ନକଲି, ଚୋରା ବିଦେଶୀ ମଦରେ ଉବୁଟୁବୁ ରାଜଧାନୀ

୩ ଦିନରେ ୩୩ ମାମଲା, ୭୧୯ ଲିଟର ମଦ ଜବତ, ସୂଚନା ପାଇଁ ହ୍ବାଟସଆପ୍ ନମ୍ବର ଜାରି କଲା ପୁଲିସ

କମ୍ ଖର୍ଚ୍ଚରେ ଅଧିକ ମୁନାଫା ପାଇଁ ମଦ ମାଫିଆମାନେ ନକଲି ମଦ ପ୍ରସ୍ତୁତ କରୁଛନ୍ତି। ବିଶେଷକରି ବିଦେଶୀ ମଦକୁ ଟାର୍ଗେଟ୍ କରିଛନ୍ତି। ନାମୀଦାମୀ କମ୍ପାନିର ବୋତଲ ସଂଗ୍ରହ କରୁଛନ୍ତି। ଶସ୍ତା ସ୍ପିରିଟ୍‌ଠାରୁ ଆରମ୍ଭ କରି ସରକାରୀ ଲେବଲ, ଲୋଗୋ, ଷ୍ଟିକର, ରଙ୍ଗ ସବୁ କିଛି କୋଲକାତାରୁ ଆମଦାନି କରୁଛନ୍ତି। ସ୍ପିରିଟରେ ପାଣି ମିଶାଇବା ପରେ ରଙ୍ଗ ମିଶାଇ ଏଥିରୁ ହ୍ବିସ୍କି, ରମ୍ ତିଆରି କରୁଛନ୍ତି। ଏହା ପରେ ଏହାକୁ ବିଭିନ୍ନ ଅଞ୍ଚଳରେ ଚୋରାରେ ବିକ୍ରି କରୁଛନ୍ତି। ରାଜଧାନୀର କେତେକ ବସ୍ତି ସମେତ ଉପକଣ୍ଠ ହଂସପାଳ, ବାଲିଅନ୍ତା, ଚନ୍ଦକା, ବାରଙ୍ଗ, ପିତାପଲ୍ଲୀ ଆଦି ଅଞ୍ଚଳରେ ନକଲି ମଦ ତିଆରି ହେଉଥିବା ସୂଚନା ମିଳିଛି। କେତେକ ଢାବା ସମେତ ସହର ଭିତରେ ବିଭିନ୍ନ ଅଞ୍ଚଳରେ ଚୋରାରେ ଏହି ନକଲି ମଦ ବିକ୍ରି କରାଯାଉଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଅଧିକ ମାତ୍ରାରେ ନକଲି ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯିବ ବୋଲି ଜଣାପଡ଼ିଛି। କମିସନରେଟ୍ ପୁଲିସ କିମ୍ବା ଅବକାରୀ ବିଭାଗ କିନ୍ତୁ ଏହାର ଟେର୍ ପାଇ ପାରୁ ନାହାନ୍ତି। ବହୁ ମାତ୍ରାରେ ଚୋରା ମଦ ଜବତ କରାଯାଉଥିଲେ ମଧ୍ୟ ଏହା କେବଳ ବେପାରୀଙ୍କୁ ଧରି କାମ ସାରି ଦେଉଛି ପୁଲିସ। କିନ୍ତୁ ଏହା କେଉଁଠୁ ଆସୁଛି, ତାହାର ଖୋଳତାଡ଼ କରାଯାଉନାହିଁ। ତେଣୁ ମଦ ମାଫିିଆମାନେ ବେଧଡ଼କ ମଦ ତିଆରି ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *