ଫୋକସ ପ୍ଲସ(ପୁରୀ)୦୭/୦୮/୨୦୨୨ : ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତ କାର୍ଯ୍ୟାଳୟରେ ଶାସକ ଦଳର ବିଜେଡ଼ି କର୍ମୀ ମାନେ ଜବରଦସ୍ତ ତାଲା ପକାଇଥିଲେ। । ଏନେଇ କୋଣାର୍କ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା। ସିମିଳି ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍ ସ୍ଵାଇଁଙ୍କ ଅଭିଯୋଗ ମୁତାବକ ସେ କାର୍ଯ୍ୟାଳୟରେ ନଥିବା ବେଳେ କେତେକ ଲୋକେ ସଙ୍ଗବଦ୍ଦ ଭାବେ ଆସି କାର୍ଯ୍ୟାଳୟରେ ଥିବା କର୍ମଚାରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ମାରଣାସ୍ତ୍ର ଦେଖାଇ ଧମକ ଦେଇଥିଲେ। ଏଥି ସହିତ କେତେକ ଜରୁରୀ କାଗଜପତ୍ର ଚିରିବା ସହିତ ନଷ୍ଟ କରିଛନ୍ତି। ସେମାନେ କାର୍ଯ୍ୟାଳୟ କୋଲପ ଭାଙ୍ଗି ଦବରଦଖଲ ନୂଆ କୋଲପ ପକାଇ ରଖିଛନ୍ତି। ଯାହା ଫଳରେ କାର୍ଯ୍ୟାଳୟ ଭିତରକୁ କର୍ମଚାରୀ ମାନେ ଯାଇ ପାରୁନାହାନ୍ତି କି କୌଣସି କାର୍ଯ୍ଯ ହୋଇପାରୁନି। ବୁଢ଼ାବୁଢ଼ୀ ବିଧବା ମାନେ ଭତା ମଧ୍ୟ ନେଇ ନପାରି ଫେରୁଛନ୍ତି। ପୂର୍ବରୁ ଏପରି କାଣ୍ଡ କରିଥିଲେ ମଧ୍ୟ ସେମାନେ ବିଜେଡ଼ି ଦଳର ଓ ଗୃହ ମନ୍ତ୍ରୀଂକ ଲୋକ ବୋଲି ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ତାଙ୍କର ମୁଁହ ବଢ଼ି ବଢ଼ି ଚାଲିଛି ବୋଲି ସରପଞ୍ଚ ଶ୍ରୀଯୁକ୍ତ ସ୍ଵାଇଁ ମନ୍ତବ୍ୟ ଦେଇଛନ୍ତି। ଅଭିଯୋଗ ପାଇ କୋଣାର୍କ ପୋଲିସ ପକ୍ଷରୁ ୧୬୪/୨୨ ରେ ଏକ ଅପରାଧିକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଧାରା ୪୪୭, ୪୪୮, ୨୯୪, ୩୭୯, ୫୦୬ ଓ ୩୪ ରେ ବିଜେଡ଼ି ନେତା ବିଜୟ କୁମାର୍ ସେଠ, ଶରତ କୁମାର ବରାଳ, ରଜନୀ ସେଠି, ଦୁଷ୍ମନ୍ତ କୁମାର ବରାଳ, କୃଷ୍ଣ ମୋହନ ବାରିକ, ଲକ୍ଷ୍ମୀଧର ବାରିକ, ସନ୍ତୋଷ ବରାଳ, ବଟ କିଶୋର ସେଠିଙ୍କ ସହ ଅନ୍ୟ ସହଯୋଗୀ ମାନଙ୍କ ନାମରେ କେସ ରୁଜୁ କରିଛି ପୋଲିସ। ସ୍ଥାନୀୟ ବିଧାୟକ ଗୃହମନ୍ତ୍ରୀ ହେବା ପରେ ବିଜେଡ଼ି କର୍ମକର୍ତ୍ତା ମାନେ ଆଉ ମଣିଷ ମାନୁ ନଥିବା କୋଣାର୍କ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି। ଅଭିଯୋଗର ୩ ଦିନ ପରେ ମଧ୍ୟ କୋଣାର୍କ ପୋଲିସ ଓ ପୁରୀ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଶନିବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣାରେ ବସିଛନ୍ତି। କୋଣାର୍କ ପୋଲିସ କେଉଁ ସ୍ୱାର୍ଥରେ ଅଭିଯୁକ୍ତ ମାନଙ୍କୁ ଗିରଫ ନକରି ଚୁପ ବସିଛି ସେଥିପାଇଁ ସେମାନେ ପୋଲିସ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଯେପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ନହେବେ ସେପର୍ଯ୍ୟନ୍ତ ଧାରଣ ଦିଆଯିବ ବୋଲି ସରପଞ୍ଚ ଶ୍ରୀ ସ୍ଵାଇଁ ଓ ପୂର୍ବତନ ସରପଞ୍ଚ କାଞ୍ଚନବଳା ସେଠି ମତବ୍ୟକ୍ତ କରିଛନ୍ତି। ଏନେଇ କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ କହିଛନ୍ତି ଯେ ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅପରାହ୍ନରେ ଖବର ପାଇ ଧାରଣା ସ୍ଥଳରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ନିମାପଡା ଏସଡିପିଓ, ଗୋପ ବିଡିଓ, ଅତିରିକ୍ତ ତହସିଲଦାର ପ୍ରମୁଖ ପହଞ୍ଚି ପଞ୍ଚାୟତ କାର୍ଯ୍ୟଳୟ ଯାଇ ଘଟଣାର ତଦନ୍ତ କରିଛନ୍ତି। ସମସ୍ତ ପ୍ରକାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧାରଣା କାରୀଙ୍କୁ ବୁଝାଇ ଧାରଣା ସ୍ତଗିତ ରଖିଛନ୍ତି। କିନ୍ତୁ ଅଭିଯୁକ୍ତ ମାନଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।
ଗୋପ ରୁ ମୃତୁଞ୍ଜୟ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |