ନାରୀ ସର୍ବତ୍ର ପୂଜ୍ୟା, ସମାଜ ଗଠନରେ ନାରୀ ଅବଦାନ ଅତୁଳନୀୟ I

 

 

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍‌ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବକୁ ଦୂର କରିବାପାଇଁ ଏହାରି ମାଧ୍ୟ୍ୟମରେ ସଚେତନତା ସୃଷ୍ଟି କରାଯାଏ। ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ମହିଳାଙ୍କ ଅବଦାନ ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହେଁ । କେହି କାହାଠୁ ଆଗୁଆ କି ପଛୁଆ ନୁହନ୍ତି । ସବୁ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳା ସମାନ ଭାବେ ସଫଳ । ଟେକ୍ନୋଲୋଜି, ଉଦ୍ଭାବନ କ୍ଷେତ୍ରରେ ନାରୀ ଆଜି ଅଗ୍ରଣି ଭୂମିକା ନିର୍ବାହ କରୁଛି । ମହାକାଶରେ ନିଜ ପରାକାଷ୍ଠା ଦେଖାଇବାରେ ମଧ୍ୟ ପଛକୁ ହଟିନି । ଏସବୁ ସତ୍ତ୍ୱେ ଲୋକଙ୍କ ମନରେ ଲିଙ୍ଗ ମତଭେଦ ଭଳି ବିକୃତ ଭାବନା ସୃଷ୍ଟି ହେବା ଚିନ୍ତାର ବିଷୟ । ଏକବିଂଶ ଶତାବ୍ଦୀରେ ବଳବତ୍ତର ଏହି ଧାରଣାକୁ ଦୂର କରିବା ଅନ୍ତର୍ଜାତୀୟ ମହିଳା ଦିବସର ଉଦ୍ଦେଶ୍ୟ । ମହିଳାଙ୍କ ଶକ୍ତି, ସାମର୍ଥ୍ୟ ଓ ପ୍ରଗତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ଲକ୍ଷ୍ୟ । ସାଧାରଣ ମହିଳାଙ୍କ ଅସାଧାରଣ କାର୍ଯ୍ୟକୁ ଆଜି ସମ୍ମାନ ପ୍ରଦର୍ଶନ କର।ଯାଏ । ସୂଚନା ଅନୁଯାୟୀ ୧୯୦୮ ମସିହାରେ ଏକ ଶ୍ରମିକ ଆନ୍ଦୋଳନ ରେ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା । କାର୍ଯ୍ୟନିଘଣ୍ଟ କମ୍ କରିବା, ଦରମାବୃଦ୍ଧି ଓ ଭୋଟ୍‌ଦାନ ଅଧିକାର ପ୍ରଦାନ ଦାବିରେ ପ୍ରାୟ ୧୫,୦୦୦ ମହିଳା ନ୍ୟୁୟର୍କ ସହର ମଧ୍ୟରେ ବିକ୍ଷୋଭ କରିଥିଲେ । ସେମାନଙ୍କ ଆନ୍ଦୋଳନକୁ ସଫଳତା ମିଳିବା ପରେ ତାପର ବର୍ଷ ଆମେରିକାରେ ଜାତୀୟ ମହିଳା ଦିବସ ପାଳିତ ହେଲା । ପରେ ଅନ୍ୟ ଦେଶମାନଙ୍କରେ ମହିଳା ଦିବସ ପାଳିତ ହେବାକୁ ଲାଗିଲା । ପରବର୍ତ୍ତୀ ସମୟରେ ବିଶ୍ଵବ୍ୟାପୀ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରିବାପାଇଁ ନିଷ୍ପତି ନେଇଥିଲେ । ସେହି ଦିନ ଠାରୁ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *