ପଙ୍ଗୁ କରିଦେଇଛି ସ୍ପାଇନାଲ କର୍ଡ

ଫୋକସ ପ୍ଲସ 20/3/23(ବ୍ୟୁରୋ): ପଙ୍ଗୁ କରିଦେଇଛି ସ୍ପାଇନାଲ କର୍ଡ I ନା ନିଜେ ଛିଡା ହୋଇ ପାରୁଛନ୍ତି, ନା କିଛି କାମ କରି ପାରୁଛନ୍ତି । ଛମାସର ଛୁଆ ଓ ସ୍ତ୍ରୀକୁ ଧରି ଗାଁ ଦାଣ୍ଡରେ ଭିକ ମାଗି ନିଜ ପରିବାର ଚଳାଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଂଚାୟତ ଅସୁରବନ୍ଧ ଗାଁର ରମେଶ ମଲ୍ଲିକ । ବୟସ ୪୦ ଆଉ ପେଶାରେ ଜଣେ ଟ୍ରକ ଡ୍ରାଇଭର । କିନ୍ତୁ ଦିନ ଥିଲା ଟ୍ରକ ଚଲାଇ ବେଶ ହସଖୁସିରେ ସଂସାର ଚାଲିଥିଲା । କାହାର ନଜର ଲାଗିଗଲା କି ରମେଶଙ୍କ ଖୁସି ଉପରେ? ସୁରୁଖୁରୁରେ ଚାଲିଥିବା ସୁଖର ସଂସାର ଉପରେ ଆଜି ଛାଇଯାଇଛି ଦୁଃଖର କଳାବାଦଲ । ଦିନେ ନିଜ ସ୍ତ୍ରୀ ଓ ଛୁଆକୁ ଖୁସିରେ ରଖିବା ପାଇଁ ରମେଶ ଯେଉଁ ସ୍ୱପ୍ନ ଦେଖିଥିଲେ, କିଏ ଜାଣିଥିଲା ସେହି ସ୍ୱପ୍ନ ଏମିତି ସ୍ୱପ୍ନ ହୋଇ ରହିଯିବ ବୋଲି । ବେଶ ସୁରୁଖୁରୁରେ ଚାଲୁଥିବା ଖୁସିର ସଂସାର ଉପରେ ସତେ ଯେମିତି କାହାର ଖରାପ ନଜର ଲାଗିଯାଇଛି ।
ବାଇଟ୧-
କିଛିଦିନ ପୂର୍ବରୁ ରମେଶ ଟ୍ରକ ଚଲାଇ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ତାଙ୍କର ଛୋଟ ପରିବାରଟି ବେଶ ହସଖୁସିରେ ଚାଲିଥିଲା । କିନ୍ତୁ ହଠାତ ତାଙ୍କ ଖୁସିରେ ଦୁଃଖର କଳାବାଦଲ ଛାଇଗଲା । ଦିନେ ଘରେ ତାଙ୍କ ଘରେ ତାଙ୍କର ଗୋଡ ପିଠି ଲାଗି ରହିଲା ଯେ, ଆଉ ଉଠିଲା ନାହିଁ । ରମେଶ ନିକଟସ୍ଥ ମେଡିକାଲରେ ଦେଖାଇଥିଲେ ମଧ୍ୟ ତାଙ୍କର ଚିକିତ୍ସା ହୋଇ ପାରିନଥିଲା । ଏହାପରେ ସେ ବଡ ମେଡିକାଲକୁ ଯିବାପାଇଁ ସ୍ଥିର କଲେ । କିନ୍ତୁ ଗରିବ ଖଟିଖିଆ ପରିବାର ପାଖରେ ବଡ ମେଡିକାଲରେ ଚିକିତ୍ସା କରାଇବା ପାଇଁ ସମ୍ବଳ ଆସିବ ବା କେଉଁଠୁ? ତେବେ ୟା ତାଠାରୁ ମାଗିଯାଚି ଯେତିକି ବି ଟଙ୍କା ଯୋଗାଡ ହୋଇପାରିଲା ସେତିକିରେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ରମେଶ ଜାଣିବାକୁ ପାଇଲେ ଯେ ତାଙ୍କର କିଛି ବଡ ରୋଗ ହୋଇଛି । ଡାକ୍ତରଙ୍କୁ ବାରମ୍ବାର ପଚାରିବା ପରେ ଡାକ୍ତର କହିଲେ ଯେ, ତାଙ୍କୁ ସ୍ପାଇନାଲ କର୍ଡ ରୋଗ ହୋଇଛି । ଆଉ ଏହି ରୋଗର ଚିକିତ୍ସା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ । କ’ଣ କରିବ ରମେଶ? ଏତେ ଟଙ୍କା ଆଣିବ ବା କେଉଁଠୁ? ଶେଷରେ ପରିବାର ପାଖରେ ଯେଉଁ ଶେଷ ସମ୍ବଳ ଜମି ଖଣ୍ଡକ ଥିଲା ତାକୁ ମଧ୍ୟ ବିକ୍ରି କରିଦେଲେ । ତଥାପି ସେତିକି ଅର୍ଥ ନିଅଂଟ ହେଲା ରମେଶଙ୍କ ଚିକିତ୍ସା ପାଇଁ । ଆଉ କିଛି ବୁଦ୍ଧିବାଟ ନପାଇ ଘରକୁ ଫେରିଆସି ସରପଂଚଙ୍କୁ ଜଣାଇଥିଲେ । ଖାଲି ସରପଂଚ ନୁହଁନ୍ତି, ବ୍ଲକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ମଧ୍ୟ ନିଜର ସମସ୍ୟା ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରମେଶଙ୍କୁ କୌଣସି ସାହାଯ୍ୟ ମିଳିପାରିଲା ନାହିଁ । ତେଣୁ ଏବେବି ଗାଁ ଗାଁ ବୁଲି ଭିକ ମାଗି ନିଜର ପେଟ ପୋଷୁଛନ୍ତି ରମେଶ ଓ ତାଙ୍କ ସ୍ତ୍ରୀ ।
ତେବେ ଦେଖାଯାଉ, ସରକାର କେବେ ରମେଶଙ୍କ ଦୁଃଖ ଶୁଣିବେ ଆଉ ମନ୍ତ୍ରୀ ତାଙ୍କ ନିକଟକୁ ଆସି ତାଙ୍କୁ ସାହାଯ୍ୟ କରିବେ ।

Leave a Reply

Your email address will not be published. Required fields are marked *