ନର୍ଲା:/୧୩/୦୩:-(ରଞ୍ଜନ କୁମାର ମହାନ୍ତି) ନର୍ଲାରେ ନିନାଦିତ ହୋଇଛି ଶଙ୍ଖ । ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଲଗାତାର ଦ୍ୱିତୀୟ ଥର ପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ତୁଙ୍ଗ ନେତ୍ରୀ ମନୋରମା ମହାନ୍ତି । ଆଜି ସକାଳ ୧୦.୩୦ ସମୟରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭବାନୀପାଟଣା ବିଡ଼ିଓ ବିନୟ ଭୋଇ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନ ପରିଚାଳନାରେ ତାଙ୍କୁ ନର୍ଲା ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ ଓ ପିଇଓ ଜାଫେଦ ନାଗ ସହଯୋଗ କରିଥିଲେ । ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ କର୍ମେଗାଁ ସମିତି ସଭ୍ୟା ମନୋରମା ମହାନ୍ତି ଓ ମାଣ୍ଡେଲ ସମିତି ସଭ୍ୟା ସୀମନ୍ତିକା ଚାନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ୧୮ ଜଣ ସମିତି ସଦସ୍ୟ/ସଦସ୍ୟାଙ୍କ ସମର୍ଥନ ମନୋରମାଙ୍କ ପ୍ରତି ରହିଥିବାବେଳେ ସୀମାନ୍ତିକାଙ୍କ ପକ୍ଷରେ ମାତ୍ର ୮ଜଣ ସମିତି ସଭ୍ୟ/ସଭ୍ୟା ରହିଥିଲେ । ଶେଷରେ ମନୋରମାଙ୍କ ପଟରେ ଅଧିକ ଭୋଟ ଯାଇଥିବାରୁ ସେ ବିଜୟୀ ଘୋଷିତ ହୋଇଥିଲେ । ୨୦୧୭ରେ ମଧ୍ୟ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଭାବେ ତାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏଥର ମନୋରମା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହୋଇଥିବାବେଳେ ତାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମଧ୍ୟ ଉପାଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବିସ୍ବସ୍ଥ ସୁତ୍ରରୁ ଜଣାପଡିଛି । ଅନ୍ୟପକ୍ଷରେ ମନୋରମା ମହାନ୍ତିଙ୍କୁ ବ୍ଲକ ଅଧ୍ୟକ୍ଷା କରାଇନଦେବା ପାଇଁ ବିଜେଡିରେ ନୂତନ ଭାବରେ ଯୋଗଦେଇଥିବା ସମସ୍ତ କର୍ମୀ ଏକାକାର ହୋଇ ଚକ୍ରାନ୍ତ କରିଥିବା ଚର୍ଚ୍ଚା ହେଉଥିଲା । ଏପଟେ ନର୍ଲା ବିଧାୟକ ଭୁପିନ୍ଦର ସିଂ ମଧ୍ୟ ମହାନ୍ତି ଦମ୍ପତ୍ତିଙ୍କ ଦବଦବାକୁ ସହ୍ୟ କରିପାରୁନଥିବା ଆଲୋଚନା ହେଉଥିବା ବେଳେ ଭବାନୀପାଟଣାର ଦୁଇ ଜଣ କୁଜି ନେତା ମହାନ୍ତି ଦମ୍ପତ୍ତିଙ୍କ ବିରୋଧରେ କୁଟ ଚକ୍ରାନ୍ତ ଚଲାଇ ଥିଲେ । ତେବେ ଗୃହଭେଦୀଙ୍କ ହିନ ରାଜନୀତି କିଛି କାମ କଲାନାହିଁ । ପୁଣିଥରେ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ମନୋନୀତ ହୋଇ ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି ।