏକ ଅଂଶରେ ୩୨ ଡିସିମିଲ୍ ଅଞ୍ଚଳରେ ରହିଛି ସେହି ଧର୍ମର ଆରାଧ୍ୟଙ୍କ ବିଜେସ୍ଥଳୀ। ତାକୁ ଲାଗିକି ୭୩୫ ନମ୍ବର ପ୍ଲଟରେ ରହିଛି ସଂପୃକ୍ତ ଧର୍ମାବଲମ୍ବୀଙ୍କ ଶ୍ମଶାନ। ବଡ଼କଥା ହେଉଛି, ଏସବୁଗୁଡ଼ିକ ସରକାରୀ ଜମି। ତେବେ ଏଇ କିଛି ବର୍ଷ ହେବ କିଛି ଅସାମାଜିକ ତତ୍ତ୍ବ ଧିରେ ଧିରେ ନିଜ ଆରାଧନାସ୍ଥଳୀର ଜମିକୁ ସଂପ୍ରସାରଣ କରି ବସଷ୍ଟାଣ୍ଡ ଆଡ଼କୁ ମାଡ଼ି ଆସିଲେ। ଫଳରେ ବସଷ୍ଟାଣ୍ଡ ସଂକୁଚିତ ହେଲା। ଏହାସହ ଆଉ କିଛି ଲୋକ ଏଠାରେ ଗାଡ଼ି, ମୋଟର, ପିକଅପ୍ ଭ୍ୟାନ ରଖି ବସଷ୍ଟାଣ୍ଡକୁ କବଜା କଲେ। ଦୋବଲ ବସଷ୍ଟାଣ୍ଡରେ ଆଉ ବସ୍ ରହିବା ଲାଗି ଜାଗା ରହିଲା ନାହିଁ। ବସ୍ ଗୁଡ଼ିକ ଦୋବଲ ବଜାରର ମୁଖ୍ୟ ରାସ୍ତାରେ ଛିଡ଼ା ହେଲେ। ଟ୍ରାଫିକ ସମସ୍ୟା ଉପୁଜିଲା।

ବଜାର ଉପରେ ନିଜ ଧର୍ମର ଦ୍ବାହି ଦେଇ ଦୁର୍ବଳ ବୋଲି ଦେଖେଇ ହେବାର ଫାଇଦା ନେଇ ବସଷ୍ଟାଣ୍ଡକୁ କବଜା କରିବା ସମସ୍ତଙ୍କ ଆଖିରେ ପଡ଼ିଲା। ଏଣୁ ବସଷ୍ଟାଣ୍ଡକୁ ଜବରଦଖଲମୁକ୍ତ କରିବା ଲାଗି ସମସ୍ତେ ଲାଗିଲେ। ଧାମନଗର ତହସିଲଦାରଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କଲେ। ହେଲେ ଦିନକୁ ଦିନ ପରିସ୍ଥିତି ବିଗିଡ଼ି ଚାଲିଲା। ବସଷ୍ଟାଣ୍ଡରେ ଗୋଟିଏ ମିନିବସ୍ ଛିଡ଼ା ହେବା ପାଇଁ ଜାଗା ନ ରହିବାରୁ ଲୋକେ ତାତିଲେ। ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଲା। ତା ପରେ ଜୁଲାଇ ୧୧ ତାରିଖରେ ସ୍ଥାନୀୟ ସମାଜସେବୀ ମଦନମୋହନ ଦାସ ଧାମନଗର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ। ଏହାକୁ ଗୁରୁତ୍ବ ସହ ନେଇ ୩ ଦିନ ଭିତରେ ଜବରଦଖଲ ଉଚ୍ଛେଦ କରିବା ଲାଗି ଜିଲ୍ଲାପାଳ ବଳିରାମ ସିଦ୍ଧେଶ୍ବର ବୋନ୍ଦର ତହସିଲଦାର କ୍ଷୀରୋଦ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଲେ। ସୁରକ୍ଷା ଯୋଗାଇ ଦେବାକୁ ଏସପି ଓ ଥାନା ଆଇଆଇସିଙ୍କୁ କହିଲେ। ସମସ୍ତେ ମାନିନେଲେ। ହେଲେ ପ୍ରକ୍ରିୟା କିଛି ଆରମ୍ଭ ହେଲାନାହିଁ। ତେବେ ୪ ଦିନ ପୂର୍ବରୁ ଅଭିଯୋଗକାରୀ ମଦନମୋହନ ଦାସଙ୍କୁ ଦୋବଲ ବସଷ୍ଟାଣ୍ଡ କଥାକୁ ନେଇ ଜଣେ ବ୍ୟକ୍ତି ହତ୍ୟା ଧମକ ହେଲେ। ଏନେଇ ମଦନମୋହନ ଥାନାରେ ଏତଲା ଦେବାରୁ ପୋଲିସ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କଲେ। ତା ସହ ସବୁ ବର୍ଗର ଲୋକଙ୍କ ସହ ବସି ଆଲୋଚନା କରି ବସଷ୍ଟାଣ୍ଡ ସମସ୍ୟାର ସମାଧାନ ଲାଗି ତତ୍ପରତା ପ୍ରକାଶ କଲେ। ଏହାପରେ ତହସିଲଦାର କ୍ଷୀରୋଦ ପଣ୍ଡା ୨୦ ଜୁଲାଇରେ ବସଷ୍ଟାଣ୍ଡର ସୀମା ନିର୍ଦ୍ଧାରଣ ପାଇଁ ମାପଚୁପ କରିଲେ। ମାତ୍ର ୪୫ ମିନିଟରେ ଆମ ଦକ୍ଷ ତହସିଲଦାର ମାପ ସାରିଦେଲେ।

ଏହି ମାପଚୁପରେ ଯିଏ ଜବରଦଖଲକାରୀ, ତାଙ୍କର ଜମି ବସଷ୍ଟାଣ୍ଡ ଭିତରେ ଅଛି ବୋଲି ଦେଖେଇ ଦେଇଗଲେ। ୪୫ ମିନିଟ ପରେ ତହସିଲଦାର ପଳାଇଗଲେ। ଏଣେ ନିଆଁ କୁହୁଳିବାରେ ଲାଗିଲା। ଯିଏ ଜବରଦଖଲକାରୀ ସେମାନେ ଆସି ତହସିଲଦାର ପୋତିଥିବା ଖୁଣ୍ଟିକୁ କାଢ଼ି କିଳା ପୋତିଦେଲେ। ପ୍ରଶାସନର ଏଭଳି କାର୍ଯ୍ୟ ବିରୋଧରେ ସ୍ଥାନୀୟ ବୁଦ୍ଧିଜୀବୀ ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହାସହ ଆଗାମୀ ଦିନରେ ବିରାଟ ଜନସଭା କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି।

ଧାମନଗରରୁ ଲକ୍ଷ୍ମୀଧର ପାଣିଗ୍ରାହୀ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *