ସନ୍ଦେହ ଘେରରେ ନାଲି ବତୀ ଗାଡ଼ି |

ଫୋକସ ପ୍ଲସ ୨୫/୧/୨୩(ନର୍ଲା):ପୋଲିସ ଓ ଗୋରୁ ମାଫିଆଙ୍କ ମିଳି ଭଗତରେ ବେଆଇନ ଗୋ ଚାଲାଣ ନୂଆ କଥା ନୁହଁ, ତେବେ ନିକଟରେ ରୁପ୍ରାରୋଡରେ ଗୋରୁ ମାଫିଆଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ଏକ ନାଲି ବତୀ ଲାଗିଥିବା ଗାଡିରେ ଆସି କିଛି ଲୋକ ଗୋରୁ ମାଫିଆଙ୍କ ଠାରୁ ୪୦ ହଜାର ନେଇ ଚାଲି ଯାଇଥିଲେ, ଯାହାକୁ ନେଇ ଅଞ୍ଚଳରେ ବିଭିନ୍ନ କଥା ଆଲୋଚନା ହେଉଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ସପ୍ତାହର ପ୍ରତି ରବିବାର ଏବଂ ସୋମବାର ନର୍ଲା ରାଜ ରାସ୍ତା ଦେଇ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ନଜରକୁ ଆସିଥାଏ । ସପ୍ତାହର ରବିବାର ଦିନ ପଲମ ଠାରୁ ରୁପ୍ରା ଏବଂ ରୁପ୍ରାରୋଡ ଦେଇ ହଜାର ହଜାର ସଂଖ୍ୟାରେ ଗାଇ ମଇଁଷି ମାନଙ୍କୁ ମୁନିଗୁଡାକୁ ଚାଲାଣ କରାଯାଉଥିବା ବେଳେ ସୋମବାର ବାଲିପଡା ହାଟରୁ ନର୍ଲା ଥାନା ସମ୍ମୁଖରୁ ନର୍ଲାରୋଡ ଦେଇ ହଜାର ହଜାର ସଂଖ୍ୟାରେ ଗାଇ ଏବଂମଇଁଷି ମାନଙ୍କୁ ବେଆଇନ ଭାବେ ମୁନିଗୁଡାକୁ ଚାଲାଣ କରାଯାଇଥାଏ । ସବୁଠୁ ବଡ କଥା ହେଲା ବାଲିପଡାରୁ ଅନ୍ୟ ରାସ୍ତା ଦେଇ ଗୋରୁ ଗାଇ ମାନଙ୍କୁ ମୁନିଗୁଡାକୁ ନେବା ପାଇଁ ବିକଳ୍ପ ରାସ୍ତା ରହିଛି । ହେଲେ ନର୍ଲା ଥାନା ଦେଇ ରାଜରାସ୍ତା ଅବରୋଧ କରି ଗାଇ ଗୋରୁ ମାନଙ୍କୁ ରାଜରାସ୍ତା ଅବରୋଧ କରି ଚଲେଇ ନେବା ପଛରେ କାହାର କେଉଁ ସ୍ୱାର୍ଥ ଲୁଚି ରହିଛି କେଜାଣି । ରାସ୍ତା ଅବରୋଧ କରି ଗୋରୁ ପଲ ନିଆଯିବ ଫଳରେ ବାରମ୍ବାର ରାଜରାସ୍ତା ଉପରେ ଗୁରୁତ୍ତର ଦୁର୍ଘଟଣା ମାନେ ଘଟୁଥିବା ନଜରକୁ ଆସୁଛି । ଏନେଇ ସମାଜସେବୀ ସଂଗଠନ ସହିତ କିଛି ଗୋ ସୁରକ୍ଷା ସମିତିର ସଦସ୍ୟ ମାନେ ଥାନାରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ନର୍ଲା ରାଜରାସ୍ତା ଉପରୁ ଗୋରୁ ଚାଲାଣକୁ ବନ୍ଦ କରିବାରେ ପ୍ରଶାସନ ବିଫଳ ରହିଛି । ଏଭଳି ପରିସ୍ଥିରେ ଗତ ରବିବାର ପଲମ ଠାରୁ ରୁପ୍ରା ଓ ରୁପ୍ରାରୋଡ ପଟ ଦେଇ କିଛି ଗୋରୁ ମାଫିଆ ନର୍ଲା ଅଭିମୁକ୍ଷେ ଗାଇ ନେଇ ଯାଉଥିବା ସମୟରେ ନାଲି ବତୀ ଲାଗିଥିବା ଏକ ଧଳା ରଙ୍ଗର ବୋଲେରୋ ଗାଡ଼ି ରୁପ୍ରାରୋଡକୁ ପ୍ରବେଶ କରିଥିବା ସୂଚନା ମିଳିଛି । ଉକ୍ତ ବୋଲେରୋ ଗାଡ଼ିଟି ଜଗନ୍ନାଥ ମନ୍ଦିର ଫାଟକ ପୂର୍ବରୁ ବଲବସପୁର ଭାଟି ପଡା ପାଖାପାଖି ରାତି ୧ ଟା ସମୟରେ ଗାଇ ଗୋରୁ ସମେତ ଗୋରୁ ମାଫିଆ ମାନଙ୍କୁ ଅଟକ ରଖି ବଟି ଆଦାୟ ଉଦେଶ୍ୟରେ ଦୀର୍ଘ ସମୟ ଧରି ଗୋରୁ ମାଫିଆ ମାନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଉକ୍ତ ନାଲି ବତୀ ବୋଲେରୋ ଗାଡ଼ିରେ ଆସିଥିବା ବ୍ୟକ୍ତି ମାନଙ୍କୁ ଗୋରୁ ମାଫିଆ ମାନେ ପ୍ରାଣ ବିକଳରେ ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ୪୦ ହଜାର ଟଙ୍କା ଉଠେଇ ନଗଦ ଗଣି ଦେଇଥିଲେ ବୋଲି ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି ନାଲି ବତୀରେ ଆସି ନଗଦ ୪୦ ହାଜର ଟଙ୍କା ଗଣି ନେଇଥିବା ବ୍ୟକ୍ତି ମାନେ କିଏ ? ନାଲି ବତୀ ଲାଗିଥିବା ବୋଲେରୋ ଗାଡିରେ ଏଭଳି ରାତି ଅଧିଆ କିଏ ଆସିଲା ଯେ ଗୋରୁ ମାଫିଆ ମାନେ ରୂପ୍ରାରୋଡ ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ୪୦ ହଜାର ଟଙ୍କା ଉଠେଇ ନଗଦ ଗଣି ଦେଇଥିଲେ ? ନର୍ଲାରେ କେବଳ ନର୍ଲା ତହସିଲଦାର, ନର୍ଲା ବିଡିଓ ଏବଂ ପୋଲିସ ପ୍ରଶାସନକୁ ଲାଲ ବତ୍ତି ଲଗେଇବା ପାଇଁ ସ୍ୱୀକୃତି ମିଳିଛି । ତେବେ ଲୋକଙ୍କ କହିବା ଅନୁଯାଇ ଦୀର୍ଘ ବର୍ଷ ବର୍ଷ ରୁ ବିନା କାରଣରେ ଆଜି ପର୍ଯ୍ୟନ୍ତ ରାତି ଅଧିଆ ରୁପ୍ରାରୋଡକୁ କୌଣସି ନାଲି ବତୀ ଗାଡ଼ି ଏଭଳି ଆସିଥିବା ଦେଖି ନାହାନ୍ତି । ବରଂ ଏହି ନାଲି ବତୀ ଗାଡ଼ିଟି ନର୍ଲାର ନହେଇ ଅନ୍ୟ କୌଣସି ଏକ ଗୋଷ୍ଠି ଗୋରୁ ମାଫିଆ ମାନଙ୍କୁ ଭୟବିତ୍ତ କରେଇ ବଟି ଆଦାୟ ଉଦେଶ୍ୟରେ ଆସି ଏଭଳି ହୀନ କାର୍ଯ୍ୟ କରିଥାଇ ପାରନ୍ତି ବୋଲି କୁହାଯାଉଛି । ଏଣୁ ରାତି ଅଧିଆ କିଏ ରୁପ୍ରାରୋଡକୁ ଆସି ଗୋରୁ ମାଫିଆ ମାନଙ୍କ ପାଖରୁ ଛେପ ମାରି ମାଲ ଗଣି ନେଲା ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ରୁପ୍ରାରୋଡ ମୁଖ୍ୟ ରାସ୍ତା ଉପରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଇ ଉକ୍ତ ନାଲି ବତୀ ଗାଡ଼ିରେ ଆସିଥିବା ବ୍ୟକ୍ତି ମାନଙ୍କୁ ସାମ୍ନାକୁ ଆଣିବା ପାଇଁ ଅଞ୍ଚଳରେ ଦାବି ଜୋର ଧରୁଛି ।

Leave a Reply

Your email address will not be published. Required fields are marked *