ପରକୀୟା ପ୍ରୀତିରେ ଲିପ୍ତ ପୋଲିସ୍ ବାବୁ

ଫୋକସ ପ୍ଲସ (ଜଗତପୁର)୨୦/୦୭/୨୦୨୨: ପୋଲିସ ବାବୁ ଜଣକ ପରକୀୟା ପ୍ରୀତିରେ ଉବୁଟୁବୁ। ନିଜ ପତ୍ନୀଙ୍କୁ ପ୍ରତାରଣା କରି ଦ୍ୱିତୀୟ ବିବାହ କରିଛନ୍ତି ଏହି ପୋଲିସ ବାବୁ। ପତ୍ନୀ ଓ ୩ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ସୋସିଆଲ ମିଡିଆରେ ଦ୍ଵିତୀୟ ପତ୍ନୀଙ୍କ ସହ ଭିଡିଓ ଛାଡିବାରେ ବ୍ୟସ୍ତ ରହୁଛନ୍ତି ଏହି ପୋଲିସ ବାବୁ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ରେଳବାଇ ପୋଲିସରେ କାର୍ଯ୍ୟରତ ଥିବା ହାବିଲଦାର କୁଦରତ୍ ଅଲ୍ଲୀ ଖାଁଙ୍କ ବିରୋଧରେ। ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ପ୍ରତାରିତ ପତ୍ନୀ ସାହେରା ବେଗମ।
୨୦୦୭ ମସିହା ନଭେମ୍ବର ୩୦ ତାରିଖରେ ସାହେରା ସାଲେପୁର ଥାନା ଲେଖନପୁର ଗ୍ରାମର କୁଦରଙ୍କୁ ମୁସଲିମ ପ୍ରଥାରେ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ୩ଟି ସନ୍ତାନ ଜନ୍ମଲାଭ କରିଛନ୍ତି।
ପତ୍ନୀ ସାହେରାଙ୍କ ଅଭିଯୋଗ ଅନୁଯାୟୀ,ତାଙ୍କ ପତି ୨୦୨୧ ମସିହାରୁ ରେଳବାଇ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କୁ ଦ୍ଵିତୀୟ ପତ୍ନୀ ଭାବେ ବିବାହ କରିଛନ୍ତି। ଏ ସମ୍ପର୍କରେ ସେ ଜାଣିବା ପରେ ମହିଳା ଥାନା ଓ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ମହିଳା ଥାନାରେ କେସ ନମ୍ବର ୨୧୭/୨୧ରେ ମାମଲା ରୁଜୁ କରାଯାଇ ବିଭିନ୍ନ ଦଫା ଲାଗିଥିଲେ ବି କୁଦରତଙ୍କୁ ଗିରଫ କରି ନ ଥିଲା ପୋଲିସ। ତେବେ ପୋଲିସ ଚାକିରି କରି ଥିବାରୁ ପୋଲିସ ତାଙ୍କ ଉପରେ କୌଣସି ପଦକ୍ଷେପ ନ ନେବାରୁ ସାହେରା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।
କୁଦରତଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଦେଖିବାକୁ ବାକି ରହିଲା ପତ୍ନୀ ଓ ୩ ସନ୍ତାନକୁ ପର କରି ଦ୍ଵିତୀୟ ବିବାହ କରିଥିବା ପୋଲିସ ବାବୁ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ?

କଟକ ରୁ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *